ଆଜି ଦଶମୂଳ ଲାଗି ପରେ ସୁସ୍ଥ ହେବେ ପ୍ରଭୁ
ପୁରୀ, (ଓଡିଶା ଟାଇମ୍): ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାବାହୁ । ଆଜି ଅନଵସରର ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଲାଗି ହେବ ଦଶମୂଳ ମୋଦକ । ଗତାକାଲି ଚକାବିଜେ କରିଥିଲେ ମହାବାହୁ । ଆଜି ଲାଗି ହେବ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ମୋଦକ । ଏହି ସେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ୮ ଜଣ ବୈଦ୍ୟଙ୍କୁ ନିୟୋଜିତ କରିଛନ୍ତି । ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ମୋଦକାଦି ଔଷଧି ଲାଗି କରାଯିବ ।
ତ୍ରୟୋଦଶ ଶତାଦ୍ଧୀରେ ଦ୍ୱିତୀୟ ଅନଙ୍ଗଭୀମ ଦେବଙ୍କ ସମୟରେ ବୈଦ୍ୟ ଓ ଶାସ୍ତ୍ର ବୈଦ୍ୟ ସେବା ସ୍ଥାପିତ ହୋଇଥିଲା । ଗତକାଲି ବିଳମ୍ୱିତ ରାତିରେ ମହାପ୍ରଭୁ ସୁସ୍ଥ ହୋଇ ଚକା ଉପରେ ବିଜେ ହୋଇଛନ୍ତି । ଅଣସର ବାସର ଚକା ବିଜେ ବିଧିକୁ ଅତି ଗୋପନୀୟତାର ସହ ସମ୍ପନ୍ନ କରିଥିଲେ ଦଇତାପତି ସେବାୟତ । ଦଇତାପତି ସେବକ କହିଛନ୍ତି ଓଷ ଲାଗି ପରେ ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ସୁସ୍ଥ ହେବା ପରେ ରବିବାର ରାତିରେ ମହାପ୍ରଭୁ ଚକା ବିଜେ ହୋଇ ବସିଛନ୍ତି । ଦ୍ୱାଦଶୀ ତିଥିରେ ରାଜପ୍ରସାଦ ବିଜେ ନୀତି ସମ୍ପାଦନ କରାଯିବାକୁ ଗୋପନ ନୀତିର ପରମ୍ପରା ଚଳି ଆସୁଛି । ଏହି ପର୍ଯ୍ୟାୟରେ ସୁଦ୍ଧ ସୁଆରଙ୍କ ବାସଭବନରୁ ଶ୍ରୀମନ୍ଦିରକୁ ଖଳି ବିଜେ ହେବ । ଏହା ପରେ ପରେ ପ୍ରଭୁଙ୍କ ଶ୍ରୀମୁଖ ସିଙ୍ଗାର ସେବକ ଦତ୍ତମହାପାତ୍ର ସେବାରେ ହାଜର ହେବେ ।
ଏହି ସବୁ ଉପଚାର ପରେ ଶ୍ରୀବିଗ୍ରହଙ୍କ ନବଯୌବନ ପ୍ରାପ୍ତି ଓ ନେତ୍ରୋତ୍ସବ ନୀତିର ବିଧି ପାଳନ ହେବ । ଶ୍ରୀବିଗ୍ରହଙ୍କ ଗୁପ୍ତ ସେବାରେ ଫୁଲୁରି ତେଲ, ଦଶମୂଳ ଔଷଧ ଓ ଅନ୍ୟାନ୍ୟ ଉପଚାର ପରେ ପ୍ରଭୁ ସଂପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦିନ ଭକ୍ତଙ୍କୁ ଦର୍ଶନ ଦେବେ । ତେବେ କୋଭିଡ କଟକଣା ଯୋଗୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ ।