ରଥଯାତ୍ରା ମାମଲା : ରିଭ୍ୟୁ ପିଟିସନ ଗ୍ରହଣ କଲେ ସୁପ୍ରିମକୋର୍ଟ, କାଲି ଦିନ ୧୧ଟାରେ ହେବ ଶୁଣାଣି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ସଙ୍କଟ ବଢୁଥିବାରୁ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗରେ ବିଭିନ୍ନ ମହଲରୁ ସ୍ୱର ଉଠିବାରେ ଲାଗିଛି । ରଥଯାତ୍ରା ପ୍ରସଙ୍ଗରେ ପୁନଃବିଚାର ପାଇଁ ଆବେଦନ କରାଯାଇଥିବା ବେଳେ ଆସନ୍ତାକାଲି ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବ ।

ସୂଚନାଯୋଗ୍ୟ ଯେ, ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆୟୋଜନ ପାଇଁ ଦାବି ସହ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାୟର ହୋଇଛି । ସର୍ବୋଚ୍ଚ ଅଦାଲତରେ ଗତ ଦୁଇ/ତିନି ଦିନରେ ତିନୋଟି ପିଟିସନ ଓ ଦୁଇଟି ମୋଡିଫିକେସନ ପିଟିସନ ଦାୟର ହୋଇଛି । ଶନିବାରଠୁ ସୁପ୍ରିମକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ ଆରମ୍ଭ ହୋଇଥିବାରୁ ସୋମବାର କିଭଳି ଶୁଣାଣି ହେବ ତାକୁ ନେଇ ସୃଷ୍ଟି ହୋଇଥିଲା ସସ୍‌ପେନ୍‌ସ୍‌ ।

କିନ୍ତୁ ରିଭ୍ୟୁ ପିଟିସନ ଗୁଡିକୁ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଆସନ୍ତାକାଲି ଅର୍ଥାତ ସୋମବାର ଦିନ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡିଛି ।

ଆସନ୍ତାକାଲି ସକାଳ ୧୧ଟାରେ ଏହି ମାମଲାରୁ ଶୁଣାଣି କରାଯିବ । ଅନ୍ୟ ସବୁଯାଗାରେ ରଥଯାତ୍ରା ବନ୍ଦ କରି କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ପିଟିସନରେ ଅନୁରୋଧ କରାଯାଇଛି । ଆବଶ୍ୟକ ସ୍ଥଳେ ପୁରୀକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ କରି କେବଳ ସେବାୟତ ଓ ସୁରକ୍ଷାକର୍ମୀଙ୍କୁ ନେଇ ମହାପ୍ରଭୁଙ୍କ ରଥଯାତ୍ରା କରିବାକୁ ଏଥିରେ ଯୁକ୍ତି ରଖାଯାଇଛି ।

Leave a Reply

Your email address will not be published. Required fields are marked *