‘ସୁଖବାସୀ’ ର ଦୁଃଖ: ପ୍ରବାସୀ ଶ୍ରମିକ  

“ଇତିହାସ ଚକ ପଛକୁ ବୁଲେନି  ଆଗକୁ ତାହାର ଗତି,

 ଇତିହାସ ଚକ ରଥର ସାରଥୀ, ହେ ମଣିଷ ମେହନତି ।”

ବିଶ୍ଵପ୍ରିୟ କାନୁନଗୋ

ସହର, ଗ୍ରାମ୍ୟ ଅର୍ଥନୀତି ହେଉ ବା ବିଶ୍ୱ ଅର୍ଥନୀତି,- ସବୁଥିରେ ମେହନତି ମଣିଷର ଲୁହ ଲହୁର ଅବଦାନ ରହିଛି । କିନ୍ତୁ କରୋନା ମହାମାରୀ ଆଜି ମେହନତି ମଣିଷର ଜୀବନ-ଜୀବୀକା କିଭଳି ଦୟନୀୟ- ତା’ର ଅତି ସ୍ପଷ୍ଟ ଛବି ଟାଣି ଦେଇଛି । ଯେଉଁ ରେଲ ଲାଇନ ଦିନେ ସେ ତିଆରି କରିଥିଲା, ତା’ରି ଦେହରେ ତା’ର ଜୀବନ ନାଟିକା ଶେଷ ହୋଇଗଲା । ଯେଉଁ ହଜାର ହଜାର କିଲୋମିଟର ରାସ୍ତା ତିଆରି କରିଥିଲା ସେଥିରେ ବାବୁ-ବାବୁଆଣୀମାନଙ୍କର ମର୍ସି‌ଡିସ୍‌, ବିଏମଡବ୍ଲ୍ୟୁ ଗାଡ଼ି ଘର, ଘର ଶୁଣି ଖୁସି ହୋଇଥିଲା ଆଜି ସେହି ରାସ୍ତାରେ ସେ ହଜାର ହଜାର କିଲୋମିଟର ବାଟ ନିଜର ଛୁଆ, ପିଲା ଓ  ସ୍ତ୍ରୀଙ୍କୁ ସାଙ୍ଗରେ ଧରି ଚପଲ ଘୋଷାରି ବା ଖାଲି ପାଦରେ ନଖାଇ, ନପିଇ ଚାଲିବାକୁ ବାଧ୍ୟ ହୋଇଛି।  ଚାଲି ନିଜ ଭିଟାମାଟିକୁ ଫେରୁଥିବା ଦୃଶ୍ୟ ଟେଲିଭିଜନ୍‌, ଖବରକାଗଜ ବା ଡିଜିଟାଲ୍‌ ମିଡିଆରେ ଦେଖି ମାନବିକତା ଥିବା  ଯେକୌଣସି ମଣିଷ ତାଟକା ହୋଇ ରହିଛି। ନବେଦଶକରେ ଆରମ୍ଭ ହୋଇଥିବା ବିଶ୍ୱୀକରଣ ଅର୍ଥନୀତି ଯେ, କୋଟି କୋଟି ଶ୍ରମଜୀବୀ ମଣିଷକୁ ଆଜି ସେହି ମେଟ୍ରୋ ନଗରୀମାନଙ୍କରେ ବାନ୍ଧି ରଖିପାରିନାହିଁ ଓ ତା’ର ନିରାପତ୍ତା ପାଇଁ ସେ ନିଜର ଭିଟାମାଟିକୁ ଫେରିଯାଉଛି- ଭୋକ ଶୋଷରେ। ସେ ଜାଣେନାହିଁ ନିଜ ମାଟିରେ ଶାଗ, ପଖାଳ ସେ ପାଇବ କି ନାହିଁ, ତଥାପି ତା’ର ଭରସା ସେହି ଗାଁ ମାଟି ଉପରେ। 

