କାଶ୍ମୀରରେ ଟାର୍ଗେଟ କିଲିଂ, ୩୨ ଜଣଙ୍କୁ ମାରିଲେଣି ଆତଙ୍କବାଦୀ

ଭୁବନେଶ୍ବର,(ଓଡ଼ିଶା ଟାଇମ୍): କ’ଣ ଜମ୍ମୁ-କାଶ୍ମୀରରେ ଆତଙ୍କବାଦ କମିଛି ? କ’ଣ ପୂର୍ବାପେକ୍ଷା ସ୍ଥିତି ସୁଧୁରିଛି ? ଧାରା ୩୭୦ ଉଚ୍ଛେଦ ପରେ ଏହି ଚର୍ଚ୍ଚା ଜୋର ଧରିଛି । ଆଉ ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷ ହେଲା ସ୍ଥିତି ସୁଧୁରିଛି ଏବଂ ଜମ୍ମୁ-କାଶ୍ମୀର ଉନ୍ନତି ରାସ୍ତାରେ ତୀବ୍ର ଗତିରେ ଧାଉଁଛି । ହେଲେ ଏହା କ’ଣ ସତ ?

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ରକ୍ତର ଖେଳ ଖେଳୁଛନ୍ତି । ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ଆଉ ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ପରେ ସେନାର ଅପରେସନ ଅଲଆଉଟ୍ ଆରମ୍ଭ କରିଛି । ଯାହାଫଳରେ ଆହୁରି ଉଗ୍ର ହୋଇଛନ୍ତି ଆତଙ୍କବାଦୀ । ମୁଖ୍ୟତଃ ହିନ୍ଦୁ, ଶିଖ୍ ଏବଂ ପ୍ରବାସୀଙ୍କୁ ହତ୍ୟା କରାଯାଉଛି । ଜମ୍ମୁ-କାଶ୍ମୀରରେ ରହୁଥିବା ପ୍ରବାସୀ ରାଜ୍ୟ ଛାଡ଼ୁଥିବା ବେଳେ କାଶ୍ମୀର ଘାଟିରେ ରହୁଥିବା ପଣ୍ଡିତମାନେ ପୁଣି ଥରେ ପଳାୟନ କରୁଛନ୍ତି । ଆଉ ଏହାର କାରଣ ହେଉଛି ଆତଙ୍କୀଙ୍କ ଦ୍ୱାରା ଚାଲିଥିବା ନରହତ୍ୟା । ଗତ ଶନିବାର ଏବଂ ରବିବାର ୪ ଜଣ ସାଧାରଣ ଲୋକ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ।
ତେବେ ଯେଉଁମାନଙ୍କୁ ହତ୍ୟା କରାଯାଉଛି ସେମାନେ କିଏ ଜାଣି ନିଅନ୍ତୁ । ୨ ମାସ ଭିତରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଗୁପଚୁପ୍ ବିକାଳୀ , ଔଷଧ ଦୋକାନ କରିଥିବା ଜଣେ କାଶ୍ମୀରୀ ପଣ୍ଡିତ, ଦୁଇଜଣ ଶିକ୍ଷକ, କାଠ କାମ କରୁଥିବା ଜଣେ ଗରିବ ବ୍ୟକ୍ତି ଆଉ ଦୁଇ ଦିନ ମଜୁରିଆଙ୍କ ହତ୍ୟା କରିଛନ୍ତି ନୃଶଂସ ରାକ୍ଷସ ।

ଶନିବାର ଶ୍ରୀନଗରର ଇଦଗାହ ଅଞ୍ଚଳରେ ବିହାରର ଅରବିନ୍ଦ କୁମାରଙ୍କୁ ଗୁଳିକରି ହତ୍ୟା କଲେ ଆତଙ୍କବାଦୀ । ସେ ଗୁପଚୁପ ବିକ୍ରିକରି ତାଙ୍କ ପରିବାର ପ୍ରତିପୋଷଣ କରୁଥିଲେ । ଅଚାନକ କିଛି ଆତଙ୍କୀ ଆସି ଅରବିନ୍ଦଙ୍କ ମୁଣ୍ଡରେ ଗୁଳିକରି ଫେରାର ହୋଇଗଲେ । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅଧିକ ରକ୍ତ ବୋହିଯିବାରୁ ତାଙ୍କ ମୃତ୍ୟୁ ହୋଇଗଲା । ସେପଟେ ପୁଲୱାମାରେ ମଧ୍ୟ ୟୁପିର ସଗୀର ଅହମ୍ମଦଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଆତଙ୍କବାଦୀ । କେବଳ ଏତିକି ନୁହେଁ ରବିବାର ପୁଞ୍ଚ ଅଞ୍ଚଳରେ ୨ ଜଣ ଦିନମଜୁରିଆଙ୍କୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଛି ।

