ବିଜେଡି ରାଜନୀତିରେ ‘ବର୍ଷା’;  ଅସ୍ତ୍ର ସାଜିଛି, ରଥୀଙ୍କୁ କରିଛି ତଳିତଳାନ୍ତ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଯଦିଓ ମୌସୁମୀ ବାୟୁ ଓଡ଼ିଶା ଆକାଶ ଅତିକ୍ରମ କରିସାରିଛି, କିନ୍ତୁ ଓଡ଼ିଶା ରାଜନୀତିକ ଆକାଶରେ ‘ବର୍ଷା’ ଥମି ନାହିଁ। ବାଲେଶ୍ଵର, କଟକ ପରେ ଏବେ ପଶ୍ଚିମାଞ୍ଚଳର ପଦମପୁର ରାଜନୀତିରେ ‘ବର୍ଷା’ କୁ ନେଇ ଚର୍ଚ୍ଚା ଚାଲିଛି।  ତାଙ୍କରି କାନ୍ଧରେ ବିଜେଡି ବରିହାଙ୍କୁ ଏକାଠି କରିବା ତଥା ପଦ୍ମପୁରର ସକ୍ରିୟ ରାଜନୀତିକ ପାଣିପାଗକୁ ନିଜ ଅନୁକୂଳ କରିବାକୁ ଚାହିଁଛି।  ଆଉ ଚାହିଁଛି ସେହି ବର୍ଷାଙ୍କୁ ବିଧାନସଭା ଆଣିବ।

ଅବଶ୍ୟ ୧୯୫୧ରୁ ଆଜି ଯାଏ ଓଡ଼ିଶା ବିଧାନସଭାରେ କେହି ବର୍ଷୀ ନାମ୍ନୀ ବିଧାୟକ ଆସି ନାହାନ୍ତି। ଯଦି ବିଜୟଙ୍କ ଝିଅ ଏହି ନିର୍ବାଚନରେ ଜିତନ୍ତି ତବେ ସେ ହେବେ ପ୍ରଥମ ବର୍ଷା, ଯିଏ ବିଧାନସଭାର ସଦସ୍ୟ। କିନ୍ତୁ ଓଡ଼ିଶା ରାଜନୀତିରେ ବର୍ଷାକୁ ନେଇ ଚର୍ଚ୍ଚା ଅନେକଥର ହୋଇଛି।  ସେ ବର୍ଷା ମୌସୁମୀ ବର୍ଷା ସହ ମନ୍ତ୍ରୀଙ୍କ ବୋହୂ ଓ ସାଂସଦଙ୍କ ପତ୍ନୀ ବି ହୋଇଛନ୍ତି। ବିଭିନ୍ନ ସମୟରେ ଏହି ବର୍ଷାମାନଙ୍କ ହେତୁ ମନ୍ତ୍ରୀ ଓ ନିର୍ବାଚିତ ସାଂସଦ ତଳି ତଳାନ୍ତ ବି ହୋଇଛନ୍ତି। ଜଣେ ବର୍ଷା ମନ୍ତ୍ରୀଙ୍କୁ କ୍ଷମତାରୁ ଉପାଡ଼ି ଫୋପାଡ଼ିଥିବାବେଳେ ଆଉ ଜଣେ ‘ବର୍ଷା’ଙ୍କ ହେତୁ ଜଣେ ସାଂସଦ ସମ୍ମାନ ହରାଇଥିବା ଅଭିଯୋଗ ହୋଇଛି।  ଆଉ ସବୁଠାରୁ ବଡ଼ କଥା ହେଲା ପୂର୍ବରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଉଭୟ ବର୍ଷାଙ୍କ ହେତୁ ବିଜେଡି ନେତା ହିଁ ହରଡ଼ ଘଣାରେ ପଡ଼ିଛନ୍ତି। ଅଭିଯୋଗ ଏହା ବି ହୋଇଛି ଯେ, ନିଜ ଭାବମୂର୍ତ୍ତିକୁ ବଞ୍ଚାଇବା ଲାଗି ବିଜେଡି ଏହି ବର୍ଷାମାନଙ୍କୁ ଦଳୀୟ କାମରେ ବି ବ୍ୟବହାର କରିଛି, କେତେବେଳେ ପରୋକ୍ଷରେ ତ ଆଉ କେତେବେଳେ ପ୍ରତ୍ୟକ୍ଷଭାବେ।  କିନ୍ତୁ ଏହି ରାଜନୀତିକ ହସ୍ତକ୍ଷେପ ହେତୁ ପରବର୍ତ୍ତୀ ସମୟରେ ଏମିତି ପରିସ୍ଥିତି ଉପୁଜିଥିଲା ଯେ, ନିଜର ବିଶାଳ କାୟା ସତ୍ତ୍ୱେ ବିଜେଡି  ସେହି ଅଞ୍ଚଳରେ ବିକଳ୍ପ ପ୍ରାର୍ଥୀଙ୍କୁ ଖୋଜିବା ପାଇଁ କଷ୍ଟ ସହିଛି।

