ରାଜ୍ୟରେ ଜୁନ୍ ୧୭ରୁ ଖୋଲିବନି ସ୍କୁଲ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଜୁନ୍ ୧୭ ତାରିଖରୁ ଖୋଲିବ ନାହିଁ ସ୍କୁଲ୍‌ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନ୍ ବଳବତ୍ତର ଥିବା ଯୋଗୁଁ ସ୍କୁଲଗୁଡିକୁ ବନ୍ଦ ଘୋଷଣା କରାଯାଇଥିଲା । ତେବେ ଜୁନ୍ ୧୭ ତାରିଖରୁ ସ୍କୁଲ ଖୋଲିବା ନେଇ ମନ୍ତ୍ରୀ ସୂଚନା ଦେଇଥିଲେ । କିନ୍ତୁ ଲକ୍ ଡାଉନ୍ ୪.୦ର ଅବଧି ଆଜି ଶେଷ ହେଉଥିବାରୁ ଶନିବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ ଲକ୍-୧.୦ ଘୋଷଣା କରାଯାଇଛି । ଏହି ଗାଇଡ୍ ଲାଇନ୍ ଅନୁଯାୟୀ ସ୍କୁଲଗୁଡିକ ଖୋଲିବା ନେଇ ଜୁଲାଇ ମାସରେ ନିଷ୍ପତ୍ତି ନିଆଯିବ । ଏହାକୁ ଦୃଷ୍ଟିରୁ ରଖି ରାଜ୍ୟ ସରକାର ଜୁନ୍ ମାସରେ ସ୍କୁଲ ଖୋଲିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

ତେବେ ଏଥିପାଇଁ ଜୁଲାଇ ମାସରେ ଦ୍ବିତୀୟ ପର୍ୟ୍ୟାୟ ଅନ୍ ଲକ୍ ରେ ଅନୁମତି ମିଳିପାରେ । ଗୃହମନ୍ତ୍ରାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ଏଥିପାଇଁ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟ ଭାଗିଦାରଙ୍କ ସହ ନିୟମିତ ଆଲୋଚନା କରିବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟଙ୍କୁ ଏଓପି ପ୍ରସ୍ତୁତ କରିବାକୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ବିସ୍ତାର ରୋକିବା ପାଇଁ ମାର୍ଚ୍ଚ ୨୫ ତାରିଖରୁ ଦେଶବ୍ୟାପୀ ଲକ୍ ଡାଉନ୍ ଜାରି ହୋଇଥିଲା । ତେବେ ମେ’ ୩୦ ତାରିଖରେ କେନ୍ଦ୍ର ସରକାର ଅନ୍ ଲକ୍-୧.୦ ଘୋଷଣା କରିଛନ୍ତି । ଏହା ଜୁନ୍ ୩୦ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ। ତେବେ ପ୍ରଥମ ଥର ସରକାର ଲକ୍ ଡାଉନ୍‌ରେ ଅନ୍ ଲକ୍‌ ଲାଗି ମଧ୍ୟରାସ୍ତା ଖୋଲିଛନ୍ତି । ଫଳରେ ସମ୍ପୂର୍ଣ୍ଣ ଲକ୍ ଡାଉନ୍‌କୁ ଯାଇଥିବା ଦେଶକୁ ପର୍ୟ୍ୟାୟକ୍ରମେ ପୁଣି ଖୋଲିବା ଲାଗି ରାସ୍ତା ଉନ୍ମୁକ୍ତ ହୋଇଯାଇଛି ।

Leave a Reply

Your email address will not be published.