ଏଣୁ ଆଉ ସହରୀ ଅର୍ଥନୀତି ନୁହେଁ, ଗାଁ ମାନଙ୍କରୁ ପେଷିହୋଇ ଇଟାଭାଟି ମାଲିକର ମାଡ଼, ଗାଳି, ହତ୍ୟା ଭଳି ମରଣାତ୍ମକ ଆକ୍ରମଣକୁ ବେଖାତିର କରି ରାଜ୍ୟରୁ ରାଜ୍ୟକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ନିଜ ଅଞ୍ଚଳରେ କିଭଳି ଥଇଥାନ କରାଯାଇପାରିବ ତାହା ଚିନ୍ତା କରିବା ଆଜିପାଇଁ ସବୁଠାରୁ ବଡ଼ ଆହ୍ୱାନ ।

ଓଡ଼ିଶାର ଅନୁସୂଚିତ ଅଞ୍ଚଳ ବିଶେଷକରି କଳାହାଣ୍ଡି ଓ ବଲାଙ୍ଗୀରରେ ଭୂମିହୀନଙ୍କୁ “ ସୁଖବାସୀ” ବୋଲି ଗଣାଯାଏ । ଜମି, ଜମା ପଟ୍ଟାରେ ଏହା ମଧ୍ୟ ଲେଖାଯାଇଛି। ସାଧାରଣ ମଣିଷକୁ କିଭଳି ପ୍ରବଞ୍ଚନା କରାଯାଇଆସୁଛି, ତାହାର ଏହା ଏକ ନମୁନା ମାତ୍ର। ଜମି, ଜମା ଜଞ୍ଜାଳ । ଯାହାର ଜମି ନାହିଁ ସେ “ସୁଖବାସୀ” ବୋଲି ସ୍ପଷ୍ଟି ଲିଖିତ । ଏହାଠାରୁ ବଳି ଚଞ୍ଚକତା କ’ଣ ଆଉ ଥାଇପାରେ!

ଜମି ନଥିଲେ ‘ସୁଖବାସୀ’

୨୦୧୫ରେ କେନ୍ଦ୍ର ସରକାରଙ୍କର ହାଇଦ୍ରାବାଦସ୍ଥିତ ଜାତୀୟ ଗ୍ରାମ୍ୟ ବିକାଶ ସଂସ୍ଥା ପକ୍ଷରୁ ନୂଆପଡ଼ା, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାର ନୂଆପଡ଼ା, ବୋଡେନ, ପାଇକମାଳ, ଝାରବନ୍ଧ ବେଳପଡ଼ା, ତୁରେଇକେଲା, ଜୁନାଗଡ଼, ଓ ଗୋଲମୁଣ୍ଡା ଭଳି ଆଠଟି ବ୍ଲକର ୩୦ଟି ଗ୍ରାମ ପଂଚାୟତରେ ଚାରିଶହ ପରିବାର ସମ୍ପର୍କରେ ଏକ ସର୍ବେକ୍ଷଣ କରାଯାଇଥିଲା। ଏହାର ରିପୋର୍ଟ ୨୦୧୭ ମସିହାରେ ରାଜ୍ୟ ଶ୍ରମ ବିଭାଗକୁ ଦିଆଯାଇଥିଲା । ଏହି ସର୍ବେକ୍ଷଣ ଅନୁସାରେ ସମ୍ପୃକ୍ତ ଚାରୋଟି ଜିଲ୍ଲାରେ “ସୁଖବାସୀ” ପରିବାର ହାରାହାରି ୪୨.୮ଭାଗ ଅଛନ୍ତି । ସୁଖବାସୀମାନଙ୍କ ସହିତ ୧ ଏକରରୁ ୨.୫ ଏକର ଜମି ଥିବା ସବୁ ପରିବାରକୁ ଯଦି ମିଶାଇ ଦେବା ତେବେ ପ୍ରାୟ ୯୯ ଭାଗରୁ ଅଧିକ ଶ୍ରମିକ ହେବେ, ଯେଉଁମାନେ “ଦୁଃଖ ପ୍ରବାସ”ର ଶୀକାର ହୁଅନ୍ତି ।