ବାଲେଶ୍ଵରର ବର୍ଷା ସୋନୀ

ଆସନ୍ତୁ ଟିକେ ମନେ ପକାଇବା ସେହି ବାଲେଶ୍ୱରରେ ‘ବର୍ଷା’ କାହାଣୀକୁ। ଏହା ମାର୍ଚ୍ଚ ୧୩, ୨୦୧୩ ମସିହା କଥା। ସେତେବେଳେ କ୍ଷମତାଶାଳୀ ମନ୍ତ୍ରୀ ତଥା ଲଗାତାର ୧୯୯୦ରୁ ୫ ଥର ବିଧାୟକ ହୋଇଥିବା ରଘୁନାଥ ମହାନ୍ତିଙ୍କ ବିରୁଦ୍ଧରେ ତାଙ୍କ ବୋହୂ ବର୍ଷା ସୋନୀ ଏକ ଅଭିଯୋଗ ଆଣିଲେ। ଏହି ଅଭିଯୋଗ ସାଂଘାତିକ ଥିଲା। ଏହି ଅନୁସାରେ ମନ୍ତ୍ରୀ, ତାଙ୍କ ପତ୍ନୀ ଏବଂ ତାଙ୍କ ପୁଅ ତଥା ବର୍ଷାଙ୍କ ସ୍ୱାମୀ ତାଙ୍କୁ ଯୌତୁକ ନିର୍ଯାତନା ଦେଉଛନ୍ତି। ସେଥିଲାଗି ସେ ଶ୍ୱଶୂର ଘର ଛାଡ଼ି ବାପାଙ୍କ ଘରେ ରହୁଛନ୍ତି। ଏତଲା ପରେ ମନ୍ତ୍ରୀଙ୍କ ଅକଲ ଗୁଡ଼ମ ହୋଇଯାଇଥିଲା। ପ୍ରଥମଦିନରେ ଅଭିଯୋଗକୁ ଅସ୍ୱୀକାର କରିଲେ ମଧ୍ୟ ବିଜେଡି ଏହାକୁ ନିଜ ଭାବମୂର୍ତ୍ତିରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବା ଲାଗି ତାଙ୍କୁ ବିଦା କରିବାକୁ ନିଷ୍ପତ୍ତି ନେଲା। ୧୬ ତାରିଖରେ ସେ ଇସ୍ତଫା ଦେଲେ ବା ବିଦା ହେଲେ। ମାମଲା ଅନେକ ଦିନ ଚାଲିଲା। ୨୦୧୬ ମସିହାରେ କିନ୍ତୁ ସବୁକିଛି ଆପୋଷ ସମାଧାନ ହେଲା। ବର୍ଷା ତାଙ୍କ ଶାଶୂ ଘରକୁ ଫେରିଲେ। ସବୁ ମାମଲା ପ୍ରତ୍ୟାହାର କରିଲେ। ହେଲେ ରଘୁ ଆଉ ରାଜନତିକୁ ଫେରିପାରିଲେ ନାହିଁ। ରଘୁଙ୍କ ପରିବାର ଓଡ଼ିଶା ରାଜନୀତିକ ଆକାଶରେ ନିଶ୍ଚିହ୍ନ ହୋଇଗଲେ।

କଟକରେ ବର୍ଷା ପ୍ରିୟଦର୍ଶିନୀ

ଏମିତି ଆଉ ଏକ ଘଟଣା ଘଟିଲା ୨୦୨୦ ମସିହାରେ। ନୂଆ କରି ସାଂସଦ ହୋଇଥିବା ଅନୁଭବ ମହାନ୍ତି ସେଦିନ ଦିଲ୍ଲୀ ପଟିଆଲା ହାଉସ୍‌କୋର୍ଟରେ ଛାଡ଼ପତ୍ର ଆବେଦନ କରିଲେ, ବର୍ଷା ପ୍ରିୟଦର୍ଶିନୀଙ୍କ ବିପକ୍ଷରେ। ବର୍ଷା-ଅନୁଭବ ଯୋଡ଼ିକୁ ନେଇ ପୂର୍ବରୁ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀ ଯଥେଷ୍ଟ ଚର୍ଚ୍ଚା ହେଉଥିଲା କିନ୍ତୁ ଏମିତି ଏକ ଖବର ଆସିବା ପରେ ଅନୁଭବଙ୍କ ଉପରକୁ ଅନେକ ଅଙ୍ଗୁଳି ନିକ୍ଷେପ ହେଲା। ପରେ ବର୍ଷା ବି ପାଲଟା ଅଭିଯୋଗ କଲେ। ଯୌତୁକ, ନିର୍ଯାତନା ଅନେକ କଥା।  ବିଜେଡିର ନେତୃତ୍ୱ କିନ୍ତୁ ନିଜ ସାଂସଦଙ୍କ ଉପରୁ ଭରସା କାଢ଼ି ଆଶୀର୍ବାଦ ଦେଲେ ବର୍ଷା  ପ୍ରିୟଦର୍ଶିନୀଙ୍କ ଉପରେ। ଧୀରେ ଧୀରେ ଅନୁଭବ ହେଲେ କୋଣଠେସା ଆଉ ବର୍ଷା ଆସିଲେ ରାଜନୀତିକ ମଇଦାନକୁ। ଯଦିଓ ସେ କେବେ ପ୍ରାର୍ଥୀ ହୋଇ ନାହାନ୍ତି କିନ୍ତୁ ପ୍ରଚାର ଲାଗି ବର୍ଷାଙ୍କୁ ଅନେକଥର ମଇଦାନରେ ଓହ୍ଲାଇଛି ବିଜେଡି।

