ଓଡ଼ିଶାରେ ଟାଟା ପାୱାର

ଭୁବନେଶ୍ୱର,(ଓଡ଼ିଶା ଟାଇମ୍‌): ରାଜ୍ୟର ବିଜୁଳି ବିତରଣ କ୍ଷେତ୍ରରେ ପ୍ରବେଶ କରିଛି ଟାଟା ପାୱାର।  ରାଜ୍ୟ ସରକାରଙ୍କଠାରୁ ସେସୁର ୫୧ ପ୍ରତିଶତ ଇକ୍ଵିଟି କିଣିବା ପରେ ଆଜିଠାରୁ ୨୫ ଲକ୍ଷ ଲୋକଙ୍କ ଘରେ ଟାଟା କମ୍ପାନୀ ଠିକଣା ଭାବେ ବିଜୁଳି ପହଞ୍ଚାଇବା କାର୍ଯ୍ୟ ହାତକୁ ନେଇଛି। ରାଜ୍ୟ ସରକାରଙ୍କ ବୁଝାମଣା ମୁତାବକ  ଟାଟା ପାୱାର ଭୁବନେଶ୍ଵର ସମେତ କଟକ, ପାରାଦୀପ, ଢେଙ୍କାନାଳ ପ୍ରଭୃତି ୫ଟି ବିଜୁଳି ସର୍କଲ ଅଥବା ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢେଙ୍କାନାଳ ଭଳି ଜିଲ୍ଲାର ୩୦ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ଟାଟା ବିଜୁଳି ବଣ୍ଟନ କରିବ। ଏ ବାବଦରେ ଦେୟ ଆଦାୟ, ଗ୍ରାହକ ବୃଦ୍ଧି, ବକେୟା ଦେୟ ଆଦାୟ ଏବଂ ଗ୍ରାହକ ସେବାରେ ବିକାଶ ଆଣି ବିଜୁଳି ସରବରାହ ଜନିତ କ୍ଷତିକୁ କମାଇବା ଲାଗି କମ୍ପାନୀ ବ୍ୟବସ୍ଥା କରିବ ବୋଲି ଟାଟା ପାୱାରର ସିଇଓ ତଥା ଏମ୍‌ଡି ପ୍ରବୀର ସିହ୍ନା କହିଛନ୍ତି।

୨୫ ବର୍ଷ ପାଇଁ ରାଜ୍ୟର ଏହି ୫ଟି ବିଜୁଳି ସର୍କଲରେ ନିଜର ସେବା ମାଧ୍ୟମରେ ବ୍ୟବସାୟିକ ପ୍ରତିପତ୍ତି ବିସ୍ତାର କରିବାକୁ ଓଡ଼ିଶା ସରକାର ଟାଟା ପାୱାରକୁ କ୍ଷମତାପନ୍ନ କରିଛନ୍ତି।

ପୂର୍ବରୁ  ଓଡ଼ିଶା ସରକାରଙ୍କ କମ୍ପାନୀ ସେସୁ ଏହିସବୁ କ୍ଷେତ୍ରର ବିଜୁଳି ବଣ୍ଟନ କାର୍ଯ୍ୟ କରୁଥିଲା। ଏଠାରେ ହୋଇଥିବା ଘରୋଇ ନିବେଶକୁ କୌଣସି କାରଣରୁ ସରକାର ପୂର୍ବରୁ ହଟାଇଥିଲେ। ଏହି ସମୟରେ ବିଜୁଳି ବଣ୍ଟନ ବାବଦ ଦେୟ ଗ୍ରାହକଙ୍କ ଉପରେ ପଡ଼ି ରହିଛି। ଏହାକୁ ଆଦାୟ କରିବା ପାଇଁ  ସେସୁ ପକ୍ଷରୁ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ବିଫଳ ରହିଛି। ଏବେ ସେ ଦେୟ ଆଦାୟ ପାଇଁ ଟାଟା ପାୱାର ଚେଷ୍ଟା କରିବ କିନ୍ତୁ ଏହା କିପରି ଆଦାୟ ହେବ ସେ ନେଇ କୌଣସି ଚୁକ୍ତି ବା ବୁଝାମଣା ସରକାରଙ୍କ ସହ ହୋଇ ନଥିବା ଶ୍ରୀ ସିହ୍ନା କହିଛନ୍ତି।

ଏବେ ଦିଲ୍ଲୀ, ମୁମ୍ବାଇ ଏବଂ ଆଜ୍‌ମେରରେ ଟାଟା ପାୱାର ବିଜୁଳି ବଣ୍ଟନ ଦାୟିତ୍ଵ ହାସଲ କରିଛି। ଦିଲ୍ଲୀ ଓ ଆଜମେର୍‌ରେ ଟାଟା ପାୱାର ବିଜୁଳି ବଣ୍ଟନ ଜନିତ କ୍ଷତିକୁ କମାଇ ପାରିଥିବା କହିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହି ଦିଲ୍ଲୀରେ ଏଟି ଆଣ୍ଡ୍‌ ସି କ୍ଷତିକୁ ୫୩.୧ ପ୍ରତିଶତରୁ (୨୦୦୨ ଜୁଲାଇ)ରୁ ହ୍ରାସ କରି ଦିଲ୍ଲୀରେ ୮ ପ୍ରତିଶତରୁ କମ ପର୍ଯ୍ୟନ୍ତ (୨୦୧୯ ମାର୍ଚ୍ଚ) ଓ ଆଜମେର୍‌ରେ ୨୧.୬ ପ୍ରତିଶତରୁ (୨୦୧୭ ଜୁଲାଇ) ୧୦ ପ୍ରତିଶତକୁ (୨୦୧୯ ଅଗଷ୍ଟ) ହ୍ରାସ କରିଛି ।

ଶ୍ରୀ ସିହ୍ନା କହିଛନ୍ତି, “ସେସୁ ସହିତ ଆମର ସହବନ୍ଧନ ଟାଟା ପାୱାର ପାଇଁ ବହୁତ ବଡ଼ ବିଷୟ । ଆମକୁ ଏହି ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାର ଓ ଓଇଆରସି ପ୍ରତି ଆମେ କୃତଜ୍ଞ । ଅଭିନବ ପ୍ରଯୁକ୍ତି ସହିତ ଭରସାଯୋଗ୍ୟ, ସୁଲଭ ଓ ଗୁଣାତ୍ମକ ବିଦ୍ୟୁତ ଯୋଗାଣ କରିବାକୁ ଆମେ ପ୍ରତିବଦ୍ଧ । ଦିଲ୍ଲୀ, ମୁମ୍ବାଇ ଓ ଆଜମେରଠାରେ ଆମେ ବିଜୁଳି ବ୍ୟବସାୟ ଦ୍ଵାରା ଅନେକ ସଫଳତା ଲାଭ କରିଛୁ। ଆଗକୁ ଦେଶର ସବୁଠୁ ପସନ୍ଦଯୋଗ୍ୟ ବିଦ୍ୟୁତ ବିତରଣ କମ୍ପାନୀ ହେବା ଲାଗି ଆମେ ନିରନ୍ତର ଉଦ୍ୟମ କରୁଛୁ ।’’

Leave a Reply

Your email address will not be published.