ଡାକ ବାଲାଟ୍‌ର ପୁନଃ ଗଣତି ଦାବି କଲେ ତେଜସ୍ବୀ

ପାଟଣା, (ଓଡିଶା ଟାଇମ୍) : ବିହାର ନିର୍ବାଚନ ଫଳାଫଳ ଅନୁସାରେ ମ୍ୟାଜିକ ନମ୍ବରଠାରୁ ୧୨ ସଂଖ୍ୟା ପଛରେ ଥିଲେ ମଧ୍ୟ ସରକାର ଗଠନ ପାଇଁ ଆରଜେଡି ନେତା ତେଜସ୍ବୀ ଯାଦବ ଆଶା ରଖିଛନ୍ତି। ଏହି ଉଦ୍ଦେଶ୍ୟରେ ସେ ନିଜ ଦଳ ତଥା ମେଣ୍ଟ ଦଳର ସମସ୍ତ ବିଧାୟକଙ୍କୁ ପାଟନାରୁ ଆସନ୍ତା ମାସକ ପର୍ୟ୍ୟନ୍ତ ବାହାରକୁ ନ ଯିବା ପାଇଁ ଗୁରୁବାର ତାଗିଦା କରିଛନ୍ତି। ନିର୍ଦେଶ ନ ମିଳିବା ପର୍ୟ୍ୟନ୍ତ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ମଧ୍ୟ ନ ଫେରିବା ପାଇଁ ସେ ବିଧାୟକମାନଙ୍କୁ କହିଛନ୍ତି। ଅପରପକ୍ଷରେ ବହୁମତ ପାଇଥିବା ଏନ୍‌ଡିଏ ନୀତୀଶ କୁମାରଙ୍କ ନେତୃତ୍ୱରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

ଏଭଳି ସ୍ଥିତିରେ ମହାମେଣ୍ଟ ନେତା ତେଜସ୍ୱୀ ନିର୍ବାଚନ ଫଳାଫଳ ଘୋଷଣା ପରେ ପ୍ରଥମ ପ୍ରତିକ୍ରିୟା ରଖି ବିହାରରେ ନୂତନ ସରକାର ଆରଜେଡି ନେତୃତ୍ବାଧୀନ ମହାମେଣ୍ଟ ଗଠନ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅପରପକ୍ଷରେ ଗୁରୁବାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡି ଦେବୀଙ୍କ ବାସଭବନରେ ମହାମେଣ୍ଟର ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୧୦୯ ବିଧାୟକ ତେଜସ୍ୱୀଙ୍କୁ ବିଧାୟକ ଦଳ ନେତା ଭାବରେ ନିର୍ବାଚିତ କରିଛନ୍ତି।

ତେଜସ୍ୱୀ କହିଛନ୍ତି ଯେ ତାଙ୍କୁ ବିହାରର ଜନାଦେଶ ମିଳିଛି; କିନ୍ତୁ ନିର୍ବାଚନ ଆୟୋଗ ଏନ୍‌ଡିଏକୁ ଜିତାଇଛନ୍ତି। ଚଳିତ ନିର୍ବାଚନରେ ଆରଜେଡି ହିଁ ଏକକ ସଂଖ୍ୟା ଗରିଷ୍ଠ ଦଳ ରୂପେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ନୀତୀଶ କୁମାର ଏହି ନିର୍ବାଚନରେ ବ୍ୟାପକ ଅର୍ଥ ଓ ବାହୁବଳ ପ୍ରୟୋଗ କରିଛନ୍ତି। ଏହା ସତ୍ତ୍ବେ ମହାମେଣ୍ଟକୁ ଅଟକାଇପାରି ନାହାନ୍ତି। ନୀତୀଶ କୁମାରଙ୍କୁ ଜନତା ତୃତୀୟ ସ୍ଥାନକୁ ଠେଲି ଦେଇଛନ୍ତି। ମୋଦୀ ଓ ନୀତୀଶ ଜଣେ ୩୧ବର୍ଷର ଯୁବକକୁ ଅଟକାଇ ପାରି ନାହାନ୍ତି। ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି; କିନ୍ତୁ ଆମେ ଲୋକଙ୍କ ହୃଦୟରେ ଅଛୁ ବୋଲି ତେଜସ୍ୱୀ କହିଛନ୍ତି। ତେଜସ୍ୱୀ କହିଛନ୍ତି ଯେ ୨୦୧୫ରେ ଜନତାଙ୍କ ନିଷ୍ପତ୍ତି ତାଙ୍କ ଦଳ ପକ୍ଷରେ ଆସିଥିଲା, କିନ୍ତୁ ଚୋରା ଦ୍ୱାର ଦେଇ ବିଜେପି ସରକାରକୁ ଆସିଥିଲା​।

Leave a Reply

Your email address will not be published. Required fields are marked *