ଏହି ରିପୋର୍ଟ ଅନୁସାରେ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରେ ଭୂମିହୀନଙ୍କ ସଂଖ୍ୟା ୪୭ ପ୍ରତିଶତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ୩୭ ପ୍ରତିଶତ ଏବଂ ନୂଆପଡ଼ାରେ ୪୦ ପ୍ରତିଶତ। ସେପରି ଏହି ଚାରୋଟି ଜିଲ୍ଲାରେ ଅଢ଼େଇ ଏକରରୁ କମ୍‌ ଭୂମି ଥିବା ତଥା ମଧ୍ୟମ କୃଷକଙ୍କ ସଂଖ୍ୟା ଯଥାକ୍ରମେ ୩୯, ୪୭, ୩୪ ଏବଂ ୪୪ ପ୍ରତିଶତ ରହିଛି। ଏକ ଏକର ପର୍ଯ୍ୟନ୍ତ ଜମି ଥିବା ପରିବାରଙ୍କୁ ନିମ୍ନ ଚାଷୀ ଆଖ୍ୟା ଦିଆଯାଇଛି। ଯେଉଁମାନଙ୍କୁ ନିମ୍ନ ଚାଷୀ ଆଖ୍ୟା ଦିଆଯାଇଛି ସେମାନଙ୍କ ସଂଖ୍ୟା କଳାହାଣ୍ଡିରେ ସର୍ବାଧିକ। ଏଠାରେ ୨୯ ପ୍ରତିଶତ ଚାଷୀ ନିମ୍ନ ଚାଷୀ ବୋଲି କୁହାଯାଉଥିବା ବେଳେ ବଲାଙ୍ଗୀରରେ ଏମାନଙ୍କ ସଂଖ୍ୟା ୨୩ ପ୍ରତିଶତ ଏବଂ ନୂଆପଡ଼ାରେ ଏହି ସଂଖ୍ୟା ୧୬ ପ୍ରତିଶତ ରହିଛି। ଠିକ୍‌ ସେହିପରି ବରଗଡ଼ରେ ୧୪ ପ୍ରତିଶତ ଚାଷୀ ହେଉଛନ୍ତି ନିମ୍ନ ଚାଷୀ ବର୍ଗର।

ଏହି “ଦୁଃଖୀ ପ୍ରବାସୀ ଶ୍ରମିକ”ମାନଙ୍କ ସମ୍ପର୍କରେ ଅଧିକ ଅନୁଶୀଳନ କଲେ ସେମାନଙ୍କ ମଧ୍ୟରେ ହାରାହାରି ୭୦ ଭାଗ କୃଷି ଶ୍ରମିକ ରହିଛନ୍ତି। ବରଗଡ଼ ଜିଲ୍ଲାରେ ସର୍ବାଧିକ ୯୨-୧ ଭାଗ କୃଷୀିଶ୍ରମିକ ଥିବାବେଳେ ବଲାଙ୍ଗୀରରେ ୬୫.୩ ଭାଗ କୃଷି ଶ୍ରମିକ ଏହି ପ୍ରବାସୀ ଅନ୍ତର୍ଭୁକ୍ତ । ବହୁ ପ୍ରଚାରିତ ମାହତ୍ମାଗାନ୍ଧୀ ଗ୍ରାମୀଣ ନିଯୁକ୍ତି ଯୋଜନା ହେଉ ଅବା ଆମ୍ଭମାନଙ୍କର ଧାରଣା ଥିବା ଜଙ୍ଗଲଜାତ ଦ୍ରବ୍ୟ କାରବାର ହେଉ ସେମାନଙ୍କର ଜୀବୀକାର ସୁରକ୍ଷା ଦେଇନାହିଁ ।

