ଐତିହାସିକ ଦେବସ୍ନାନ ଯାତ୍ରା

ଏର୍ଷର ରଥଯାତ୍ରା  ଚିର  ସ୍ମରଣୀୟ ହେବ. ଜଗନ୍ନାଥଙ୍କ ରୀତି- ନୀତି ପାଳନ, ଭକ୍ତ ବିହୁନେ ରଥଯାତ୍ରା, କୋଭିଡ୍‌ ଆତଙ୍କ ପ୍ରଭୃତି  ଗୋଟିଏ ଗୋଟିଏ ପୃଷ୍ଠଭୂମି ସାଜି ଇତିହାସ ପୃଷ୍ଠାଗୁଡ଼ିକୁ ମଣ୍ଡନ କରିବେ। ଆଉ ସେଥିରେ ବିଶେଷ ଗୁରୁତ୍ଵପୂଣ୍ଣ ଅଧ୍ୟାୟ ହେବ ଏହାର ଐତିହାସିକ ସୁପରିଚାଳନା।   ସଙ୍କଟ କାଳରେ ସାରା ବିଶ୍ଵରେ ବ୍ୟାକୁଳ ହୋଇ ଚାହିଁ ରହିଥିବା ଭକ୍ତଙ୍କ  ଘରେ ରଥଯାତ୍ରାକୁ ପହଞ୍ଚାଇବା କିଛି ଛୋଟ କଥା ନୁହେଁ।  

ଜି ଏକ ନିର୍ଜୀବ, ଅଦୃଶ୍ୟ ଭୁତାଣୁ ସାରା ବିଶ୍ଵକୁ ଆତଙ୍କିତ କରିଥିବା ସମୟରେ ପୁରୀରେ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଉପରେ ଅନେକଙ୍କ ଦୃଷ୍ଟି ରହିଛି। ଧର୍ମୀୟ ଭାବନା ଓ ରୀତିନୀତିକୁ ସମ୍ମାନ ଦେଇ ଏହି ଯାତ୍ରାର ସୁପରିଚାଳନା ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ସ୍ଵାଧୀନ ଭାରତ ଅଥବା ଔପନିବେଶିକ ଭାରତ ଇତିହାସରେ ଏମିତି ପରିସ୍ଥିତି କେବେ ସୃଷ୍ଟି ହୋଇ ନଥିଲା। ଭକ୍ତବିନା ରଥଯାତ୍ରା ମାନବ ଇତିହାସରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଛି।

ଅନେକ ଆଲୋଚନା, ପର୍ଯ୍ୟାଲୋଚନା ଏବଂ କିଛି ଲୋକଙ୍କ ହାଇକୋର୍ଟଙ୍କ ହସ୍ତକ୍ଷେପ ନିବେଦନ ପ୍ରଭୃତି ଏହି ଯାତ୍ରା ହେବ ନା ନାହିଁ, ସନ୍ଦେହ ସୃଷ୍ଟି କରିଥିଲା। ଏବେ ବି ତାହା ଜାରି ରହିଛି। ଏ ଭିତରେ ବି ଯଦି କିଛି କରୋନା ଜନିତ ଅଘଟଣ ହେବ, ତେବେ ଯାତ୍ରାକୁ ବାତିଲ କରାଯାଇପାରେ। ଏପରିକି ରୁକୁଣା ରଥ ପରି ନନ୍ଦିଘୋଷ ରଥ ସିଂହ ଦୁଆରରେ ଠିଆ ହୋଇ ମଧ୍ୟ ଠାକୁରଙ୍କୁ ଧାରଣ କରିବାର ସୁଯୋଗ ନପାଇପାରେ!  ଭଗବାନଙ୍କ ଆଶୀର୍ବାଦ ସହ ଏଭଳି ଆଶଙ୍କିତ ପରିସ୍ଥିତିକୁ ଟାଳିବା ଲାଗି ଯାହା ଆବଶ୍ୟକ, ତହିଁ ମଧ୍ୟରୁ  ଦକ୍ଷ ପ୍ରଶାସନିକ ପରିଚାଳନା ଏବଂ ଗଣମାଧ୍ୟମ ସଂଯୋଜନା ଦୁଇଟି ପ୍ରମୁଖ ବ୍ୟାପାର।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର ଏ ଦିଗରେ ଯଥେଷ୍ଟ ଯତ୍ନବାନ ରହିବା ସହ ପଦାଧିକାରୀ ଓ ସେବକମାନଙ୍କ ସଙ୍ଗେ ଆବଶ୍ୟକ ସଂଯୋଜନା ସ୍ଥାପନ କରିବାରେ ଏଯାଏ ସଫଳ ହୋଇଥିବା ଲକ୍ଷ୍ୟ କରାଯାଏ। ତାହା ନହେଲେ ୧୦ ଦିନ ବିଳମ୍ବରେ ଏବଂ ଅନେକ ଅନିଶ୍ଚିତତା ଭିତରେ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଆଜି ଠିକଣା ସମୟରେ ଶେଷ ହେବାର ଆସ୍ଥା ପାଇପାରି ନଥାଆନ୍ତା। କରୋନା ଭୁତାଣୁକୁ ରଥଖଳାରୁ ଦୂରରେ ରଖିବା ଲାଗି ବଢ଼େଇ ସେବକମାନଙ୍କୁ ସ୍ଵତନ୍ତ୍ର ଆସ୍ଥାନ, ସବୁଦିନ ମହାପ୍ରସାଦ ବ୍ୟବସ୍ଥା କରିବା, ରଥଖଳାକୁ ଅନ୍ୟ ଲୋକଙ୍କ ପ୍ରବେଶ ନିଷିଦ୍ଧ କରିବା ତଥା ପ୍ରତିଦିନ ନିର୍ମାଣରେ ନିୟୋଜିତ ମହାରଣା ସେବକଙ୍କ ସ୍ଵାସ୍ଥ୍ୟ ଯାଞ୍ଚ କରିବା ଭଳି ଅଭିନବ ଉପାୟ ସେ ଗ୍ରହଣ କରିଛନ୍ତି। ଏ ତାଲିକା ପୁଣି ଏଇଠି ସରି ନାହିଁ। ଏହି ନିର୍ମାଣ ସମୟରେ ମହାରଣା ସେବକଙ୍କୁ ଘରକୁ ଯିବାଠୁ ବାରଣ କରାଯାଇଛି। ନିର୍ମାଣ କାର୍ଯ୍ୟରେ ଥିବା ସମୟରେ ବି ବାରମ୍ବାର ହାତକୁ ଧୋଇବା ଏବଂ ପାଟି ଓ ନାକରେ ମାସ୍କ ପିନ୍ଧିବା ଭଳି ସରକାରୀ ନିୟମାବଳୀକୁ ଲାଗୁ କରାଯାଇଛି। କୌଣସି ସମୟରେ ଯେମିତି ରଥ ତିଆରି କାର୍ଯ୍ୟ ବ୍ୟାହତ ନହେବ ସେଥିଲାଗି ସେବକମାନଙ୍କୁ ଅନୁପ୍ରାଣୀତ କରାଯାଉଛି। ସେଥିଲାଗି ଆଜି ପୁରୀରେ ସବୁକିଛି ଠିକ୍‌ ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସମସ୍ତ  ଧାର୍ମିକ କାର୍ଯ୍ୟକୁ ବିଚାର ବିମର୍ଷ ଓ ପରାମର୍ଶ ଅନୁସାରେ ଗ୍ରହଣ କରାଯାଉଛି। ସେଥିଲାଗି ତ ସଫଳତା ମିଳୁଛି, ଭକ୍ତଙ୍କ ମନରେ ରଥଯାତ୍ରା ପାଇଁ ଆସ୍ଥା ଜମୁଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ସ୍ନାନଯାତ୍ରାର ଠିକଣା ପାଳନ।

