୫୧ ବର୍ଷରେ ପାଦ ଥାପିଲେ କଂଗ୍ରେସ ଯୁବରାଜ
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଆଜି ୫୧ ବର୍ଷ ହୋଇଛି । କରୋନା ମହାମାରୀ ହେତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାହୁଲ ଚଳିତ ବର୍ଷ ତାଙ୍କ ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଜୁନ୍ ୧୯ରେ ତାଙ୍କ ଜନ୍ମଦିନ ଅବସରରେ କୌଣସି ପ୍ରକାର ଉତ୍ସବ ଆୟୋଜନ ନକରିବାକୁ ସେ ଦଳର କର୍ମୀଙ୍କୁ ନିବେଦନ କରିଛନ୍ତି ।
କୌଣସି ହୋର୍ଡିଂ କିମ୍ବା ପୋଷ୍ଟର ଲଗାନ୍ତୁ ନାହିଁ, କିନ୍ତୁ ଯଥା ସମ୍ଭବ ଅଭାବି ଲୋକଙ୍କୁ ସାହାଯ୍ୟ କରନ୍ତୁ । ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ରାଜ୍ୟ କଂଗ୍ରେସ କମିଟି, ଦଳର ବିଭିନ୍ନ ସଂଗଠନକୁ ଚିଠି ଲେଖି ରାହୁଲ ଗାନ୍ଧୀଙ୍କ ଏହି ଭାବନା ବିଷୟରେ ଅବଗତ କରାଇଛନ୍ତି । ଦଳ ରାଜ୍ୟ କଂଗ୍ରେସ କମିଟିକୁ କହିଛି ଯେ ରାହୁଲ ଗାନ୍ଧିଙ୍କ ଜନ୍ମଦିନରେ ସେମାନେ ଅଭାବି ଲୋକଙ୍କ ମଧ୍ୟରେ ରାସନ, ମେଡିକାଲ କିଟ୍, ମାସ୍କ ଏବଂ ସାନିଟାଇଜର ବଣ୍ଟନ କରିବେ ।
ଏଥିସହ ରାହୁଲ ଗାନ୍ଧିଙ୍କ ଜନ୍ମଦିନରେ କରୋନା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରାଯିବ । ଅଭାବି ଲୋକଙ୍କୁ ରାସନ ଯୋଗାଇବ ଏବଂ ସାଧାରଣ ଲୋକଙ୍କୁ ଟିକାକରଣରେ ସାହାଯ୍ୟ କରିବ ବୋଲି ଭାରତୀୟ ଯୁବ କଂଗ୍ରେସ କହିଛି । ରାହୁଲ ଗାନ୍ଧିଙ୍କ ଜନ୍ମଦିନରେ ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ ଏବଂ ଭାରତୀୟ ଯୁବ କଂଗ୍ରେସ ନିଜ କାର୍ଯ୍ୟାଳୟରେ ଲୋକଙ୍କ ପାଇଁ ମାଗଣା କୋଭିଡ ଟିକାକରଣ ଅଭିଯାନ ଆୟୋଜନ କରିବାକୁ ଯୋଜନା କରିଛନ୍ତି ।