ଆଗାମୀ ୫ ଦିନ ଯାଏ ଓଡ଼ିଶାରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ଆଜି ୪୦ ଡିଗ୍ରୀ ଉପରେ ୧୪ ସହର

ଭୁବନେଶ୍ବର, (ଓଡିଶା ଟାଇମ୍) : ତାପମାତ୍ରା ଆହୁରି ବଢ଼ିବ । ଆଗାମୀ ୫ ଦିନ ପାଇଁ ଓଡ଼ିଶାର ୧୦ଟି ଜିଲ୍ଲାରେ ତାପମାତ୍ରା ଅଧିକ ରହିବ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି । ପାଣିପାଗ ବିଭାଗ ଆଗାମୀ ୨୭, ୨୮ ଓ ୨୯ ପାଇଁ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ମାଲକାନଗିରି ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସୋନପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ଓ ସମ୍ବଲପୁର ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ସେହିପରି ୨୫ ଓ ୨୬ ତାରିଖ ଦିନ ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ, ବୌଦ୍ଧ, ସୋନପୁର, ନୂଆପଡ଼ା, ଝାରସୁଗୁଡ଼ା, ମାଲକାନଗିରି ଓ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭାରତୀୟ ପାଣିପାଗ ବିଭାଗ ଦ୍ବାରା ସ୍ଥାପିତ ୨୮ଟି ଅବଲୋକନ କେନ୍ଦ୍ରରୁ ୧୩ରେ ୪୦ ଡିଗ୍ରି ସେଲିସିୟସ୍‌ରୁ ଅଧିକ ଉତ୍ତାପ ରେକର୍ଡ କରାଯାଇଛି ।

ଅନ୍ୟପକ୍ଷେ ଆଜି ଓଡ଼ିଶାର ୧୪ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି । ୪୫.୮ଡିଗ୍ରୀ ସହ ଟିଟିଲାଗଡ଼ ଆଜି ରାଜ୍ୟର ଉତ୍ତପ୍ତ ସହର । ସେହି ପରି ତାଳଚେରରେ ୪୪.୩ ଡିଗ୍ରୀ, ଭବାନୀପାଟଣାରେ ୪୪.୦ ଡିଗ୍ରୀ, ବଲାଙ୍ଗିରରେ ୪୪.୦ ଡିଗ୍ରୀ, ମାଲକାନଗିରିରେ ୪୩.୧ ଡିଗ୍ରୀ, ସୋନପୁର ୪୩.୦ ଡିଗ୍ରୀ, ଅନୁଗୁଳରେ ୪୨.୫ ଡିଗ୍ରୀ, ସମ୍ବଲପୁର ୪୨.୨ ଡିଗ୍ରୀ, ପାରଳାଖେମୁଣ୍ଡି ୪୨.୨ ଡିଗ୍ରୀ, ହୀରାକୁଦରେ ୪୧.୯ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ, ଫୁଲବାଣୀରେ ୪୧.୮ ଡିଗ୍ରୀ, ବୌଦ୍ଧରେ ୪୧.୮ ଡିଗ୍ରୀ, ଏବଂ ସୁନ୍ଦରଗଡ ୪୦.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *