ବନ୍ଦେ ଉତ୍କଳ ଜନନୀ: ଏଇଠି ପଢ଼ନ୍ତୁ ସମ୍ପୂଣ୍ଣ ବନ୍ଦନା ଓ ଶୁଣନ୍ତୁ ଏହାର ସଙ୍ଗୀତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ତଥା ଲୋକଙ୍କ ମନରେ ଓଡ଼ିଆ ଜାତୀୟତାବାଦକୁ ପୁଣିଥରେ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ ପାଇଁ ଅନୁରୋଧ କରିଛନ୍ତି। ଏଥିଲାଗି ସମସ୍ତ ସରକାରୀ କାର୍ଯ୍ୟାଳୟ ପ୍ରସ୍ତୁତ ହୋଇଛନ୍ତି। ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଓ ପୁଲିସ୍‌ ଅଧୀକ୍ଷକଙ୍କୁ ଏଥିଲାଗି ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ପଞ୍ଚାୟତ ସ୍ତରରେ ଯେପରି ସୁନ୍ଦର ପରିବେଶରେ ମର୍ଯ୍ୟାଦାର ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ହେବ ଏବଂ ଆବଶ୍ୟକ ସାମାଜିକ ଦୂରତ୍ଵ ରକ୍ଷା କରାଯାଇପାରିବ ସେଥିଲାଗି ବ୍ୟବସ୍ଥା ହୋଇଛି।

ଭାରତୀୟ ରେଳବାଇ ବନ୍ଦେ ଉତ୍କଳ ଜନନୀକୁ ଓଡ଼ିଶା ରାଜ୍ୟ ସଙ୍ଗୀତ ଭାବେ ମର୍ଯ୍ୟାଦା ଦେଇଛି। ଏହି ସଙ୍ଗୀତକୁ ରାଜ୍ୟର ପ୍ରମୁଖ ଷ୍ଟେସନ୍‌, ରେଳବାଇ କଲୋନୀରେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଗାନ କରିବା ଓ ବଜାଇବା ଲାଗି ପ୍ରସ୍ତୁତ ଥିବା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

ଏହି ଗୀତ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ଵାରା ରଚଳନା କରାଯାଇଥିଲା। ଉତ୍କଳ ସମ୍ମିଳନୀର ଆଦ୍ୟ ସଙ୍ଗୀତ ଭାବେ ଏହାକୁ ବାଲେଶ୍ଵର ସ୍ଵତନ୍ତ୍ର ଅଧିବେଶନରେ ଗ୍ରହଣ କରାଯାଇଥିଲା। ୧୯୧୨ ମସିହାରୁ ରାଜ୍ୟ ଗଠନ ଓ ଦେଶ ସ୍ଵାଧୀନ  ହେବା ଯାଏ ଏହା ଜନଗଣଙ୍କ ମନରେ ଆମ ଜାତୀୟ ସଙ୍ଗୀତ ଭାବେ ପରିଚିତ ଥିଲା। କିନ୍ତୁ କାଳକ୍ରମେ ଏହା ବିଲୀନ ହୋଇଥିଲା। ଅନେକ ଅନୁରୋଧ ସତ୍ତ୍ଵେ ରାଜ୍ୟ ସରକାର ଏହାର ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରଦାନ କରି ନାହାନ୍ତି। ଆଜି କୋଭିଡ୍‌ ସଙ୍କଟ ସମୟରେ ରାଜୃବାସୀଙ୍କୁ ଜାତୀୟତାବାଦ ମନ୍ତ୍ରରେ ମୁଗ୍ଧ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ତଥା ଦେଶ ବିଦେଶର ବିଭିନ୍ନ କୋଣରେ ଥିବା ଓଡ଼ିଆଙ୍କୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବାକୁ କହିଛନ୍ତି।