ଅବଶ୍ୟ ଯେଉଁ ଯାତ୍ରା ଭକ୍ତଙ୍କ ଲାଗି ଉଦ୍ଦିଷ୍ଟ; ଯେଉଁ ଭକ୍ତଙ୍କୁ ଭଗବାନ ପ୍ରତ୍ୟକ୍ଷ ଦର୍ଶନ ଦେବା ଲାଗି ନୀଳକନ୍ଦରରୁ ନନ୍ଦିଘୋଷ ବିରାଜନ୍ତି ତାହାକୁ ବିନା ଭକ୍ତରେ ପାଳନ କରିବା ମୂଲ୍ୟ ହୀନ ବୋଲି କହି କିଛି ବ୍ୟକ୍ତି ପ୍ରଶ୍ନ ଉଠାଉଛନ୍ତି।

ଏପରି ପ୍ରଶ୍ନଗୁଡ଼ିକର ଉତ୍ତର ଇତିହାସ ପୃଷ୍ଠାରେ ସ୍ପଷ୍ଟ ଭାବେ ପ୍ରତିପାଦିତ।

ପରିସ୍ଥିତି ଅନୁସାରେ ଯାତ୍ରା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ଅଲଗା ଭାବେ ଆଲୋଚନା କରାଯାଇପାରେ। କିନ୍ତୁ ଜରୁରୀକାଳୀନ ସ୍ଥିତିରେ ଭକ୍ତ ଓ ଭଗବାନଙ୍କ ସଙ୍ଗେ ସେତୁ ବାନ୍ଧିବା ଲାଗି ଟେକ୍ନୋଲୋଜିକୁ ବ୍ୟବହାର କରିବାର ଯେଉଁ  ପ୍ରଶାସନିକ ଦକ୍ଷ ଅଧିକାରୀମାନେ ଦେଖାଇଛନ୍ତି ତାହା ଉଦାହରଣ ଯୋଗ୍ୟ। ବିଶେଷ କରି ଗଣମାଧ୍ୟମର ସଠିକ ବ୍ୟବହାର. ଭକ୍ତ ଓ ଭଗବାନଙ୍କ ଭିତରେ ଥିବା ଅଦଶ୍ୟ ସେତୁକୁ ଚମତ୍କାର ଭାବରେ ବାନ୍ଧିପାରିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ।.

ଟେଲିଭିଜନ୍‌ ଓ ମୋବାଇଲ୍‌ ଫୋନ୍‌ ତଥା ଡିଜିଟାଲ୍‌ ମିଡିଆ ପ୍ଲାଟଫର୍ମରେ ରଥଯାତ୍ରାକୁ ପହଞ୍ଚାଇବା ଲାଗି ସୂଚନା ଓ ଲୋକସମ୍ପର୍କ ବିଭାଗ ଯେଉଁ ନୀତି ଆପଣାଇଛି ତାହା  ଅତ୍ୟନ୍ତ ପ୍ରଶଂସନୀୟ। ଆଗରୁ ଘରୋଇ ଟେଲିଭିଜନ୍‌ ସଂସ୍ଥାମାନେ ଯେଉଁଭଳି ଭାବେ ପୁରୀରେ ଗହଳି ଜମାଇ ରଥଯାତ୍ରା ପ୍ରସାରଣକୁ ବ୍ୟବସାୟିକ ରୂପ ଦେଉଥିଲେ ତାହା ବନ୍ଦ ହୋଇଛି। ପୁଣି କେବଳ ଦୂରଦର୍ଶନ ଏହି ପ୍ରସାରଣ କରିବା ହେତୁ ଭିଡିଓରେ ନଏଜ୍‌ ( ବାହାର ଗହଳି ଶବ୍ଦ) ପ୍ରସାରଣ ମଧ୍ୟ ବନ୍ଦ ରହିଛି। ଶ୍ରୀ ଜଗନ୍ନାଥଙ୍କ ଭାବ ଓ ଭକ୍ତିମୟ ରଥଯାତ୍ରାର ପ୍ରଥମ ଯାତ୍ରାକୁ ଘରେ ଘରେ ଲୋକେ ବିନା କୌଣସି ପ୍ରତିଦ୍ଵନ୍ଦ୍ଵିତାମୂଳକ ବିଜ୍ଞାପନରେ ଉପଭୋଗ କରିବାର ସୁଯୋଗ ପାଇଛନ୍ତି। ପୁଣି ରାଜ୍ୟର କିଛି ଅଭିଜ୍ଞ ଗବେଷକ ଏହି ସମୟରେ ଶ୍ରୀଜଗନ୍ନାଥଙ୍କ ଯାତ୍ରାର ମାହାତ୍ମ୍ୟକୁ ଲୋକଙ୍କ ପାଖକୁ ଆଣିଛନ୍ତି। ଏହାଦ୍ଵାରା ଦୂରଦର୍ଶନର ଗୁରୁତ୍ଵ ବୃଦ୍ଧି ହେବା ସହ ରାଜ୍ୟର ଅନ୍ୟ ମିଡିଆ ହାଉସ୍‌ମାନେ ମଧ୍ୟ ବିନା କୌଣସି ଖର୍ଚରେ ସେମାନଙ୍କ ଦର୍ଶକଙ୍କ ଆଗରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ସିଧା ପ୍ରସାରଣ ପହଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି। ଆଗକୁ ରଥଯାତ୍ରାଠାରୁ ନୀଳାଦ୍ରୀ ବିଜେ ଯାଏ ଏହି ପରମ୍ପରା ଅବ୍ୟାହତ ରହିବ ବୋଲି ଆଶା କରାଯାଇଛି।