ପାରିବାରର ବାର୍ଷିକ ଆୟକୁ ଅନୁଶୀଳନ କଲେ ଜଣାଯାଏ ଯେ, ବରଗଡ଼ରେ ଗୋଟିଏ ପରିବାରର କୃଷିକୁ ଜୀବୀକାର କରି ବର୍ଷକୁ ସର୍ବାଧିକ   ୫ ହଜାର ଟଙ୍କା ଆୟ କରିଥାଏ।  ସେହିଭଳି ବଲାଙ୍ଗୀରରେ ପାରିବାରିକ ଆୟ ୮ ହଜାର, କଳାହାଣ୍ଡିରେ ୭ ହଜାର ୫୦୦ ଏବଂ ନୂଆପଡ଼ାରେ ଗୋଟିଏ ପରିବାର ୫୫୦୦ ଟଙ୍କା ବର୍ଷକୁ ଆୟ କରିଥାଏ।

ବାର୍ଷିକ ପାରିବାରିକ ଆୟ (ଟଙ୍କାରେ)

ଜିଲ୍ଲା କୃଷି ଜଙ୍ଗଲଜାତ ଦ୍ରବ୍ୟ ପ୍ରବାସୀ ଶ୍ରମିକଙ୍କ ଆୟ ମୋଟ ଆୟ
ବରଗଡ଼ ୫୦୦୦ ୨୦୦୦ ୬୦୦୦୦ ୬୭୦୦୦
ବଲାଙ୍ଗୀର ୮୦୦୦ ୧୦୦୦ ୫୨୯୮୦ ୬୯୮୦
କଳାହାଣ୍ଡି ୭୫୦୦ ୫୦୦ ୪୨୦୦୦ ୭୧୦୦୦
ନୂଆପଡ଼ା ୫୫୦୦ ୨୫୦୦ ୬୦୦୦୦ ୬୮୦୦୦

 

ସେହିପରି ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ଗୋଟିଏ ପରିବାର ବର୍ଷକୁ ବରଗଡ଼ରେ ୨ହଜାର ଟଙ୍କା ଆୟ କରୁଥିବା ବେଳେ ବଲାଙ୍ଗୀରରେ ହାରାହାରି ୧୦୦୦ ଟଙ୍କା, କଳାହାଣ୍ଡିରେ ୫୦୦ ଟଙ୍କା ଏବଂ ନୂଆପଡ଼ାରେ ଅଢ଼େଇ ହଜାର ଟଙ୍କା ରୋଜଗାର କରିଥାଏ।

ଏହି ସ୍ଥଳରେ ପ୍ରବାସୀ ଶ୍ରମିକଙ୍କ ବାର୍ଷିକ ଆୟ ବି ତୁଳନା କରାଯାଇପାରେ। ବରଗଡ଼ ଜିଲ୍ଲାରେ ପ୍ରବାସୀ ଶ୍ରମିକ ପରିବାର ବର୍ଷକୁ ୬୦ ହଜାର ଟଙ୍କା ଆୟ କରୁଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ୫୨ହଜାର ୯୮୦ ଟଙ୍କା, କଳାହାଣ୍ଡିରୁ ଦାଦନ ଖଟିବାକୁ ବା ପ୍ରବାସୀ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଯାଇ କାମ କରୁଥିବା ଶ୍ରମିକ ପରିବାର ବର୍ଷକୁ ୪୨ ହଜାର ଟଙ୍କା ଏବଂ ନୂଆପଡ଼ାରୁ ୪୫ ହଜାର ଟଙ୍କା ଆୟ କରୁଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି।

