‘ମହା’ ରାଜନୀତି: କଣ ହେବ ଆଗକୁ, କଣ କରିବେ ଉଦ୍ଧବ ଠାକରେ ?

ପ୍ରବଳ ପରିଶ୍ରମ କରି ସେ ସୃଷ୍ଟି କରିଥିଲେ ତାଙ୍କ ପରିବାରର ପରିଚୟ । ମରାଠୀ ଅସ୍ମିତା ଏବଂ ହିନ୍ଦୁତ୍ବ ବିଚାରଧାରାକୁ ମୂଳଦୁଆ କରି ଶିବସେନାକୁ ପରିଚିତ ଏବଂ ପ୍ରତିଷ୍ଠିତ କରାଇଥିଲେ । ଆଞ୍ଚଳିକ ରାଜନୈତିକ ଦଳ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ବାଲାସାହେବ ଠାକରେଙ୍କ ଶିବସେନା, ମହାରାଷ୍ଟ୍ର ରାଜନୀତିରେ ବେଶ ଦବଦବା ରଖିଥିଲା । ଶିବସେନା କହିଲେ ମାତୋଶ୍ରୀର ଠାକରେ ପରିବାରକୁ ହିଁ ବୁଝାଉଥିଲା । କିନ୍ତୁ ଏବେ ଶିବସେନା ହରାଇଛି ବାଲାସାହେବ ଲିଗାସି ଏବଂ ପ୍ରଭାବିତ ହୋଇଛି ମାତୋଶ୍ରୀର ଠାକରେ ପରିବାରର ରାଜନୈତିକ ପରିଚୟ । କଣ ହେବ ଆଗକୁ… କଣ କରିବେ ଉଦ୍ଧବ ଠାକରେ ?

ମୁଖ୍ୟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଅନୁଯାୟୀ ଶିବସେନାର ମୂଳ ନାମ ଏବଂ ଧନୁ-ତୀର ଚିହ୍ନ ଏକନାଥ ସିନ୍ଦେ ଗୋଷ୍ଠୀକୁ ମିଳିଛି । ଅର୍ଥାତ ମରାଠୀଙ୍କ ରାଜନୈତିକ ଭାଷାରେ ଏକନାଥ ଗୋଷ୍ଠୀ ହିଁ ପ୍ରକୃତ ଶିବସୈନିକ । ଘର ଢ଼ିଙ୍କି କୁମ୍ଭୀର ଭଳି ପ୍ରଥମେ ନିଜ ଦଳର ନେତାଙ୍କ ବିଦ୍ରୋହର ଶିକାର ହେଲେ ଉଦ୍ଧବ ଠାକରେ । ମୁଖ୍ୟମନ୍ତ୍ରୀ ପଦ ଗଲା… ଆଉ ଏବେ ବାପା ବାଲ୍ ଠାକରେ ପରିଶ୍ରମ କରି ଯେଉଁ ପରିଚୟ ରଖି ଯାଇଥିଲେ… ସେ ଟିକକ ବି ହରାଇଲେ । ଉଦ୍ଧବ ଗୋଷ୍ଠୀର କହିବା କଥା, ନିର୍ବାଚନ କମିଶନ ପକ୍ଷପାତିତା କରିଛନ୍ତି । ବିଜେପିର ଏଜେଣ୍ଟ ସାଜିଛନ୍ତି ନିର୍ବାଚନ କମିଶନ । କମିଶନଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟ ଯିବାକୁ କହିଲାଣି ।…

