ସୋମବାର ଆଗତ ହେବ କୃଷି ଆଇନ ପ୍ରତ୍ୟାହାର ବିଧେୟକ
ଓଡ଼ିଶା ଟାଇମ୍ (ଭୁବନେଶ୍ୱର) : କୃଷି ଆଇନ ପ୍ରତ୍ୟାହର ଘୋଷଣାର ୧୦ ଦିନ ପରେ ଅର୍ଥାତ ଆସନ୍ତା ୨୯ ତାରିଖରେ ସଂସଦରେ ଉପସ୍ଥାପନ ହେବ କୃଷି ଆଇନ ପ୍ରତ୍ୟାହାର ବିଲ୍। ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବେନେଟର ମଞ୍ଜୁରୀ ମିଳିବା ପରେ ସୋମବାର ସଂସଦର ଶୀତକାଳୀନ ଅବେଶନର ପ୍ରଥମ ଦିନରେ ସରକାର କୃଷି ଆଇନ ପ୍ରତ୍ୟାହାର ବିଧେୟକ ଆଗତ କରିବେ ବୋଲି ଘୋଷଣା କରିଛନ୍ତି। ସେପଟେ ଠିକ୍ ୨୯ ତାରିଖରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ହେବାକୁ ଥିବା ଟ୍ରାକ୍ଟର ରାଲିକୁ ସ୍ଥଗିତ ଘୋଷଣା କରାଯାଇଛି। ଶନିବାର ସିଙ୍ଘୁ ଏବଂ ଟିକ୍ରୀ ସୀମାରେ ଅନୁଷ୍ଠିତ କୃଷକ ମହାପଞ୍ଚାୟତରେ ଏହି ଘୋଷଣା କରାଯାଇଛି।
କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ମଧ୍ୟ କୃଷକମାନେ ଆନ୍ଦୋଳନରୁ ଉଠିନାହାନ୍ତି । ଏବେବି ସିଙ୍ଘୁ ଏବଂ ଟିକ୍ରୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୧୯ ତାରିଖରେ କୃଷି ଆଇନ ପ୍ରତ୍ୟାହାର ଘୋଷଣା ପରେ ବିଧିବଦ୍ଧ ଭାବେ ସଂସଦରେ ଆଇନ ପ୍ରତ୍ୟାହୃତ ନହେବା ଯାଏଁ ଆନ୍ଦୋଳନରୁ ଉଠିବୁନାହିଁ ବୋଲି ସ୍ପଷ୍ଟ କହିଦେଇଥିଲେ କୃଷକ ନେତା। ସେହିପରି କିଷାନ ମୋର୍ଚ୍ଚାର ଆଗାମୀ ରଣନୀତି କଣ ହେବ ତା’ର ନିଷ୍ପତ୍ତି ଡିସେମ୍ୱର ୪ରେ ହେବାକୁ ଥିବା ବୈଠକରେ ନିଆଯିବ ବୋଲି କହିଛନ୍ତି କୃଷକ ନେତା ଦର୍ଶନ ପାଲ ସିଂହ।
କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆନ୍ଦୋଳନରତ କୃଷକଙ୍କୁ ଘରକୁ ଫେରିବା ପାଇଁ ନିବେଦନ କରିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଫସଲ ବିବିଧତା, ଶୂନ୍ୟ ବଜେଟ୍ କୃଷି ଓ ଏମଏସପି ବ୍ୟବସ୍ଥାକୁ ଆହୁରି ପାରଦର୍ଶୀ ତଥା ପ୍ରଭାବଶାଳୀ କରିବା ପାଇଁ ଏକ କମିଟି ଗଠନ କରାଯିବ। ଏହି ବିଶେଷଜ୍ଞ କମିଟିରେ କୃଷକ ସଂଗଠନର ପ୍ରତିନିଧି ସାମିଲ୍ ହେବେ।
କମିଟି ସୁପାରିସକୁ କାର୍ଯ୍ୟକାରୀ କରାଯିବ। କେନ୍ଦ୍ର ସରକାର ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ହିଁ କୃଷି ଆଇନ
ପ୍ରତ୍ୟାହାର ବିଧେୟକ ଆଗତ କରିବେ। ଏଥିପାଇଁ ଦଳର ସମସ୍ତ ସାଂସଦ ଉପସ୍ଥିତ ରହିବାକୁ ନିର୍ଦେଶ ଜାରି ହୋଇଛି।
କୃଷିମନ୍ତ୍ରୀ ତୋମାର କହିଛନ୍ତି ଯେ କୃଷକଙ୍କ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଦାବି ପୂରଣ କରାଯିବ। ସରକାର ଏ କ୍ଷେତ୍ରରେ ତାଙ୍କର ପ୍ରତିଶ୍ରୁତି ପାଳନ କରିବେ। ସେହିଭଳି ନଡ଼ା ପୋଡ଼ିକୁ ନେଇ ହୋଇଥିବା ଆଇନରେ ସଂଶୋଧନ ଅଣାଯିବ। ଏହି ପ୍ରସଙ୍ଗ ଉପରେ ମଧ୍ୟ ସରକାର କୃଷକଙ୍କ ଦାବି ମାନିଛନ୍ତି। ସେ ଦୃଷ୍ଟିରୁ ଆଉ ଆନ୍ଦୋଳନ ନ କରି କୃଷକମାନେ ଫେରିଯିବା ଉଚିତ ବୋଲି ତୋମାର କହିଛନ୍ତି। ଅପରପକ୍ଷରେ ଆନ୍ଦୋଳନରତ କୃଷକଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ବ୍ୟାପାର ରାଜ୍ୟ ସରକାରଙ୍କ ଅଧୀନରେ ରହିଛି । ରାଜ୍ୟ ସରକାର ହିଁ ଏହା ଉପରେ ନିଷ୍ପତ୍ତି ନେବେ। କୃଷକଙ୍କ କ୍ଷତିପୂରଣ ଉପରେ ମଧ୍ୟ ରାଜ୍ୟ ସରକାରମାନେ ନିଷ୍ପତ୍ତି ନେବେ ବୋଲି ତୋମାର କହିଛନ୍ତି।