ତାଲିବାନ କବଳରେ ପଞ୍ଜଶିର; ସାଲେହଙ୍କ ସହିତ ଅହମଦ ମାସୁଦ ତାଜିକିସ୍ତାନ ପଳାଇଥିବା ସୂଚନା
କାବୁଲ, (ଓଡିଶା ଟାଇମ୍): ଦୀର୍ଘ ଲଢେଇ ପରେ ହିନ୍ଦୁକୁଶ ପର୍ବତମାଳାରେ ଅବସ୍ଥିତ ପଞ୍ଜଶିର ଶେଷରେ ତାଲିବାନ ଆତଙ୍କିଙ୍କ ଦଖଲକୁ ଯାଇଛି। ଶୁକ୍ରବାର ରାତିରୁ ତାଲିବାନ ଆତଙ୍କିମାନେ ପଞ୍ଜଶିରକୁ ଘେରିଯାଇ ନର୍ଦର୍ଣ୍ଣ ଆଲାଏନ୍ସ ବିରୁଦ୍ଧରେ ଘମାଘୋଟ ଲଢେଇ ଆରମ୍ଭ କରିଦେଇଥିଲେ। ସେମାନେ ଆମେରିକା ଛାଡିଯାଇଥିବା ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ସହିତ ଏଥିରେ ସେମାନଙ୍କୁ ପାକିସ୍ତାନର କିଛି ସୈନ୍ୟ ଓ ସେନା ଅଧିକାରୀ ସେଠାରେ ସହାୟତା କରିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଆଫଗାନିସ୍ତାନର ପୂର୍ବତନ ଉପ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏବଂ ପଞ୍ଜଶିରର ବୀର କୁହାଯାଉଥିବା ଅହମଦ ମାସୁଦ ବିଶ୍ୱ ସମୁଦାୟ, ଜାତିସଂଘକୁ ସହାୟତା ପାଇଁ ବାରମ୍ବାର ଅନୁରୋଧ କରିଥିଲେ। ସେମାନଙ୍କ ନିକଟରେ ଥିବା ଗୁଳିଗୋଳା, ଖାଦ୍ୟ ସାମଗ୍ରୀ ଆଦି ଶେଷ ହୋଇଆସୁଥିବା ଏବଂ ସେଠାରେ ଆଫଗାନିସ୍ତାନର ଅନ୍ୟାନ୍ୟ ଅଞ୍ଚଳରୁ ପଳାଇ ଆସି ଆଶ୍ରୟ ନେଇଥିବା ପ୍ରାୟ ଅଢେଇ ଲକ୍ଷ ଲୋକଙ୍କୁ ସହାୟତାର ହାତ ବଢାଇବାକୁ ସେମାନେ ନିବେଦନ କରିଥିଲେ। କିନ୍ତୁ ସେମାନଙ୍କର ନିବେଦନ ବିଫଳ ହୋଇଥିଲା। ତାଲିବାନ ସହିତ ଶେଷ ପର୍ଯ୍ୟନ୍ତ ଲଢେଇ ଜାରି ରଖିଥିଲେ ମଧ୍ୟ ନର୍ଦର୍ଣ୍ଣ ଆଲାଏନ୍ସକୁ ଶେଷରେ ପରାସ୍ତ ହେବାକୁ ପଡିଛି। ତାଲିବାନ ଆତଙ୍କିମାନେ ପଞ୍ଜଶିର ସମ୍ପୂର୍ଣ୍ଣ ଦଖଲ କରି ସେଠାରେ ଥିବା ଗଭର୍ଣ୍ଣର ହାଉସ ଉପରେ ତାଲିବାନି ପତାକା ଉଡାଇଛନ୍ତି। ଇତିମଧ୍ୟରେ ପଞ୍ଜଶିର ସୀମାନ୍ତକୁ ଲାଗିଥିବା ତାକିକିସ୍ତାନ ମଧ୍ୟକୁ ଅହମଦ ମାସୁଦ ଏବଂ ଅମରୁଲ୍ଲା ସାଲେହ ପଳାଇ ଯାଇଥିବା କୁହାଯାଉଛି।