ଆଠ ମାସ ତଳେ ଗତବର୍ଷ ଜୁନ୍ ମାସରେ ଉଦ୍ଧବ ଠାକରେ ଗୋଷ୍ଠୀ ଠାରୁ ବିଦ୍ରୋହ କରି ଦୂରେଇ ଯାଇଥିଲେ ଏକନାଥ ସିନ୍ଦେ ଗୋଷ୍ଠୀ । ୫୬ ବିଧାୟକଙ୍କ ମଧ୍ୟରୁ ୪୦ ଏବଂ ୧୮ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୩ ଜଣଙ୍କ ସମର୍ଥନ ଥିବା ଦାବି କରିଥିଲେ ଏକନାଥ ସିନ୍ଦେ । ପରେ ବିଜେପି ସହ ମିଶି ସରକାର ଗଢ଼ିଥିବା ବେଳେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ବିଜେପି ନେତା ଦେବେନ୍ଦ୍ର ଫଡ଼ନଭିସ୍ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ । ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଦଳୀୟ ନାମ ଓ ଚିହ୍ନକୁ ନେଇ ବିବାଦ ଦେଖା ଦେଇଥିଲା । ନିର୍ବାଚନ କମିଶନ, ଏକନାଥ ସିନ୍ଦେ ଗୋଷ୍ଠୀକୁ ଦୁଇଟି ଖଣ୍ଡା ଓ ଢାଲ ଚିହ୍ନ ଏବଂ ଉଦ୍ଧବ ଠାକରେ ଗୋଷ୍ଠୀକୁ ମଶାଲ ଚିହ୍ନ ଦେଇଥିଲେ । ମୂଳ ନାମ ଓ ଚିହ୍ନ ଦାବିରେ ଗତ ନଭେମ୍ବରରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା ଉଦ୍ଧବ ଠାକରେ ଗୋଷ୍ଠୀ । ଦିଲ୍ଲୀ ହାଇକୋର୍ଟ ଆବେଦନକୁ ଖାରଜ କରିଦେବା ପରେ ନିର୍ବାଚନ କମିଶନଙ୍କ ନିକଟରେ ମୂଳ ନାମ ଓ ଚିହ୍ନ ପାଇଁ ଦାବି କରିଥିଲା ଏକନାଥ ସିନ୍ଦେ ଗୋଷ୍ଠୀ । ନିର୍ବାଚନ କମିଶନଙ୍କ କହିବା କଥା, ଶିବସେନାର ଥିବା ବର୍ତ୍ତମାନର ଦଳୀୟ ସମ୍ବିଧାନ ଅଗଣତାନ୍ତ୍ରିକ । ବାଲାସାହେବ ଠାକରେ ଥିବା ବେଳେ ୧୯୯୯ରେ ଯେଉଁ ଦଳ ପାଇଁ ଯେଉଁ ସମ୍ବିଧାନ ପ୍ରଣୟନ କରିଥିଲେ ତାହା ଗଣତାନ୍ତ୍ରିକ ଥିଲା । କିନ୍ତୁ ଉଦ୍ଧବ ଠାକରେ ୨୦୧୮ରେ ସଂଶୋଧନ ଆଣିଛନ୍ତି ତାହା ତାହା ଆଦୌ ଗଣତାନ୍ତ୍ରିକ ନୁହେଁ । କମିଶନଙ୍କ ହିସାବରେ ୨୦୧୯ ନିର୍ବାଚନରେ ଶିବସେନାକୁ ମିଳିଥିଲା ୫୫ ବିଧାନସଭା ଏବଂ ୧୮ ଲୋକସଭା ଆସନ । ତେବେ ବିଦ୍ରୋହ ପରେ ସିନ୍ଦେ ଗୋଷ୍ଠୀ ପାଖରେ ୪୦ ବିଧାୟକ ଏବଂ ୧୩ ସାଂସଦଙ୍କ ସମର୍ଥନ ରହିଛି । ଶିବସେନାକୁ ୪୭ ଲକ୍ଷ ୮୨ ହଜାର ୪୪୦ ଖଣ୍ଡ ଭୋଟ ମିଳିଥିଲା । ସେଥିରୁ ସିନ୍ଦେ ଗୋଷ୍ଠୀର ୪୦ ବିଧାୟକଙ୍କୁ ମିଳିଛି ୩୬ ହଜାର ୫୭ ହଜାର ୩୨୭ ଖଣ୍ଡ ଭୋଟ, ଯାହାକି ମୋଟ ଭୋଟର ୭୬ ପ୍ରତିଶତ । ଅପରପକ୍ଷରେ ଉଦ୍ଧବ ଠାକରେ ଗୋଷ୍ଠୀ ପାଖରେ ଥିବା ୧୫ ବିଧାୟକଙ୍କ ଭୋଟ ହେଉଛି ୧୧ ଲକ୍ଷ ୨୫ ହଜାର ୧୧୩ ଖଣ୍ଡ । ତେଣୁ ଏଭଳି ସ୍ଥିତିରେ ଏକନାଥ ସିନ୍ଦେ ଗୋଷ୍ଠୀକୁ ଶିବସେନା ନାମ ଓ ଧନୁତୀର ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ କମିଶନ । ଯାହାକୁ ନେଇ ସିନ୍ଦେ ଗୋଷ୍ଠୀର ଖୁସି କହିଲେ ନସରେ ।…

