ଟ୍ରକ ଆସୋସିଏସନ୍ର ଆନ୍ଦୋଳନ ଧମକ,ଟିକସ ଛାଡ କର
ଭୁବନେଶ୍ବର, (ଓଡିଶା ଟାଇମ୍) :ଲକଡାଉନ ସମୟରେ ଟ୍ରକ ଗୁଡିକ ଠିଆ ହୋଇ ରହିଲା । ଆଉ କିଛି ଟ୍ରକ କୋରୋନା ମୁକାବିଲାରେ ରାସ୍ତାରେ ଗଡିଥିଲା । ଫଳରେ ଟ୍ରକ ମାଲିକଙ୍କୁ ବହୁ କ୍ଷତି ସହିବାକୁ ପଡିଛି । ରାଜ୍ୟ ସରକାରଙ୍କୁ ଟ୍ରକ୍ ମାଲିକମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ମଧ୍ୟ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଟିକସ ଛାଡ କରିବା ପରିବର୍ତ୍ତେ ଟିକସ ପୈଠ କରିବାର ସମୟସୀମା ଜୁନ୍ ୩୦ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି । ରାଜ୍ୟ ସରକାର ଏପ୍ରିଲ, ମେ’ ଏବଂ ଜୁନ୍ ତିନିମାସର ସଡକ ଟିକସ ଛାଡ ପାଇଁ ରାଜ୍ୟ ଟ୍ରକ୍ ମାଲିକ ମହାସଂଘ ପକ୍ଷରୁ ଦାବି କରାଯାଇଛି । ଯଦି ରାଜ୍ୟ ସରକାର ଟିକସ ଛାଡ ନକରନ୍ତି ତାହେଲେ ଟ୍ରକ୍ ମାଲିକ ମହାସଂଘ ଧର୍ମଘଟକୁ ଓହ୍ଲାଇବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
ପରବର୍ତ୍ତୀ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ରାଜ୍ୟ ସରକାର ଟ୍ରକ୍ ମାଲିକ ସଂଘକୁ ଅନୁରୋଧ କରିଥିଲେ । କେନ୍ଦ୍ର ସରକାର ମଧ୍ୟ ଟ୍ରକ୍ ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଥିଲେ । ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଡ୍ରାଇଭର୍ମାନଙ୍କ ସାହଯ୍ୟ ନେଇ ଟ୍ରକ୍ ଚଳାଚଳ କରାଯାଇଥିଲା । ରାଜ୍ୟରେ ୨ ଲକ୍ଷ ଟ୍ରକ୍ ଚାଲୁଥିଲେ ମଧ୍ୟ ଏହି ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କାର୍ୟ୍ୟରେ ମାତ୍ର ୧୦ ହଜାର ଟ୍ରକ୍ ନିୟୋଜିତ ହୋଇପାରିଥିଲା । ଟ୍ରକ୍ ଗୁଡିକ ଗୋଟିଏ ପଟରୁ ମାଲ ନେଇ ପରିବହନ କରୁଥିଲେ ଓ ଅନ୍ୟପଟେ ଖାଲି ଫେରୁଥିଲେ । ତେଣୁ ଦୈନିକ ଗୋଟିଏ ଗୋଟିଏ ଟ୍ରକ୍କୁ ୫ ହଜାର ଟଙ୍କା ପର୍ୟ୍ୟନ୍ତ କ୍ଷତି ସହିବାକୁ ପଡୁଥିଲା । ବର୍ତ୍ତମାନ ସମୟରେ ବହୁ ଶିଳ୍ପ ସଂସ୍ଥା ବନ୍ଦ ରହିଥିଲାବେଳେ ପରିବହନ କମ୍ପାନୀଗୁଡିକ ମଧ୍ୟ ବନ୍ଦ ରହିଛି । ରାଜ୍ୟରେ ମାତ୍ର ୫୦ରୁ ୬୦ ହଜାର ଟ୍ରକ୍ ଆଂଶିକ ଭାବରେ ଚଳାଚଳ କରୁଛନ୍ତି । ଫଳରେ ଟ୍ରକ୍ ମାଲିକମାନଙ୍କୁ ବହୁ ପରିମାଣରେ କ୍ଷତି ସହିବାକୁ ପଡିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଏପ୍ରିଲ, ମେ’ ଏବଂ ଜୁନ୍ ତିନି ମାସ ସଡକ ଟିକସ ଛାଡ ପାଇଁ ରାଜ୍ୟ ଟ୍ରକ୍ ମାଲିକ ମହାସଂଘ ଦାବି କରିଛି ।