ଅର୍ଥାତ୍‌ କୃଷି, ଜଙ୍ଗଲଜାତ ଦ୍ରବ୍ୟ ଏବଂ ପ୍ରବାସୀ ଖଟୁଥିବା ଶ୍ରମିକଙ୍କ ଆୟକୁ ମିଶାଇଲେ ବଲାଙ୍ଗୀରର ଏକ ଶ୍ରମିକ ପରିବାରର ବାର୍ଷିକ ହାରାହାରି ଆୟ ହେଉଛି ୬୧ ହଜାର ୯୮୦ ଟଙ୍କା। ସେହିପରି ବରଗଡ଼ ଜିଲ୍ଲାରେ ଏକ ଶ୍ରମିକ ପରିବାରର ବାର୍ଷିକ ହାରାହାରି ଆୟ ହେଉଛି ୬୭ ହଜାର ଟଙ୍କା ହୋଇଥିବାବେଳେ କଳାହାଣ୍ଡିରେ ଏକ ପରିବାର ୭୧ ହଜାର ଟଙ୍କା ଏବଂ ନୂଆପଡ଼ାରେ ୬୮ ହଜାର ୨୪୫ ଟଙ୍କା ଆୟ କରିଥାଏ।

ଏହି ଚାରୋଟି ଜିଲ୍ଲାର ଆଠଟି ବ୍ଲକର ଚାରିଶହ ପରିବାର ଉପରେ କରାଯାଇଥିବା ସର୍ଭେ ଅନୁସାରେ ସେମାନଙ୍କର ଜୀବନଧାରଣର ମାନଦଣ୍ଡ ଯାହା ଜଣାପଡ଼େ ସେଥିରୁ ମଣିଷ ଭଳି ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଏହିଭଳି ଦଳିତ, ଆଦିବାସୀ, ପଛୁଆ ବର୍ଗର ସାଧାରଣ ମଣିଷମାନଙ୍କ ପାଇଁ କିଭଳି ଦିବା ସ୍ୱପ୍ନ ତା’ର ସ୍ପଷ୍ଟ ପ୍ରମାଣ ମିଳେ ।

ଏହି ହିସାବ କେବଳ ତାଙ୍କ ପାରିବାରିକ ସ୍ଥିତିକୁ ଦର୍ଶାଉ ନାହିଁ ବରଂ  ଇତିହାସର ପ୍ରତିଟି ପୃଷ୍ଠାରେ ତାଙ୍କ ପ୍ରତି ହେଉଥିବା   ଅନ୍ୟାୟକୁ ପରଦାଫାସ କରୁଛି ।

ହାରାହାରି ଭାବେ ଏହି ଅଂଚଳରେ ଗୋଟିଏ ପରିବାର ୪.୫୮ ଜଣିଆ ସଦସ୍ୟ ବିଶିଷ୍ଟ । ଅର୍ଥାତ୍‌ ପ୍ରତି ପରିବାରରେ ପ୍ରାୟ ୫ ଜଣ ଲୋକ ରହନ୍ତି। କିନ୍ତୁ ପ୍ରବାସୀ ଶ୍ରମିକ ଭାବେ ରୋଜଗାରକୁ ବାଦ ଦେଲେ ଗୋଟିଏ ପରିବାରର ହାରାହାରି ବାର୍ଷିକ ଆୟ ହେଉଛି ମାତ୍ର  ଛଅ ହଜାର ପାଞ୍ଚ ଶହ ଟଙ୍କା  । ଖାଦ୍ୟ ସୁରକ୍ଷା ଯୋଜନା ଠାରୁ ଆରମ୍ଭ କରି ଇନ୍ଦିରା ଆବାସ ଗୃହ ଅବା ମଧ୍ୟାହ୍ଣ ଭୋଜନ ଭଳି ସରକାରୀ କଲ୍ୟାଣକାରୀ ଯୋଜନାରୁ ବି ଏହି ନୀରୀହ ଜନତା ଉପେକ୍ଷାର ଶୀକାର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ହିସାବ କହୁଛି ୨୫ ଭାଗ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରୁ ବାହାରେ ଥିବା ବେଳେ ସ୍ୱାସ୍ଥ୍ୟବୀମା ଯୋଜନାରେ ୮୦ ଭାଗ ସାମିଲ ନୁହଁନ୍ତି । ୪୨ ଭାଗ ପରିବାରଙ୍କର ଜମି ବାଡ଼ି ନାହିଁ । ମହାତ୍ମା ଗାନ୍ଧୀ ଗ୍ରାମୀଣ ଯୋଜନାରେ ଯେଉଁ ଅବଶିଷ୍ଟ ପରିବାର କାମ ପାଆନ୍ତି, ତାହା ମଧ୍ୟ ଉପହାସ ବୋଲି କୁହାଯାଇପାରେ। 

ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା

ମହାତ୍ମାଗାନ୍ଧି  ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା ଓଡ଼ିଶାରେ ବାସ୍ତବରେ କେମିତି ଚାଲିଛି ତାହାର ଅନୁଶୀଳନ କରିବା ଲାଗି ବରଗଡ଼ ଜିଲ୍ଲାର ଝାଡ଼ବନ୍ଧ ବ୍ଲକ୍‌କୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ। ୨୦୨-୧୩ ଆର୍ଥିକ ବର୍ଷରେ ଏଠାରେ ତାଲିକାଭୁକ୍ତ ପ୍ରବାସୀ ଶ୍ରମିକ ପରିବାର  ହାରାହାରି ୨୦ ଦିନର କାମ ପାଇଥିଲେ। ୨୦୩-୧୪ରେ ଏହି ଦିନ ସଂଖ୍ୟା ୩୫ ଦିନ ଥିବା ବେଳେ ୨୦୪-୧୫ରେ ୫ ଦିନ, ୨୦୧୫-୧୬ରେ ୩୦ ଦିନ ଏବଂ ୨୦୧୭-୧୮ରେ ୨୮ ଦିନ ଥିଲା। 

ସେହିପରି ପାଇକମାଳ ବ୍ଲକ୍‌ରେ୨୦୧୨-୧୩ ଆର୍ଥିକ  ବର୍ଷରେ ପ୍ରବାସୀ ଶ୍ରମିକ ପରିବାର ୨୩ ଦିନ କାମ ପାଇଥିବା ବେଳେ ୨୦୩-୧୪ରେ ୨୪ ଦିନ, ୨୦୪-୧୫ରେ ୫ ଦିନ, ୨୦୫-୧୬ରେ ୨୪ ଦିନ ଏବଂ ୨୦୧୬-୧୭   ବର୍ଷରେ ୩୦ ଦିନ ରହିଛି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ରିପୋର୍ଟ ଆଧାରରେ ଏହି ତଥ୍ୟ ପ୍ରକାଶ କରାଯାଇଛି।

ସାମାଜିକ ସୁରକ୍ଷା

ସାମାଜିକ ସୁରକ୍ଷା ଯୋଜନାରେ ୧୫ ଭାଗ ପରିବାର ହାତରେ ଶ୍ରମିକ କାର୍ଡ଼ ରହିଛି । ୭୦ ଭାଗ ସମନ୍ୱିତ ଶିଶୁ ବିକାଶ ଯୋଜନାରୁ ବାଦ ପଡ଼ିଛନ୍ତି । ୭୯ ଭାଗ ପରିବାର ଇନ୍ଦିରା ଆବାସ ଗୃହ ଯୋଜନାରୁ ବଞ୍ଚିତ।

ଏହି ଅଂଚଳରେ୮୦ଭାଗରୁ ଅଧିକ ପରିବାର କୋଠା ଘରେ ରହିବାର ସୁଯୋଗରୁ ବଂଚିତ ଓ ସେହିପରି ବୁଦ୍ୟୁତବତୀ ଜାଳୁନଥିବା ପରିବାର ପରିବାର ସଂଖ୍ୟା ହାରାହାରି ୬୫ ଭାଗ।ବରଗଡ଼ ଜିଲ୍ଲଳାରେ ସର୍ବାଧିକ ୭୬ ଭାଗ ପରିବାର ଓ ନୂଆପଡ଼ା ଜିଲ୍ଲାରେ ସର୍ବାଧିକ ୫୪ ଭାଗ ପରିବାର ଏକବିଂଶ ଶତାବ୍ଦିରେ ମଧ୍ୟ ବିଜୁଳି ଆଲୁଅରୁ ବଂଚିତ।

