କାହାପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼: ରାଜ୍ୟର ୭୫ ପ୍ରତିଶତ ଗାଁରେ ନାହିଁ ସ୍ୱାସ୍ଥ୍ୟକେନ୍ଦ୍ର, ଦେଶରେ ତଳଆଡ଼ୁ ତିନି ନମ୍ବର
ଭୁବନେଶ୍ୱର, (ହରିହର ପଣ୍ଡା) : ସ୍ୱାସ୍ଥ୍ୟସେବା ଲାଗି ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ଘୋଷଣା କରି ଚାଲିଛନ୍ତି । ବର୍ଷକୁ ବର୍ଷ ସ୍ୱାସ୍ଥ୍ୟସେବାର ବିକାଶ ଲାଗି ସରକାର ବଜେଟ୍ ପରିମାଣ ମଧ୍ୟ ବଢ଼ାଉଛନ୍ତି । ଚଳିତ ବର୍ଷ ବଜେଟ୍ରେ ପ୍ରାୟ ୧୯ ପ୍ରତିଶତ ଅଧିକ ପାଣ୍ଠି ସ୍ୱାସ୍ଥ୍ୟ ବିଭାଗକୁ ଦିଆଯାଇଛି । ତଥାପି ବଦଳୁ ନାହିଁ ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି । ଏପରିକି ଗ୍ରାମବାସୀଙ୍କୁ ପ୍ରାଥମିକ ସେବା ଯୋଗାଇବାରେ ବିଫଳ ହେଉଛନ୍ତି ରାଜ୍ୟ ସରକାର । ଦେଶର ୨୮ଟି ରାଜ୍ୟ ଭିତରୁ ଆମ ରାଜ୍ୟ ଓଡ଼ିଶା ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ୨୬ତମ ସ୍ଥାନ ଦଖଲ କରିଛି । ଅର୍ଥାତ୍ ଦେଶର ତାଲିକାରେ ତଳଆଡ଼ୁ ତିନିନମ୍ବର ସ୍ଥାନରେ ରହିଛି ଓଡ଼ିଶା । ଏହାର କାରଣ ହେଉଛି ରାଜ୍ୟର ୭୫ ପ୍ରତିଶତ ଗାଁରେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ ।
ଆମ ରାଜ୍ୟଠୁ ଜନସଂଖ୍ୟା ଓ ଆୟତନରେ ବିଶାଳ ହୋଇଥିବା ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ପ୍ରଦର୍ଶନ ଏ କ୍ଷେତ୍ରରେ ଆମଠୁ ପଛୁଆ ରହିଛନ୍ତିି । କିନ୍ତୁ ଆମ ପଡ଼ୋଶୀ ବିହାର, ଝାଡ଼ଖଣ୍ଡ ପରି ରାଜ୍ୟ ଯେଉଁଠାରେ ରାଜନୀତିକ ଅସ୍ଥିରତା ଲାଗି ରହେ ସେସବୁ ରାଜ୍ୟ ନିଜର ଗାଁ ଗଣ୍ଡାରେ ସ୍ୱାସ୍ଥ୍ୟସେବା ଯୋଗାଇବା କ୍ଷେତ୍ରରେ ଓଡ଼ିଶାଠୁ ଯଥେଷ୍ଟ ଆଗୁଆ ରହିଛନ୍ତି ।
ସରକାରଙ୍କ ପଞ୍ଚାୟତିରାଜ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ସବୁଦାୟ ୫୩୮୪୮ଟି ଗାଁ ରହିଛି । ଭାରତ ସରକାରଙ୍କ ତଥ୍ୟ ଅନୁସାରେ ଏଥିରୁ ୪୦ହଜାର ୩୨୮ଟି ଗାଁରେ କୌଣସି ସ୍ୱାସ୍ଥ୍ୟ କେନ୍ଦ୍ର ନାହିଁ । ଅର୍ଥାତ୍ ରାଜ୍ୟର ପ୍ରାୟ ୭୫ ପ୍ରତିଶତ ଗାଁରେ ସରକାର ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବାରେ ବିଫଳ ହୋଇଛନ୍ତି ।
ଆଉ ଏକ ଗୁରୁତ୍ୱପୂଣ୍ଣ କଥା ହେଉଛି ଯେଉଁ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି ସେ ଜିଲ୍ଲାର ସମୁଦାୟ ୧୦୪୮ ଗାଁ ଭିତରୁ ୮୪୨ଟି ଗାଁରେ ଅର୍ଥାତ୍ ୮୦ ପ୍ରତିଶତରୁ ଅଧିକ ଗାଁରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଆଜି ବି ଅପହଞ୍ଚ । ପୁଣି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀଥିବା ଜିଲ୍ଲା ଅର୍ଥାତ୍ ଗଞ୍ଜାମ ଜିଲ୍ଲା ୨୩୯୧ ଗାଁରେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ । ଏହି ଜିଲ୍ଲାରେ ସମୁଦାୟ ଗାଁ ସଂଖ୍ୟା ହେଉଛି ୩୨୫୦ । ଅର୍ଥାତ୍ ୨୦ ବର୍ଷରୁ ଅଧିକ ସମୟ କାଳ ଏହି ଜିଲ୍ଲାର ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ହେଉଥିଲେ ମଧ୍ୟ ମାତ୍ର ୮୫୯ଟି ଗାଁରେ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନାରେ ସମର୍ଥ ହୋଇପାରିଛନ୍ତି । ଏବେ ବି ୭୪ ପ୍ରତିଶତ ଲୋକ ପ୍ରାଥମିକ ଚିକିତ୍ସା ପାଇଁ ପାରମ୍ପରିକ ଶୈଳୀଉପରେ ନିର୍ଭର କରିବାକୁ ବାଧ୍ୟ ନହେଲେ ଗୁଣିଗାରେଡି ବା କ୍ୱାକ୍ଙ୍କ ପ୍ରାଦୂର୍ଭାବ ସହି ନିଜ ରୋଗକୁ ଅନେକ ଗୁଣା ବଢ଼ାଇବାକୁ ବାଧ୍ୟ ହୁଅନ୍ତି ।
ସଂଗୃହୀତ ତଥ୍ୟ ଅନୁସାରେ ଅୟତନ ଦୃଷ୍ଟିରୁ ସବୁଠାରୁ ବଡ଼ ମୟୂରଭଞ୍ଜର ୭୬ ପ୍ରତିଶତରୁ ଅଧିକ ଗାଁରେ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ । ଏଠାରେ ସମୁଦାୟ ଗାଁ ସଂଖ୍ୟା୩୯୬୬ ହୋଇଥିବା ବେଳେ ୩୦୩୭ ଗାଁରେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନଥିବା ଅନ୍ତ୍ୟୋଦୟ ଯୋଜନାର ସର୍ବେକ୍ଷଣୁ ସ୍ପଷ୍ଟ ହୋଇଛି ।
ଠିକ୍ ସେହିଭଳି ଝାରସୁଗୁଡ଼ା ଜିଲ୍ଲାର ୩୦୨ ଗାଁରେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନଥିବା ବେଳେ ନୂଆପଡ଼ାରେ ୫୫୧, ଦେବଗଡ଼ରେ ୬୫୩, ନବରଙ୍ଗପୁରରେ ୬୫୬, ବୌଦ୍ଧରେ ୬୬୮, ସୋନପୁରରେ ୮୬୩, ଭଦ୍ରକରେ ୯୪୭, ସମ୍ବଲପୁରରେ ୧୦୦୮, ବରଗଡ଼ରେ ୧୦୧୩, ଜଗତସିଂହପୁରରେ ୧୦୧୪, କେନ୍ଦ୍ରାପଡ଼ାରେ ୧୦୪୩, ଢେଙ୍କାନାଳରେ ୧୦୪୫, ଖୋର୍ଦ୍ଧାରେ ୧୨୧୨, ଗଜପତିରେ ୧୩୦୩, ପୁରୀରେ ୧୩୫୫, ସୁନ୍ଦରଗଡ଼ରେ ୧୩୬୩, ଯାଜପୁରରେ ୧୪୪୪ ନୟାଗଡ଼ରେ ୧୪୫୦, କୋରାପୁଟରେ ୧୪୮୬, ଅନୁଗୁଳରେ ୧୫୧୨, ବାଙ୍ଗୀରରେ ୧୫୧୯, କେନ୍ଦୁଝରରେ ୧୬୫୨, କଟକରେ ୧୬୮୪, କଳାହାଣ୍ଡିରେ ୧୮୫୭, ବାଲେଶ୍ୱରରେ ୨୧୪୭, ରାୟଗଡ଼ାରେ ୨୧୫୧ ଏବଂ କନ୍ଧମାଳ ଜିଲ୍ଲାର ୨୧୬୦ ଟି ଗାଁରେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ ।
ଏବେ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ କାର୍ଡ଼ ଏହି ଲୋକଙ୍କ କି ସେବା କରିବ? ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ଏକ ପ୍ରକାର ବୀମା କାର୍ଡ଼ । ହେଲେ ଏଥିଲାଗି ଆବଶ୍ୟକ ବୀମା ରାଶି ସରକାର ଭରଣା କରନ୍ତି । ବିଶେଷ କରି ଘରୋଇ ହସ୍ପିଟାଲ୍ରେ ଚିକିତ୍ସା ହେବା ଲାଗି ଏହି କାର୍ଡ଼ ସୁବିଧା ପ୍ରଦାନ କରିଥାଏ । କାରଣ ସରକାରୀ ହସ୍ପିଟାଲ୍ରେ ଚିକିତ୍ସା ସରକାରଙ୍କ ପକ୍ଷରୁ ସମ୍ପୂଣ୍ଣ ମାଗଣା କରାଯାଇଛି । ଏଣୁ ଯେଉଁ ୧୩୫୩ କୋଟି ଟଙ୍କାର ବ୍ୟୟବରାଦ ସରକାର କରିଛନ୍ତି ତାହା କେବଳ ଘରୋଇ ହସ୍ପିଟାଲ୍କୁ ପ୍ରଦାନ କରିବା ଲାଗି ଉଦ୍ଦିଷ୍ଟ । ଯଦି ସରକାର ପ୍ରାଥମିକ ସ୍ତରରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଅନ୍ତେ ତେବେ ଜନସାଧାରଣଙ୍କ ରୋଗ ଜଟିଳ ହୁଅନ୍ତା ନାହିଁ କି ତାଙ୍କୁ ଘରୋଇ ହସ୍ପିଟାଲ୍କୁ ନେବାର ବୋଝ ଏତେ ପରିମାଣରେ ବୋହିବାକୁ ପଡ଼ନ୍ତା ନାହିଁ ।