ବିଜେପି ସହ ମେଣ୍ଟ କରି ୨୦୧୯ ନିର୍ବାଚନ ଲଢ଼ିଥିଲା ଶିବସେନା । ମହାରାଷ୍ଟ୍ରର ଭୋଟର ବିଜେପିକୁ ବଡ଼ ଭାଇ ପଦରେ ରଖିଥିବା ବେଳେ ଶିବସେନାକୁ ସାନଭାଇ ଭୂମିକା ଦେଇଥିଲେ । କିନ୍ତୁ ସରକାର ଗଢ଼ିଲା ବେଳକୁ ଖେଳ ବଦଳିଗଲା । ଅଧା-ଅଧା କରି ରାଜ୍ୟ ଶାସନର ନେତୃତ୍ବ ନେବାକୁ ନିର୍ବାଚନ ପୂର୍ବରୁ କଥା ହୋଇଥିଲା କହିଲା ଶିବସେନା । ଯାହାକୁ ବିଜେପି ଗ୍ରହଣ କରି ନଥିଲା । ଯେଉଁଥି ପାଇଁ ଏନସିପି ଓ କଂଗ୍ରେସ ସହ ମିଶି ଶିବସେନା ଗଢ଼ିଲା ସରକାର । ଉଦ୍ଧବ ଠାକରେ ହଲେ ମୁଖ୍ୟମନ୍ତ୍ରୀ । ସେବେଠାରୁ ହିଁ ଧୂଳିଆ ଜନ୍ଦା ହୋଇ ଶିବସେନା ପଛରେ ପଡ଼ିଥିଲା ବିଜେପି । ଆଉ ଶେଷରେ ଗତବର୍ଷ ଜୁନ୍ ମାସରେ ସଫଳ ହୋଇଛି ଅପରେସନ୍ ଲୋଟସ୍ । ଖାଲି ଅପରେସନ୍ ଲୋଟସ୍ ସଫଳ ହୋଇନି ବରଂ ଠାକରେ ପରିବାରରୁ ସବୁଦିନ ପାଇଁ ହଟି ଯାଇଛି ବାଲା ସାହେବ ଠାକରେଙ୍କ ଶିବସେନା ଲିଗାସି । ଏଭଳି ସ୍ଥିତିରେ ମରାଠା ଟାଇଗର୍ ସ୍ବର୍ଗତ ବାଲାସାହେବ ଠାକରେଙ୍କ ପୁଅ ଉଦ୍ଧବ ଠାକରେଙ୍କ ସହ ଛିଡ଼ା ହୋଇଛନ୍ତି ମରାଠା ଷ୍ଟ୍ରଙ୍ଗ ମ୍ୟାନ୍ ତଥା ଏନସିପି ବସ୍ ଶରଦ ପାୱାର । ଚିହ୍ନକୁ ନେଇ ଚିନ୍ତା କରିବାର କିଛି କାରଣ ନାହିଁ । କାରଣ ଏହା ୨୦-୩୦ ଦିନର କଥା । ମହାରାଷ୍ଟ୍ରର ଜନତା ଠିକ ଜାଣିଛନ୍ତି । ତେଣୁ କିଛି କ୍ଷତି ହେବନି, ବରଂ ଅଧିକରୁ ଅଧିକ ଲାଭ ହେବ ବୋଲି ଉଦ୍ଧବ ଠାକରେଙ୍କୁ କହିଛନ୍ତି ଶରଦ ପାୱାର । ଯୋଡ଼ା ବଳଦରୁ ହାତ ଚିହ୍ନକୁ ଆସିବା ବେଳେ କଂଗ୍ରେସ ବି ଏଭଳି ପ୍ରତିକ୍ରିୟା କରିଥିଲା । ଇନ୍ଦିରା ଗାନ୍ଧି ଅନେକ ମାତ୍ରାରେ ବିବ୍ରତ ହୋଇ ପଡ଼ିଥିଲେ । କିନ୍ତୁ ପରେ ଦେଶବାସୀ କଂଗ୍ରେସର ହାତ ଚିହ୍ନକୁ ଗ୍ରହଣ କରିଥିଲେ । ଠିକ ସେମିତି ମହାରାଷ୍ଟ୍ରରେ ହେବ ବୋଲି ଉଦ୍ଧବଙ୍କୁ କହିଛନ୍ତି ଶରଦ ପାୱାର ।…

