କୋଭିଡ ନିୟମ ଉଲଙ୍ଘନରେ ବନ୍ଦ ହେଲା ଟେକ୍ ମହିନ୍ଦ୍ରା

ଭୁବନେଶ୍ୱର,(ଓଡିଶା ଟାଇମ୍) : ଆଜି ଚନ୍ଦ୍ରଶେଖରପୁର ଅଂଚଳର ଏକ କମ୍ପାନୀ କାର୍ଯ୍ୟାଳୟ ଟେକ୍ ମହିନ୍ଦ୍ରାକୁ ବନ୍ଦ କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ । ଚାଲୁ ରହିଥିବା ରୋଗ ନିରୀକ୍ଷଣ ଏବଂ ବ୍ୟବସ୍ଥାଗତ ବିବରଣୀ ରୁ ସମ୍ପୃକ୍ତ କାର୍ଯ୍ୟାଳୟରେ ଗୋଟିଏ ପରେ ଗୋଟିଏ କୋଭିଡ଼୍‌-୧୯ ପଜିଟିଭ୍ ଥିବା ଜଣାପଡ଼ିବା ପରେ ବି.ଏମ୍‌.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି ।

ଡ଼େପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟିଙ୍କ ତତ୍ୱାବଧାନରେ ସ୍ୱତନ୍ତ୍ର ଟିମ୍ ଉକ୍ତ କାର୍ଯ୍ୟାଳୟକୁ ଯାଇ ଏହାକୁ ବନ୍ଦ କରିଛନ୍ତି । ସୂଚନାଯୋଗ୍ୟ ଯେ , କୋଭିଡ଼୍ -୧୯ ନିର୍ଦ୍ଦେଶାବଳୀର ଉଲ୍ଲଙ୍ଘନ ହେତୁ ଏହି ପଦକ୍ଷେପ ନେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ । ଏଠାରେ ୫ ଦିନ ମଧ୍ୟରେ ୭ ଜଣଙ୍କର ପଜିଟିଭ୍ ରିପୋର୍ଟ ଆସିବାରୁ ଉକ୍ତ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି ।

ତେବେ ଚିହ୍ନଟ ହୋଇଥିବା ପଜିଟିଭ୍ ମାନଙ୍କ ମଧ୍ୟରୁ ସମସ୍ତଙ୍କୁ କୋଭିଡ୍ କେୟାର ହସ୍ପିଟାଲକୁ ପଠାଯାଇଛି ଏବଂ ସେଠାରେ ବର୍ତମାନ ଥିବା ୬୭ ଜଣ କର୍ମଚାରୀଙ୍କୁ ହୋମ୍ କ୍ୱାରେଂଟାଇନ୍‌ରେ ରହିବାକୁ କୁହାଯାଇଛି । ଆଜିଠାରୁ ୧୪ ଦିନ ପର୍ଯ୍ୟନ୍ତ ଉକ୍ତ କମ୍ପାନୀର କାର୍ଯ୍ୟାଳୟ ବନ୍ଦ ରଖାଯିବାକୁ କୁହାଯାଇଛି ।

ଅନ୍ୟ ପକ୍ଷରେ ଆଜି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମହାନଗର ନିଗମାଂଚଳରେ ଏକ ସ୍ୱତନ୍ତ୍ର ଉଚ୍ଛେଦ କାର୍ଯ୍ୟକ୍ରମ କରାଯାଇଛି ।

ଭୁବନେଶ୍ୱର ମହାନଗର ନିଗମର ଦକ୍ଷିଣ-ପୂର୍ବ ଜୋନ୍ ଅଧିନରେ ୩ ନମ୍ବର ୱାର୍ଡ଼ରେ ଥିବା ରିଜର୍ଭ ବ୍ୟାଙ୍କ ଏବଂ ରାଜ୍ୟ ଟ୍ରେଜେରୀ ଅଫିସ୍ ପଛପଟ ରାସ୍ତାରେ ଅନେକ ବ୍ୟବସାୟୀ ଜବରଦଖଲ କରିବାର ଦୃଶ୍ୟ ମହାନଗର ନିଗମ କର୍ତୃପକ୍ଷଙ୍କ ନିକଟକୁ ଆସିବା ପରେ ଆଜି ଏଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।

ଦକ୍ଷିଣ-ପୂର୍ବ ଜୋନ୍‌ର ଜୋନାଲ୍ ଡ଼େପୁଟି କମିଶନର ଅଂଶୁମାନ ରଥଙ୍କ ତତ୍ୱାବଧାନରେ ମହାନଗର ନିଗମର ସେଂଟ୍ରାଲ୍ ଏନ୍‌ଫୋର୍ସମେଂଟ ଟିମ୍‌, ଦକ୍ଷିଣ-ପୂର୍ବ ଜୋନ୍ ର ଏନ୍‌ଫୋର୍ସମେଂଟ ଟିମ୍ ଏବଂ ପୋଲିସ୍ ପ୍ରଶାସନର ସହାୟତାରେ ଏହି ଉଚ୍ଛେଦ କାର୍ଯ୍ୟ କରାଯାଇଅଛି ।

Leave a Reply

Your email address will not be published. Required fields are marked *