ଏହାପୂର୍ବରୁ ଶ୍ରୀନଗର ଅଞ୍ଚଳରେ ଗୁପୁଚୁପ ବିକାଳୀ ବିରେନ୍ଦ୍ର ପାସୱାନଙ୍କ ହତ୍ୟା କରିଥିଲେ ଆତଙ୍କବାଦୀ । ସେହିପରି କାଶ୍ମୀରର ଜଣାଶୁଣା ଫାର୍ମାସିଷ୍ଟ ମାଖନଲାଲଙ୍କୁ ମଧ୍ୟ ତାଙ୍କ ଦୋକାନରେ ଗୁଳିକରି ହତ୍ୟା କରାଯାଇଥିଲା । ଏହାର ଗୋଟିଏ ଦିନ ପରେ ଇଦଗାହ ଅଞ୍ଚଳର ଏକ ସରକାରୀ ସ୍କୁଲର ଦୁଇ ଜଣ ଶିକ୍ଷକଙ୍କୁ ଗୁଳିମାରି ହତ୍ୟା କରିଥିଲେ ଆତଙ୍କବାଦୀ । ସରକାରୀ ତଥ୍ୟ ଅନୁସାରେ, ୨୦୨୧ରେ, ଏପର୍ଯ୍ୟନ୍ତ ୩୨ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିସାରିଛନ୍ତି ବର୍ବର ଆତଙ୍କବାଦୀ ।
ସେପଟେ କାଶ୍ମୀର ପୋଲିସର କହିବା ଅନୁସାରେ ଟାର୍ଗେଟ କିଲିଂ ଘଟଣା ପରେ ଆତଙ୍କବାଦୀଙ୍କ ବିରୋଧରେ ଦୃତ ଗତିରେ ଆକ୍ସନ ନିଆଯାଉଛି । ଏପର୍ଯ୍ୟନ୍ତ ୧୧ ତାରିଖରୁ ୯ଟି ସ୍ଥାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୩ ଆତଙ୍କୀ ନିହତ ହୋଇଛନ୍ତି । ୧୧ ଅକ୍ଟୋବର ଅନନ୍ତନାଗ ଏବଂ ବାନ୍ଦିପୋରାରେ ୨ ଆତଙ୍କୀ ନିପାତ ହୋଇଥିବା ବେଳେ ସୋପିଆଁରେ TRFର ୩ ଆତଙ୍କୀଙ୍କ ମୃତ୍ୟୁ । ୧୨ ଅକ୍ଟୋବରରେ ସୋପିଆଁରେ ଆଉ ୨ ଆତଙ୍କୀ ନିହତ ।୧୩ ଅକ୍ଟୋବର ଜଣେ, ୧୪ ଅକ୍ଟୋବରେ ଆଉ ଜଣେ, ୧୫ ଅକ୍ଟୋବରରେ ଶ୍ରୀନଗର ଏବଂ ପୁଲୱାମାରେ ୨ ଆତଙ୍କବାଦୀ ଏବଂ ଶନିବାର ୧୬ ଅକ୍ଟୋବରରେ ପଂପୋରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ସେହିପରି ଆତଙ୍କବାଦୀଙ୍କ ଗୁଳିରେ ୯ ଯବାନ ମଧ୍ୟ ସହିଦ ହୋଇଛନ୍ତି ।

ଆହୁରି ପଢନ୍ତୁ:

କାଶ୍ମୀର ଉପତ୍ୟକାରେ ବଢୁଥିବା ଆକ୍ରମଣକୁ ନେଇ ଆତଙ୍କିତ ପ୍ରବାସୀ

 

 

Leave a Reply

Your email address will not be published. Required fields are marked *