ସ୍ଵଚ୍ଛ ଓ ଅଭିନବ ପଦକ୍ଷେପ ନେବାରେ ବିଭାଗର ଏହିପରି  ଉଦ୍ୟମ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ସରକାରୀ ବିଜ୍ଞାପନ ପ୍ରଦାନ ଓ ପରିଚାଳନା କ୍ଷେତ୍ରରେ ଅନେକ ସଂସ୍କାର ଆଣିଛି। ଅନେକ ଦିନ ହେଲା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ମହାଲେଖାକାର ଦେଇଥିବା ପରାମର୍ଶକୁ ଏବେ କଠୋର ଭାବେ ପାଳନ କରାଯାଉଛି। ଏହି ହେତୁ ଯଦିଓ ଗଣମାଧ୍ୟମମାନେ ଚିନ୍ତିତ ହୋଇଛନ୍ତି କିନ୍ତୁ ତାହା ରାଜ୍ୟ ସରକାରଙ୍କ ରାଜସ୍ଵ ଖର୍ଚକୁ ଯଥେଷ୍ଟ କମାଇପାରିଛି। ବର୍ତ୍ତମାନ ସଚିବ ଦାୟିତ୍ଵରେ ଥିବା ସଞ୍ଜୟ ସିଂହଙ୍କ ଅନବରତ ଉଦ୍ୟମ ଯୋଗୁ ପୂର୍ବରୁ ଓ୍ବେବ୍‌ ମିଡିଆ ତାଲିକାକରଣ ନୀତିରେ ଥିବା ଦୋଷତ୍ରୁଟିକୁ ସୁଧାରିବାର ପ୍ରୟାସ ଆରମ୍ଭ ହୋଇଛି। ଓଡ଼ିଆ ଭାଷାକୁ ସ୍ଵତନ୍ତ୍ର ଧ୍ୟାନ ଦେବା ଲାଗି ସରକାର ଐତିହ୍ୟ କ୍ୟାବିନେଟ୍‌ରେ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଏବେ ଅଧିକ ଧ୍ୟାନ ଦେବା କଥା, ଯେହେତୁ କିଛି ନ୍ୟୁଜ୍‌ ଓ୍ବେବ୍‌ ସାଇଟ୍‌  ସେମାନଙ୍କ ଦର୍ଶକ ସଂଖ୍ୟା ଦର୍ଶାଇବାରେ ଚତୁରତା ଆପଣାଇଥିବା ଖୁବ୍‌ ଚର୍ଚାର ବିଷୟ ହୋଇଛି। କିନ୍ତୁ ଏହା ଯେକେହି ସ୍ଵୀକାର କରିବେ ଯେ, ଜାତୀୟ ସ୍ତରରେ ଭାରତ ସରକାର ଗ୍ରହଣ କରିଥିବା ନୀତିକୁ ଏଠାରେ ଆପଣାଇବା ପରେ ରାଜ୍ୟର ପୋର୍ଟାଲ୍‌ଗୁଡ଼ିକ ଭିତରେ ଗୁଣାତ୍ମକ ପ୍ରତିଦ୍ଵନ୍ଦ୍ଵିତା ବୃଦ୍ଧି ପାଇଛି।  ଆଗକୁ ଦର୍ଶକ ସଂଖ୍ୟାକୁ ଆକଳନ କରିବାରେ ନିରପେକ୍ଷ ଟେକ୍ନୋଲୋଜିକୂ ଆପଣାଇଲେ  ତାହା ରାଜ୍ୟରେ ଡିଜିଟାଲ୍‌ ମିଡିଆ ପ୍ରଗତୀରେ ସହାୟକ ହେବ।

