ଶ୍ରୀମନ୍ଦିର ସେବାୟତଙ୍କୁ ଦ୍ୱିତୀୟ କିସ୍ତି ସହାୟତା, ମାଗଣା ମାସ୍କ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କରୋନା ମହାମାରୀ ସମୟରେ ପୁରୀ ଶ୍ରୀମନ୍ଦିରର ସମସ୍ତ ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ ଲାଗି ଯେଉଁ ଉଦ୍ୟମ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଛି ତାହା ଆଗକୁ ଜାରି ରହିବା ସମ୍ଭାବନା ସୃଷ୍ଟି ହୋଇଛି। ଏହିକ୍ରମରେ ଶ୍ରୀମନ୍ଦିର ପ୍ରଶାସନ ଦ୍ଵିତୀୟ କିସ୍ତି ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁସାରେ ଏହି ସହାୟତା ରାଶି ସମସ୍ତ ସେବାୟତଙ୍କ ନିକଟରେ ପହଞ୍ଚାଯିବ। ଏପରିକି ଯେଉଁ ସେବକମାନେ ସ୍ଵାସ୍ଥ୍ୟବୀମା ଯୋଜନା ଅନ୍ତର୍ଭୁକ୍ତ ହୋଇ ନାହାନ୍ତି ସେମାନେ ମଧ୍ୟ ଏହି ସହାୟତା ରାଶି ପାଇବେ ବୋଲି ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର କହିଛନ୍ତି। ଏହାସହ ଶ୍ରୀମନ୍ଦିର ସେବାୟତମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରାଯିବ। ଏଥିଲାଗି ବୟନିକା କିମ୍ବା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସହାୟତା ନେବା ଲାଗି ମନ୍ଦିର ପ୍ରଶାସନ ସ୍ଥିର କରିଛନ୍ତି।
ଏହି କରୋନା ବିପତ୍ତି ସମୟରେ ସେବାୟତମାନଙ୍କୁ ସହାୟ ହେବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଗରୁ ୫୦୦୦ ଟଙ୍କା ଲେଖାଏଁ ନଗଦ ସହାୟତା ପ୍ରଦାନ ଦିଆଯାଇଥିଲା । ଦ୍ୱିତୀୟ କିସ୍ତିରେ ମଧ୍ୟ ଅନୁରୂପ ପରିମାଣ ସହାୟତା ଦିଆଯିବ। ସେବକମାନଙ୍କ ମଙ୍ଗଳ ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା ପରେ ଡକ୍ଟର କୁମାର ଏହି ସୂଚନା ଦେବା ସହିତ କରୋନା ଯୋଗୁଁ ମନ୍ଦିର ବନ୍ଦ ଥିବାରୁ ସେବକଙ୍କ ପାଉଣା ଉପରେ ଏହାର ଗୁରୁତର ପ୍ରଭାବ ପଡୁଥିବା କହିଛନ୍ତି ।
ଆଜି ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ଯେଉଁ ସେବକମାନେ ସ୍ୱାସ୍ଥ୍ୟବୀମା ପରିସରଭୁକ୍ତ ହୋଇନାହାନ୍ତି ତୁରନ୍ତ ସେମାନଙ୍କ ନାମ ବୀମା ତାଲିକାରେ ଦରଜ ପାଇଁ ନିଷ୍ପତ୍ତି ହୋଇଛି । ଦଇତାପତି ନିଯୋଗ ସହିତ ଯେଉଁସବୁ ନିଯୋଗ ଗୁଡିକ ମନ୍ଦିର ଭିତରେ ସେବା କରୁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି ।
ଏଥିପାଇଁ ସେବକମାନଙ୍କୁ ପ୍ରାୟ ୫ହଜାର ମାସ୍କ ଯୋଗାଇ ଦିଆଯିବ । ବୟନିକା ସହାୟତାରେ ଅଥବା ଶ୍ରୀମନ୍ଦିର ପ୍ରଶାସନ ନିଜସ୍ୱ ଭାବେ ଏହିମାସ୍କ ପ୍ରସ୍ତୁତ କରିବ । ଦୁଇଦିନ ଭିତରେ ଏହାର ଡିଜାଇନ୍ ଚୂଡାନ୍ତ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ସେବାୟତମାନଙ୍କୁ ନେଇ ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି ଚାଲିଥିବାବେଳେ ସେମାନଙ୍କ ପରିବାର କିଭଳି ପାଉଣା ପାଇବେ ତାହା ଉପରେ ଆସନ୍ତା ରବିବାର ଦିନ ଆଲୋଚନା କରାଯିବ ।
ଏଥି ସହିତ ରଥଖଳାରେ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଆଗେଇ ଚାଲିଥିବାବେଳେ ଧାର୍ଯ୍ୟ ସମୟ ଠାରୁ ଆଗୁଆ ଭାବେ ନିର୍ମାଣ ହେଉଥିବା ମୁଖ୍ୟ ପ୍ରଶାସକ ଡକ୍ଟର କୁମାର ସୂଚନା ଦେଇଛନ୍ତି । ଏହି ଅବସରରେ ସୁରୁଖୁରୁରେ ସ୍ନାନପୂର୍ଣ୍ଣିମା କାର୍ଯ୍ୟ ସମ୍ପାଦନ ହୋଇଥିବାରୁ ସେବାୟତ, ମନ୍ଦିର ପ୍ରାଶାସନର କର୍ମକର୍ତ୍ତା ଓ ପୁରୀବାସୀଙ୍କୁ ମୁଖ୍ୟ ପ୍ରଶାସନ ଧନ୍ୟବାଦନ ଦେଇଥିଲେ ।