ଚତୁର୍ଦ୍ଧାମୂରତିଙ୍କ ଆଡପ ମଣ୍ଡପ ବିଜେ : ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ କର୍ଫ୍ୟୁ ବଳବତ୍ତର

ପୁରୀ, (ଓଡିଶା ଟାଇମ୍) : ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ ଆରମ୍ଭ ହୋଇଛି । ପହଣ୍ଡି ଆରମ୍ଭ ହୋଇ ଶ୍ରୀ ମଦନ ମୋହନ ଓ ରାମକୃଷ୍ଣଙ୍କ ଗୋଟି ପହଣ୍ଡି ଶେଷ ହୋଇଛି । ଗୋଟି ପହଣ୍ଡିରେ ଜନ୍ମବେଦିକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏହାପରେ ପରେ ସୁଦର୍ଶନ ମହାପ୍ରଭୁଙ୍କ ଗୋଟି ପହଣ୍ଡି ଆରମ୍ଭ ହୋଇଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ବହୁ ବାଦବିବାଦ ପରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଅନୁମତି ମିଳିଥିଲା । କଟକଣା ଓ ବିନା ଭକ୍ତରେ ଗତକାଲି ଶରଧାବାଲିରେ ତିନିଠାକୁରଙ୍କ ରଥ ଆସି ଲାଗିଥିଲା । ସେବାୟତ ଓ ପୋଲିସଙ୍କ ସାହାଯ୍ୟରେ ରଥଟଣା ହୋଇଥିଲା ।

ଆଡ଼ପ ମଣ୍ଡପରେ ଆଜି ମହାପ୍ରଭୁଙ୍କ ବଡ଼ସିଂହାର ବେଶ କରାଯିବ । ଏଥର କୋଭିଡ୍‌ କଟକଣା ପାଇଁ ଶରଧାବାଲିରେ ନଥିଲା ଭକ୍ତଙ୍କ ଗହଳି ଚହଳି । ଆଡ଼ପ ମଣ୍ଡପରେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିପାରିବେନି ଭକ୍ତ । ଆଡ଼ପ ମଣ୍ଡପକୁ ଠାକୁରଙ୍କ ପହଣ୍ଡିକୁ ନଜରରେ ରଖି ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ କର୍ଫ୍ୟୁ ବଳବତ୍ତର ରହିଛି ।

କାଲିଠୁ ବାହାରିବ ଆଡ଼ପ ଅବଢ଼ା ।  ହେଲେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କୁ ବାରଣ ଥିବା ବେଳେ ଭକ୍ତଙ୍କୁ ଅବଢ଼ା ଯୋଗାଇଦେବା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ବ୍ୟବସ୍ଥା କରାଯାଉଛି ।

Leave a Reply

Your email address will not be published. Required fields are marked *