ବନ୍ଦେ ଉତ୍କଳ ଜନନୀ ଏକ ୬ ପଦ ବିଶିଷ୍ଟ କବିତା। ଏହାକୁ ପ୍ରଥମେ ସଙ୍ଗୀତର ରୂପ ଦେଇଥିଲେ ଜାତୀୟ କବି ବାଞ୍ଛାନିଧି ମହାନ୍ତି। ହାର୍‌ମୋନିୟମ୍‌କୁ ନିଜେ ବଜାଇ ଗାଁ ଗାଁ ବୁଲି ସେ ଏହି ସଙ୍ଗୀତକୁ ପ୍ରଚାର କରୁଥିବା ଐତିହାସିକ ବିବରଣୀ ରହିଛି। ଏବେ ବିଭିନ୍ନ କାର୍ଯ୍ୟକ୍ରମରେ ଏହାକୁ ସଙ୍ଗୀତ ରୂପ ଦିଆଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସଙ୍ଗୀତକୁ ଗାନ ପାଇଁ ଧାର୍ଯ୍ୟ କରାଯାଇଛି ତାହାର ସମୁଦାୟ ସମୟସୀମା ୪ମିନିଟ୍‌ ୪୧ ସେକେଣ୍ଡ।  ଆମ ଭିତରୁ ଅନେକ ଏହି ସଙ୍ଗୀତକୁ ଭୁଲି ଯାଇ ଥାଇ ପାରନ୍ତି। ଏଣୁ ଏହି ସଙ୍ଗୀତର ପ୍ରତିଟି ପଦ୍ୟକୁ ଏଠାରେ ଉପସ୍ଥାପନ କରୁଛୁ। ଏହା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସଙ୍ଗୀତକୁ ଗାନ ପାଇଁ ଧାର୍ଯ୍ୟ କରାଯାଇଛି ତାହାକୁ ଏଠାରେ ଉପସ୍ଥାପନ କରୁଛୁ। ଏହାକୁ ନିଜ ମୋବାଇଲ୍‌ ଫୋନ୍‌ କିମ୍ବ ଅନ୍ୟ ଯନ୍ତ୍ରରେ ଧରି ରଖିବା ତଥା ଗୁଣୁ ଗୁଣାଇ ମନେ ରଖିବା ଲାଗି ଆମେ ତାହାର ଅଡିଓ ଫାଇଲ୍‌କୁ ଏଠାରେ ଉପସ୍ଥାପନ କରୁଛୁ।  ଏଇଠି କ୍ଲିକ୍‌ କରନ୍ତୁ। 

 

ଏଠାରେ ସମ୍ପୂଣ୍ଣ କବିତାକୁ ଉଲ୍ଲେଖ କରୁଛୁ। 

 

ବନ୍ଦେ ଉତ୍କଳ ଜନନୀ,

ଚାରୁ ହାସମୟୀ ଚାରୁ ଭାଷମୟୀ,

ଜନନୀ, ଜନନୀ, ଜନନୀ॥

ପୂତ-ପୟୋଧି-ବିଧୌତ-ଶରୀରା,

ତାଳତମାଳ-ସୁଶୋଭିତ-ତୀରା,

ଶୁଭ୍ର ତଟିନୀକୂଳ-ଶୀକର-ସମୀରା,

 ଜନନୀ, ଜନନୀ, ଜନନୀ॥

ଘନ ଘନ ବନଭୂମି ରାଜିତ ଅଙ୍ଗେ,

ନୀଳ ଭୂଧରମାଳା ସାଜେ ତରଙ୍ଗେ,

କଳ କଳ ମୁଖରିତ ଚାରୁ ବିହଙ୍ଗେ,

ଜନନୀ, ଜନନୀ, ଜନନୀ॥

ସୁନ୍ଦର ଶାଳୀ-ସୁଶୋଭିତ-କ୍ଷେତ୍ରା, ଜ୍ଞା

ନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,

ଯୋଗୀଋଷିଗଣ-ଊଟଜ-ପବିତ୍ରା,

ଜନନୀ, ଜନନୀ, ଜନନୀ॥

ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,

ଚାରୁକଳାବଳୀ-ଶୋଭିତ-ବେଶା,

ପୁଣ୍ୟ ତୀର୍ଥାଚୟ-ପୂର୍ଣ୍ଣ-ପ୍ରଦେଶା,

ଜନନୀ, ଜନନୀ, ଜନନୀ॥

ଉତ୍କଳ ଶୂରବର-ଦର୍ପିତ-ଗେହା,

ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,

ବିଶ୍ୱଭୂମଣ୍ଡଳ-କୃତବର-ସ୍ନେହା, ଜନନୀ,

ଜନନୀ, ଜନନୀ॥

କବିକୁଳମୌଳି ସୁନନ୍ଦନ-ବନ୍ଦ୍ୟା,

ଭୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍ୟା,

 ଧନ୍ୟେ, ପୁଣ୍ୟେ, ଚିରଶରଣ୍ୟେ,

ଜନନୀ, ଜନନୀ, ଜନନୀ॥

Leave a Reply

Your email address will not be published.