ମମିତା ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ, କହିଲେ- ରାଜନୀତି କରନ୍ତୁ ନାହିଁ, କିଛି ପ୍ରମାଣ ଥିଲେ କୋର୍ଟକୁ ଦିଅନ୍ତୁ

ଭୁବନେଶ୍ବର, (ଓଡିଶା ଟାଇମ୍): ମମିତା ମେହେରା ହତ୍ୟା ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତି ରଖି କହିଛନ୍ତି ଏହା ଏକ ଅତ୍ୟନ୍ତ ଦୁଃଖ ଓ ଦୁର୍ଭାଗ୍ୟଜନକ ଘଟଣା । ଆଇନ ଅନୁଯାୟୀ ତାଙ୍କୁ ଯେତେ ଶୀଘ୍ର ହେବ ନ୍ୟାୟ ଦିଆଯିବ । ସେଥିପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତିକରଣ କରାଯାଉଛି । ସେମାନଙ୍କ ପରିବାର ହାତଯୋଡି ଅନୁରୋଧ କରିଛନ୍ତି ଏହାକୁ ନେଇ ରାଜନୀତି ନ କରାଯାଉ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଫାଷ୍ଟ ଟ୍ରାକ କୋର୍ଟ ରେ ଏହାର ବିଚାର କରାଯାଇ ନ୍ୟାୟ ଦିଆଯିବ। ହାଇକୋର୍ଟଙ୍କ ନିର୍ଦେଶରେ ଅବସର ପ୍ରାପ୍ତ ଜିଲ୍ଲା ଜଜ ଙ୍କ ଦ୍ୱାର ତଦନ୍ତର ମନିଟର କରାଯାଉଛି। ଜୁଡ଼ିସିଆରି ଉପରେ ଆମର ବିଶ୍ୱାସ ରହିଛି । ପୋଲିସ ସମ୍ପୂର୍ଣ୍ଣ ସ୍ୱାଧୀନତାର ସହ କାର୍ଯ୍ୟ କରୁଛି । ବିନା ଭୟ ଓ ଚାପ ପୋଲିସ କାର୍ଯ୍ୟ ନିର୍ଦେଶ ଦିଆଯାଇଛି । ଯଦି କୌଣସି ପ୍ରମାଣ ଥାଏ ଯେତେ ବଡ଼ ଲୋକ ହେଲେ ବି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି କିଛି କାହା ପାଖରେ ପ୍ରମାଣ ରହିଛି ସେମାନେ କୋର୍ଟ କୁ ଦିଅନ୍ତୁ । ବିଧାୟକ ମାନଙ୍କୁ ସମ୍ବିଧାନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି । ଯଦି ସେମାନେ ତାଙ୍କ ଦାୟିତ୍ୱ ଠିକ ଭାବେ ନ କରିବେ ତେବେ ତାହା ଖରାପ ପରମ୍ପରା ସୃଷ୍ଟି ହେବ । ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ସମସ୍ତେ ଗୃହ କାର୍ଯ୍ୟରେ ସହଯୋଗ କରନ୍ତୁ । ମମିତା ମେହେର ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖିବା ସମୟରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ବି ଦେଇଛନ୍ତି ପରାମର୍ଶ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବାତ୍ୟା ଆସୁଛି । କୋଭିଡ ମହାମାରୀ ସମସ୍ୟା ସୃଷ୍ଟି କରିଛି । ସେପଟେ ଚାଷୀଙ୍କ ସମସ୍ୟା, ଚାଉଳ ନ ଉଠିବା । କେବିକେ ଓ ଆଦିବାସୀ ବହୁଳ ଜିଲ୍ଲାକୁ କୁ ଘର ଯୋଗାଇବା ବନ୍ଦ କରିବା, କେନ୍ଦ୍ରୀୟ ଅନୁଦାନ କାଟିବା , ଗ୍ୟାସ ଦର ବୃଦ୍ଧି ସମେତ ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ବାଧୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ମମିତା ମେହେର ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ଗୃହରେ ଜୋରଦାର ହଙ୍ଗାମା କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣାରେ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିରୋଧୀ ଦାବି କରିଛନ୍ତି। ବିଜେପି ମନ୍ତ୍ରୀଙ୍କ ବହିଷ୍କାର ସହ ସିବିଆଇ ତଦନ୍ତ ଦାବି କରିଛି। ଏହି ମାମଲାରେ ଖୁବ୍ ଶୀଘ୍ର ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ଗଠନ ଦାବି ନେଇ ଜନସ୍ବାର୍ଥ ମାମଲା ରୁଜୁ କରିବେ ନରସିଂହ । ଯଦି ସରକାର କିଛି ପଦକ୍ଷେପ ନ ନିଅନ୍ତି ତାହେଲେ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ ଜାରି ରହିବ। ବାଚସ୍ପତି ତୁରନ୍ତ ସବୁ ଦଳକୁ ଡାକି ବୈଠକ ବସାନ୍ତୁ ଓ ଗୃହକୁ ସ୍ବାଭାବିକ କରିବାକୁ ଉଦ୍ୟମ କରନ୍ତୁ । ମୁଖ୍ୟମନ୍ତ୍ରୀ କାହିଁକି ମୌନତା ଅବଲମ୍ବନ କରିଛନ୍ତି ଜଣାନାହିଁ । ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ପ୍ରସଙ୍ଗରେ ବିରୋଧୀ ଦଳକୁ ଡାକି ଆଲୋଚନା କରନ୍ତୁ ବୋଲି ନରସିଂହ ମିଶ୍ର କହିଥିଲେ ।

Leave a Reply

Your email address will not be published.