ଦୁଗ୍ଧ ଚାଷୀଙ୍କ ପାଇଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଓମ୍‌ଫେଡ ଦୁଗ୍‌ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହି ସହାୟତାରେ ପ୍ରତି ଦୁଗ୍‌ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଏଥିରେ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ଉପକୃତ ହେବେ।

ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,  କୋଭିଡ ମହାମାରୀ ଓଡିଶା ସମେତ ସାରା ବିଶ୍ବର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଛି । ଅର୍ଥନୀତିର ପ୍ରାୟ ଅନ୍ୟ ସମସ୍ତ କ୍ଷେତ୍ର ମାନ୍ଦା ଅବସ୍ଥାରେ ଥିବା ବେଳେ, କେବଳ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସଂଜୀବନୀ ପରି ଆମ ଅର୍ଥନୀତିକୁ ଶକ୍ତି ଯୋଗାଇଛି । ଲକ୍‌ଡାଉନ ଏବଂ ସଟ୍‌ଡାଉନ ସମୟରେ ଆମର ଚାଷୀମାନେ ଯେପରି ସାହସର ସହ ସେମାନଙ୍କର ଉତ୍ପାଦନ କାର୍ଯ୍ୟ ଜାରି ରଖିଛନ୍ତି । ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି ।

ସେହିପରି  ଗ୍ରାମ୍ୟ ଅର୍ଥନୀତିରେ ଦୁଗ୍‌ଧ ଚାଷ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଛୋଟ ଓ ନାମମାତ୍ର ଚାଷୀଙ୍କ ଜୀବନଜୀବିକାରେ ବିଶେଷ ସହାୟକ ହୋଇଥାଏ । କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ଚାହିଦାରେ ବଡ ଧରଣର ହ୍ରାସ ଘଟିଥିବାରୁ, ଏହା ଦୁଗ୍‌ଧ ଚାଷୀଙ୍କ ଜୀବିକାକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହାସହ  ଚାଷୀଙ୍କ ଆର୍ଥିକ ଉନ୍ନତିରେ ଏହି ସହାୟକ ହେବ ବୋଲି ଆଶାପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *