କୁଆଖିଆ ଓଭର୍ ବ୍ରିଜ୍ରେ ଦୁର୍ଘଟଣା, ୨ ମୃତ
ଭୁବନେଶ୍ଵର (ଓଡ଼ିଶା ଟାଇମ୍): ଜାତୀୟ ରାଜପଥର କୁଆଖିଆ ପୋଲ ଉପରେ ବଡ଼ ଦୁର୍ଘଟଣା ଘଟିଛି। ଏକ କଦଳୀ ବୋଝେଇ ଟ୍ରକ୍ ସହ ଅନ୍ୟ ଏକ ଟ୍ରକ୍ ଧକ୍କା ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ ଆନ୍ଧ୍ରରୁ ରାଞ୍ଚି ଅଭିମୁଖେ ଏକ ଗାଡ଼ି କଦଳୀ ବୋଝେଇ କରି ଯାଉଥିବାବେଳେ କୁଆଖିଆ ଓଭର୍ ବ୍ରିଜ ଉପରେ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା।
ସୂଚନା ଅନୁଯାୟୀ ଉକ୍ତ ଗାଡ଼ିରେ ଡ୍ରାଇଭର ଓ ହେଲପରଙ୍କ ସମେତ ଅନ୍ୟ ଜଣେ ଯୁବକ ଥିବାବେଳେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଆହତ ଡ୍ରାଇଭର ଓ ହେଲପରଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ହେଲପରର ମୃତ୍ୟୁ ଘଟିଛି। ମୃତ ହେଲପର ଜଣକ ଟାଟା ଜାମସେଦପୁର ଗରିବନବାଜ ଅଞ୍ଚଳର ଏସ୍କେ ରାଜୁ ବୋଲି ଜଣାପଡ଼ିଛି। ଗୁରୁତର ହୋଇଥିବା ଡ୍ରାଇଭର ମହମ୍ମଦ ହାପିଜଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଘଟଣାସ୍ଥଳରେ କୁଆଖିଆ ପୁଲିସ୍ ତଦନ୍ତ ଚଳାଇଛି।