ଆଜି ବିଶ୍ୱ ଜଳ ଦିବସ

ଭୁବନେଶ୍ବର, (ଓଡିଶା ଟାଇମ୍) :ଜଳ ଜୀବନର ସତ୍ତା। ଜୀବନ ପାଇଁ ରକ୍ତ ଯେପରି ଆବଶ୍ୟକ ଠିକ୍‌ ସେହିପରି ଜଳ ମଧ୍ୟ ଅପରିହାର୍ୟ୍ୟ। ଜଳକୁ ସର୍ବଦା ଜୀବନ ଓ ରକ୍ତ ସହିତ ତୁଳନା କରାଯାଏ। ଜଳ ସମସ୍ତ ବିକାଶର ପ୍ରମୁଖ। ଅଦ୍ୱିତୀୟ ଆଧାର। ଜଳ ପାଇଁ ଜୀବନ, ଭୂମି, ପାହାଡ, ବଣ ଓ ଜଙ୍ଗଲ ତିଷ୍ଠି ରହିଛି। ଜୀବନର ପ୍ରତିଟି ମୁହୂର୍ତ୍ତ ପାଇଁ ଜଳ ହିଁ ଲୋଡା। କ୍ରମବର୍ଦ୍ଧିଷ୍ଟ ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିଶ୍ବ, ଦେଶ ଓ ରାଜ୍ୟରେ ଜଳ ସଙ୍କଟ ଦେଖାଦେଲାଣି। ପାନୀୟ ଜଳ ବ୍ୟବହାର ଉପଲବ୍ଧିକୁ ଦେଖିଲେ ୨୦୫୦ ବେଳକୁ ଦେଶ ତଥା ରାଜ୍ୟରେ ଜଳ ସଙ୍କଟ ଦେଖାଦେବ। ରାଜ୍ୟର କିଛି ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖାଦେଉଥିବା କଥା କୁହାଯାଉଛି। ହେଲେ ଜାତୀୟସ୍ତରକୁ ଦେଖିଲେ ଓଡ଼ିଶା ବର୍ତ୍ତମାନ ଭଲ ସ୍ଥିତିରେ ରହିଛି।

ହସ୍ତଗତ ତଥ୍ୟାନୁଯାୟୀ, ସହରାଞ୍ଚଳରେ ପାନୀୟ ଜଳ ବ୍ୟବହାରିକ ଆକଳନ କଲେ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ସହରରେ ମୁଣ୍ଡପିଛା ଦୈନିକ ୭୦ଲିଟର ପାନୀୟ ଜଳ ଆବଶ୍ୟକ। ୫୦ହଜାରରୁ ୨ଲକ୍ଷ ଜନସଂଖ୍ୟା ବସତି ସହରରେ ମୁଣ୍ଡପିଛା ଦୈନିକ ୧୩୫ ଲିଟର ଏବଂ ୨ ଲକ୍ଷରୁ ଊର୍ଦ୍ଧ୍ବ ଜନସଂଖ୍ୟା ବସବାସ କରୁଥିବା ସହରରେ ମୁଣ୍ଡପିଛା ଦୈନିକ ୧୫୦ ଲିଟର ଜଳ ଆବଶ୍ୟ। ଗ୍ରାମାଞ୍ଚଳରେ ମୁଣ୍ଡପିଛା ପାନୀୟ ଜଳ ବ୍ୟବହାର ପ୍ରାୟ ୫୦ ଲିଟର। ବର୍ଷାରୁ ମଧୁର ଜଳ ଆସିଥାଏ। ଜଳ ସଂରକ୍ଷଣ ହୋଇ ନପାରିବାରୁ ନଦୀ, ନାଳ ଓ ଝରଣା ଦେଇ ସମୁଦ୍ରକୁ ଚାଲିଯାଉଛି। ମୋଟ ୧୨୦ ବିଲିୟନ ଘନ ମିଟର ଜଳରୁ ୯୧ ବିଲିୟନ ଘନ ମିଟର ଜଳ ବ୍ୟବହାରକ୍ଷମ। ଏହାକୁ ଦେଖିଲେ ଓଡ଼ିଶାରେ ପାନୀୟ ବ୍ୟବହାର ପାଇଁ ମଧୁଳ ଜଳ ପର୍ୟ୍ୟାପ୍ତ ରହିଛି।

 

Leave a Reply

Your email address will not be published. Required fields are marked *