ବିଭାଗୀୟ ସଚିବ ଶ୍ରୀ ସିଂହଙ୍କ ସଚ୍ଚୋଟପଣ, ନିରପେକ୍ଷ ଆଚରଣ ହେତୁ ଏହି ବିଭାଗ ଉପରେ ପୂର୍ବରୁ ପଡ଼ୁଥିବା ଅଦୃଶ୍ୟ କଳା ଛାଇ ହଟିଛି। ବିଭାଗର ଯେଉଁ ଅଧିକାରୀମାନେ ସେହି କଳାଛାଇର ଶିକାର ହୋଇଥିଲେ ଏବେ ବାଧ୍ୟ ହୋଇ ସ୍ଵଚ୍ଛ ଏବଂ ପ୍ରତିଦ୍ଵନ୍ଦ୍ଵିତା ମୂଳକ କାର୍ଯ୍ୟଧାରା ଗ୍ରହଣ କରିଥିବା ଲକ୍ଷ୍ୟ କରାଯାଇଛି।

ଗଣମାଧ୍ୟମକୁ ବିଜ୍ଞାପନ ନୀତି ଏବଂ ଓ୍ବେବ୍‌ ମିଡିଆ ନୀତିରେ ସଂସ୍କାର ଆଣିବା ସହ ଏବେ ବିଭାଗରେ ଭିଡିଓ ପ୍ରଡକ୍ସନ ହାଉସ୍‌ ତାଲିକାକରଣ ନୀତିକୁ ସ୍ଵଚ୍ଛ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ସଚିବ ସତର୍କ କରିଛନ୍ତି। ଏପରିକି କିଛି ପରିମାଣରେ ଏହିପରି ଅଲିଖିତ ଆଦେଶକୁ ବିଭାଗୀୟ ଅଧିକାରୀମାନେ ପାଳନ କରିଛନ୍ତି।  ଫଳରେ ଏବେ କେତେକ ନୂଆ ପ୍ରଡକ୍ସନ ହାଉସ୍‌ ତାଲିକାଭୁକ୍ତ ହୋଇଛନ୍ତି। ପୂର୍ବରୁ ବିନା ତାଲିକାଭୁକ୍ତ ଏଜେନ୍ସୀ ଓ କମ୍ପାନୀ ସରକାରଙ୍କ ଭିଡିଓ ପ୍ରଡକ୍ସନ କାର୍ଯ୍ୟ ହାତକୁ ନେଇ ଅନେକ ଅର୍ଥ ଆୟ କରିଥିବା ଅଭିଯୋଗ ଶୁଣିବାକୁ ମିଳୁଥିଲା ଏପରିକି କାର୍ଯ୍ୟାଦେଶ ନଥାଇ ବିଲ୍‌ ଉପସ୍ଥାପନ କରିଥିବା ମଧ୍ୟ ଦେଖାଯାଇଥିଲା। ସଞ୍ଜୟ ସିଂହ ସବୁ କ୍ଷେତ୍ରରେ ସଂସ୍କାର ଏବଂ ସୁଧାର ଆଣିବାରେ ସମ୍ପୂଣ୍ଣ ସଫଳ ହୋଇଛନ୍ତି କହିଲେ ଭୁଲ ହେବ ନାହିଁ।

Leave a Reply

Your email address will not be published.