କବିର କବିତା ବାସ୍ତବପକ୍ଷେ କଳ୍ପନା ବିଳାଶରୁ ନୁହେଁ ଏତେ ବାସ୍ତବମୁଖୀ-

ଧିକ ସେ ସଂସାର ପ୍ରବଳର ଯହିଁ ସବୁଥିରେ ସୁଯୋଗ
ଦୁର୍ବଳର ଯହିଁ ଲଲାଟେ ଲିଖନ ନୀରବେ, ଲାଂଛନା ଭୋଗ

ଅର୍ଥ ନେଣ-ଦେଣ ବ୍ୟବସ୍ଥା ଉପରେ ଆଲୋଚନା ପାଇଁ ଏହା ପ୍ରଯୁଜ୍ୟ । ରାଜ୍ୟ ସ୍ତରରେ ଆଇନ ଓ ଅନୁସୂଚିତ ଅଂଚଳରେ ନିର୍ଦ୍ଦିଷ୍ଟ ଆଇନ ଥିଲେ ମଧ୍ୟ ହାତ ଉଧାରି ନେଲେ ମାସିକ ଦଶ ପ୍ରତିଶତ ସୁଧ ଦେବାକୁ ପଡ଼ୁଛି । ଏହାର ସୁଯୋଗ ନେଉଛନ୍ତି “ଦାଦନ ସର୍ଦ୍ଦାରମାନେ”ସେମାନେ ବିନା ସୁଧରେ ଋଣ ଦେଲେ ମଧ୍ୟ ପ୍ରବାସୀ ଶ୍ରମିକ ଭାବେ କାମ କରିବାକୁ ଯିବା ପାଇଁ ଚୁକ୍ତି କରାଇ ନେଉଛନ୍ତି । ପ୍ରତିବର୍ଷ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ପର୍ବ ପର୍ବାଣୀ ବାବଦକୁ ଖର୍ଚ୍ଚ ପାଇଁ ଏହି ପରିବାର ଗୁଡ଼ିକ ସର୍ବନିମ୍ନ ୫୦ ହଜାର ଟଙ୍କାରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଆଣି ଚକ୍ରବ୍ୟୁହରେ ପଡ଼ିଆସୁଛନ୍ତି ।

ଶେଷ କଥା 
ଏଣୁ ଆଜି ଯେଉଁମାନେ ଫେରିଆସସିଛନ୍ତି, ସେମାନଙ୍କ ପାଇଁ ସମୟବଦ୍ଧ ଅନ୍ତତଃ ପକ୍ଷେ ଏକ ପାଂଚ ବର୍ଷିଆ ଯୋଜନା କରାଯାଇପାରେ । ପ୍ରତ୍ୟକ ପରିବାର ପାଇଁ ଚାଷଜମି ସର୍ବନିମ୍ନ ୫ ଏକର ପର୍ଯ୍ୟନ୍ତ ଯୋଗାଇ ଦିଆଯାଉ । ଜଙ୍ଗଲଜାତ ଦ୍ରବ୍ୟ ଉପରେ ଜୀବୀକା ପାଇଁ ମହୁଆ ସହିତ ଅନ୍ୟାନ୍ୟ ଜଙ୍ଗଲ ସୃଷ୍ଟି କରାଯାଇ ପ୍ରତି ପ୍ରବାସୀ ଶ୍ରମିକ ପରିବାରଗୁଡ଼ିକୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ସାମିଲ କରାଯାଇ କୃଷି ଋଣ ଦେବାର ବ୍ୟବସ୍ଥା କରାଯାଉ । ଶିକ୍ଷା, ସ୍ୱାସ୍ଥ୍ୟ ଇତ୍ୟାଦି ବାବଦରେ ସେମାନଙ୍କର ସମସ୍ତ ଖର୍ଚ୍ଚକୁ ସରକାର ବହନ କରିବା ବ୍ୟବସ୍ଥା ହେଉ । ଏଥିସହ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଯୁକ୍ତି ଯୋଜନାର ମୂଲ ଠିକ ପ୍ରତି ସପ୍ତାହାନ୍ତରେ ପ୍ରଦାନ ନିଶ୍ଚିତ କରାଯାଉ।  ସର୍ବନିମ୍ନ ଭାବେ ଦୁଇଶହ ଦିନ କାମ ଏବଂ ନିଶ୍ଚିତ ଭାବେ ଜୁନ ମାସରୁ ଡିସେମ୍ବର ମାସ ଭିତରେ କାର୍ଯ୍ୟ ଯୋଗାଇ ଦିଆଯାଉ । କାରଣ ଏହି ସମୟ ମଧ୍ୟରେ ଏ ଅଂଚଳର ଗରିବ ଲୋକମାନେ ଦାଦନ ଖଟିବାକୁ ଦଲାଲଙ୍କ ମାଧ୍ୟମରେ ପ୍ରବାସକୁ ଯାଇଥାଆନ୍ତି ।

