ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଠାରୁ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଦିନ ୧୧ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୪ ତାରିଖ ଯାଏଁ ଚାଲିବ । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀ ୱେବସାଇଟରେ କମନ ଆପ୍ଲିକେସନ ଫର୍ମ ଜରିଆରେ ଅନଲାଇନ ଆବେଦନ କରିପାରିବେ।www.Samsodisha.gov.in ୱେବସାଇଟରେ ଛାତ୍ରଛାତ୍ରୀମାନେ ଅନଲାଇନ ଆବେଦନ କରିପାରିବେ ।

ସେପ୍ଟେମ୍ବର ୯ ତାରିଖ ଦିନ ୧୧ଟା ବେଳେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା (ମେରିଟ୍‌ ଲିଷ୍ଟ୍‌) ବାହାରିବ। ପ୍ରଥମ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ସେପ୍ଟେମ୍ବର ୧୧ରୁ ଆରମ୍ଭ ହୋଇ ୧୮ ତାରିଖରେ ସରିବ । ସେପ୍ଟେମ୍ବର ୧୧ ତାରିଖରୁ ୧୯ ତାରିଖ ମଧ୍ୟରେ ପ୍ରଥମ ଚୟନରେ ନାମ ଲେଖିଥିବା ଛାତ୍ରଛାତ୍ରୀ ସ୍ଲାଇଡ୍‌ ଅପ୍‌ ଅନୁରୋଧ ବା ଖାଲି ସିଟ୍‌ ଥିବା ଉନ୍ନତ ଧରଣର କଲେଜକୁ ବଦଳି ଆବେଦନ କରିପାରିବେ । ସେପ୍ଟେମ୍ବର ୨୩ରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ଦ୍ୱିତୀୟ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ସେପ୍ଟେମ୍ବର ୨୪ରୁ ୨୮ ତାରିଖ ମଧ୍ୟରେ ନାମ ଲେଖିପାରିବେ । ଅକ୍ଟୋବର ୧ରେ ସ୍ପଟ୍‌ ନାମଲେଖା ମେଧା ତାଲିକା ପ୍ରକାଶିତ ହେବ । ସ୍ପଟ୍‌ ନାମଲେଖା ପାଇଁ ଛାତ୍ରଛାତ୍ରୀ ଅକ୍ଟୋବର ୧ରୁ ୩ ମଧ୍ୟରେ ଆବେଦନ କରିପାରିବେ ।

୨୦୧୬ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪ଲକ୍ଷ ୫୨ ହଜାର ୧୮୭ସିଟ୍‌ରେ ଯୁକ୍ତ ଦୁଇ ନାମଲେଖା ଅନୁଷ୍ଠିତ ହେବ । କରୋନା କଟକଣା ଥିବାରୁ ଛାତ୍ରଛାତ୍ରୀଙ୍କୁ ଆବେଦନ କରିବା ପାଇଁ ଜୁନିୟର୍‌ କଲେଜ ବା କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯିବାକୁ ପଡ଼ିବନାହିଁ । ଅନ୍‌ଲାଇନ୍‌ରେ ସମସ୍ତ କାଗଜପତ୍ର ଦାଖଲ କରିବାକୁ ପଡ଼ିବ । ଅରିଜିନାଲ୍‌ ମାର୍କସିଟ୍‌, ଜାତି ପ୍ରମାଣପତ୍ର, ପ୍ରୋଭିଜନାଲ୍‌ ସାର୍ଟିଫିକେଟ୍‌ ଆଦି ଆବଶ୍ୟକୀୟ କାଗଜପତ୍ର କେବଳ ନାମଲେଖା ସମୟରେ ଦେଖାଇବାକୁ ପଡ଼ିବ । ଚଳିତବର୍ଷ ନାମଲେଖା ଆବେଦନ ଫି’କୁ କମାଇ ଦିଆଯାଇଛି ।

Leave a Reply

Your email address will not be published.