ରଘୁନାଥ ମହାନ୍ତିଙ୍କ ମାମଲାରେ ବର୍ଷା ଏକ ଆନନ୍ଦର ମୁହୂର୍ତ୍ତ ଆଣି ମାମଲାରେ ଯବନୀକା ଟାଣିଥିଲା। ପରିବାର ଏକାଠି ହୋଇଥିଲା। ହେଲେ କଟକରେ ଏ ମାମଲା ଏଯାଏ ଶେଷ ହୋଇ ନାହିଁ। ସାଂସଦ ଭିଡିଓ ପ୍ରକାଶ କରି ନିଜର ଅସହାୟତା ପ୍ରକାଶ କରିଛନ୍ତି। ଯଦିଓ ବିଚାର ବିଭାଗ ପକ୍ଷରୁ ତାଙ୍କୁ ସ୍ୱଳ୍ପ ଉଶ୍ଵାସ ମିଳିଛି କିନ୍ତୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରି ନାହାନ୍ତି। ଏ ଭିତରେ ସେ ଜାଣି ସାରିଲେଣି ଯେ ବିଜେଡିରେ ତାଙ୍କ ଭୂମିକା ଆଉ ନାହିଁ କି ଆଗକୁ ହେବାର ସମ୍ଭାବନା ନାହିଁ। ଏଣୁ ଅପେକ୍ଷା ଏହି ଅଧ୍ୟାୟର ଯବନୀକା କେବେ ପଡ଼ିବ।

ପଦମପୁରରେ ବରିହାଙ୍କ ବର୍ଷା

ତୃତୀୟ ବର୍ଷା ହେଉଛନ୍ତି  ବିବଂଗତ ବିଜୟରଞ୍ଜନଙ୍କ ଝିଅ, ଏବେ ପଦ୍ମପୁର ପାଇଁ ପ୍ରାର୍ଥୀ। ବିଜୟଙ୍କ ମୃତ୍ୟୁ ପରେ ତାଙ୍କର ବିକଳ୍ପ ଭାବେ ପଦ୍ମପୁର ପାଇଁ ପ୍ରାର୍ଥୀ ନପାଇବାରୁ ବିଜେଡି ବର୍ଷାଙ୍କ ଉପରେ ଭରସା କରିଛି। ସେ ପୁଣି ବିଜେପି ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହଙ୍କ ବୋହୂ। ପୁଣି ତାଙ୍କ ପରିବାର ଓ ସମାଜରେ ପ୍ରାର୍ଥୀ କିଏ ହେବ ସେ ନେଇ ଯେଉଁ ବିବାଦ ଚାଲିଥିଲା ତାହାକୁ ପ୍ରଶମିତ କରିବା ଲାଗି ବିଜେଡିର ଅସ୍ତ୍ର ଭାବେ ସେ ଉଭା ହୋଇଛନ୍ତି। ଏଣୁ ନିଶ୍ଚିତ ଅପେକ୍ଷା ସେ କିପରି ନିର୍ବାଚନ ବୈତରଣୀରେ ବିଜେଡିକୁ ପାର କରାଉଛନ୍ତି। ନହେଲେ ତାଙ୍କ ଅବସ୍ଥା କ’ଣ ହେବ ତାହା ଭାବିବା ପୂର୍ବରୁ ତାଙ୍କୁ ପ୍ରାର୍ଥୀ କରାଇବାକୁ ଯୁକ୍ତି ବାଢ଼ିଥିବା ବରିଷ୍ଠ ନେତାଙ୍କ ଅବସ୍ଥା ବିଜେଡିରେ କ’ଣ ହେବ ତାହାକୁ ଦେଖିବା କଥା। ଏଣୁ ଅପେକ୍ଷା କରିବା ଡିସେମ୍ବର ୮ ତାରିଖକୁ।

Leave a Reply

Your email address will not be published. Required fields are marked *