ଚାଷ ଜମିକୁ କ୍ଷୁଦ୍ର ଜଳସେଚନ ମାଧ୍ୟମରେ ଜଳସେଚିତ କରାଯିବା ସହ ଯୁବକମାନଙ୍କୁ ସେମାନଙ୍କର ଆଗ୍ରହ ଓ ଋଚି ଅନୁସାରେ କିଛି କୁଶଳୀ ତାଲିମ ପ୍ରଦାନ କରାଯାଇ ଆତ୍ମ ନିଯୁକ୍ତି ପାଇଁ ଡିଆଇଆଣ ସ୍କିମ ମାଧ୍ୟମରେ ସହଜ କିସ୍ତିରେ ଦୀର୍ଘ ମିଆଦି ଋଣ ପ୍ରଦାନର ବ୍ୟବସ୍ଥା କରାଯାଉ। 

ସର୍ବୋପରି ଖାଦ୍ୟ ସୁରକ୍ଷା ଯୋଜନା ଏପରି ହେବା ଆବଶ୍ୟକ ଯେ ଖାଦ୍ୟ ବାବଦରେ ସେମାନେ ଯେଭଳି ନିଜ ରୋଜଗାରରୁ ଗୋଟି, ଟଙ୍କା ବି ଖର୍ଚ୍ଚ କରିବେ ନାହିଁ । ସର୍ବନିମ୍ନ ଭାବେ ଖାଦ୍ୟ ଶସ୍ୟ ଭାବେ ଚାଉଳ ସବୁ ପରିବାରକୁ ଯଥେଷ୍ଟ ପରିମାଣରେ ଯୋଗାଇ ଦିଆଯାଉ । ଏଥିପାଇଁ ପଂଚାୟତରାଜ ଅନୁଷ୍ଠାନ ଗୁଡ଼ିକୁ ସାମିଲ କରାଯିବା ସହିତ ଜଙ୍ଗଲ ସୁରକ୍ଷା କମିଟି, ସ୍ୱୟଂ ସହାୟକ ଗୋଷ୍ଠି ଗୁଡ଼ିକୁ ଦକ୍ଷତା ବିକାଶ ତାଲିମ, ସୁଦୃଢ ସକ୍ରିୟ କରିବା ପାଇଁ ସରକାରୀ ନିଷ୍ପତ୍ତି ହୋଇ ମିଶନ ମୋଡ଼ରେ କାର୍ଯ୍ୟକାରୀ କରାଯାଉ ।

ଲେଖକ ଜଣେପ୍ରତିଷ୍ଠିତ ଆଇନଜୀବୀ ଓ ମାନବାଧିର କର୍ମୀ। ଏହି ସନ୍ଦର୍ଭରେ ଉପସ୍ଥାପିତ ଯୁକ୍ତି ତାଙ୍କ ବ୍ୟକ୍ତିଗତ ଅନୁଶୀଳନ ଉପରେ ଆଧାରିତ। 

Leave a Reply

Your email address will not be published. Required fields are marked *