ନିର୍ବାଚନ କମିଶନଙ୍କ ନିଷ୍ପତ୍ତିରେ କିଛି ତ୍ରୁଟି ରହିଛି କି ? କିଛି ପକ୍ଷପାତିତା ରହିଛି କି ? ଇତିହାସ କହୁଛି ଅତୀତରେ ଯାହା ହୋଇଛି, ବର୍ତ୍ତମାନ ସେଥିରେ ଟିକେ ବି ବ୍ୟତିକ୍ରମ ହୋଇନି । ୧୯୬୮ରେ ସେତବେଳର କଂଗ୍ରେସ ଟଲ୍ ଫିଗର୍ କେ. କାମରାଜ, ନୀଲମ ସଞ୍ଜୀବା ରେଡିସ ଏସ୍. ନିଜଲିଙ୍ଗପ୍ପା ଏବଂ ଅତ୍ୟୁଲ୍ୟ ଘୋଷ- ଇନ୍ଦିରା ଗାନ୍ଧିଙ୍କୁ ଦଳରୁ ବହିଷ୍କାର କରିଥିଲେ । ପରେ କଂଗ୍ରେସ ଦୁଇ ଖଣ୍ଡ ହୋଇଥିବା ବେଳେ ନ୍ୟୁ କଂଗ୍ରେସର ନେତୃତ୍ବ ନେଇଥିଲେ ଇନ୍ଦିରା ଗାନ୍ଧି । ସେତେବେଳ ଥିବା କଂଗ୍ରେସ ଚିହ୍ନ, ଜୁଅଳିରେ ବନ୍ଧା ଯୋଡ଼ା ବଳଦ ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ ଉଭୟ ଓଲ୍‌ଡ ଓ ନ୍ୟୁ କଂଗ୍ରେସ । କିନ୍ତୁ ଇନ୍ଦିରାଙ୍କ ନ୍ୟୁ କଂଗ୍ରେସକୁ ମିଳିଥିଲା ହାତ ଚିହ୍ନ । ସେତେବେଳେ ମଧ୍ୟ ଉଭୟ ଗୋଷ୍ଠୀକୁ ମିଳିଥିବା ଭୋଟକୁ ହିସାବକୁ ନେଇ ନିଷ୍ପତ୍ତି ଶୁଣାଇଥିଲେ ସୁପ୍ରିମକୋର୍ଟ । ୧୯୬୮ ପୂର୍ବରୁ ୧୯୬୪ରେ ସିପିଆଇ ମଧ୍ୟ ଏମିତି ପରିସ୍ଥିତି ସାମ୍ନା କରିଥଲା । ସିପିଆଇର କିଛି ବିଦ୍ରୋହୀ ସିପିଆଇ ମାର୍କସିଷ୍ଟ ଭାବେ ପରିଚିତ ହେବାକୁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଥିଲେ । କମିଶନ ସେମାନଙ୍କ ଦାବିକୁ ବିଚାର ପାଇଁ ଗ୍ରହଣ କରି କେତେ ସାଂସଦ ଓ ବିଧାୟକଙ୍କ ସମର୍ଥନ ଅଛି, ତାହା ଜଣାଇବାକୁ କହିଥିଲେ । ବିଦ୍ରୋହୀ ଗୋଷ୍ଠୀ- ସେମାନଙ୍କ ସମର୍ଥନରେ ଥିବା ଆନ୍ଧ୍ରପ୍ରଦେଶ, କେରଳ ଏବଂ ପଶ୍ଚିମବଙ୍ଗର କିଛି ବିଧାୟକ ଏବଂ ସାଂସଦଙ୍କ ନାଁ ଦେଇଥିଲେ । ଆଉ ସେତେବେଳେ ମଧ୍ୟ ଭୋଟ ଶେୟାରକୁ ହିସାବକୁ ନେଇ CPI(M)କୁ ସ୍ବୀକୃତି ଦେଇଥିଲେ ନିର୍ବାଚନ କମିଶନ । ଯାହା ବର୍ତ୍ତମାନର ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକରେ ଗୋଷ୍ଠୀ କ୍ଷେତ୍ରରେ ହୋଇଛି ।…

ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି କହୁଛନ୍ତି ଉଦ୍ଧବ ଠାକରେ ଗୋଷ୍ଠୀ । କିନ୍ତୁ ଆଧାର ଦେଖିଲେ ଲାଗୁନି, କମିଶନଙ୍କ ନିଷ୍ପତ୍ତି ସୁପ୍ରିମକୋର୍ଟରେ ଓଲଟିଗଲା ଭଳି । ତେଣୁ ଯେତେ ଦୂର ଆଶା, ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କୁ ହିଁ ଧନୁତୀରକୁ ଭୁଲି ଯାଇ ମଶାଲକୁ ପ୍ରଜ୍ବଳିତ କରିବାକୁ ପଡ଼ିବ ।

Leave a Reply

Your email address will not be published.