ଜୁଲାଇ ୬ରୁ ଖୋଲିବ ତାଜ ମହଲ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ହେଉଛି ତାଜମହଲ । ଜୁଲାଇ ୬ ତାରିଖ ଅର୍ଥାତ୍ ଆସନ୍ତା ସୋମବାର ଦିନ ପର୍ଯ୍ୟଟକଙ୍କ ଲାଗି ଖୋଲିବାକୁ ଯାଉଛି ତାଜମହଲ । କରୋନା ଭାଇରସ ଯୋଗୁଁ ଦୀର୍ଘ ୩ ମାସ ପରେ ଏହା ଖୋଲାଯିବ ।

ତାଜ ମହଲକୁ କେହି କେହି ପ୍ରେମର ପ୍ରତିକ କହୁଥିବା ବେଳେ ମୋଗଲ ଶାସକ ଶାହାଜାହାନ ତାଙ୍କ ପତ୍ନୀ ମୋମତାଜଙ୍କ ସ୍ମୃତିରେ ନିର୍ମାଣ କରାଇଥିଲେ ।

ତାଜ ମହଲ ପରିଦର୍ଶନ ସମୟରେ ପର୍ଯ୍ୟଟକମାନେ ମାସ୍କ ପିନ୍ଧିବା ଓ ପରସ୍ପର ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଦିନ ପ୍ରାୟ ୫୦୦୦ ଲୋକଙ୍କୁ ତାଜମହଲ ଦେଖିବାକୁ ଅନୁମତି ଦିଆଯାଇଛି । ଯେଉଁମାନଙ୍କୁ ଦୁଇଟି ଗ୍ରୁପରେ ବଣ୍ଟା ହେବ ଏବଂ ଏକସଙ୍ଗରେ ଫଟୋ ଉଠାଇବାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ । ଏପରିକି ପରିଦର୍ଶନ ସମୟରେ ପର୍ଯ୍ୟଟକ ମାନଙ୍କୁ ସ୍ମାରକୀର କୌଣସି ଅଂଶକୁ ଛୁଇଁବାକୁ ମନା କରାଯାଇଛି ।

ଦେଶରେ ଅଧିକ ସଂଖ୍ୟକ ଲୋକଥିବା ରାଜ୍ୟ ଭାବେ ଉତ୍ତରପ୍ରଦେଶର ଆଗ୍ରାରେ କରୋନାର ପ୍ରକୋପ ଅଧିକ ରହିଛି । ଯାହାଫଳରେ ଗତ ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ତାଜମହଲକୁ ବନ୍ଦ କରି ଦିଆଯାଇଥିଲା ।

ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ଏକ ଟ୍ୱିଟରେ କୁହାଯାଇଛି ଯେ ସମସ୍ତ ଏଏସଆଇ ସ୍ମାରକୀକୁ ଆବଶ୍ୟକୀୟ ସାବଧାନତା ଓ ସୁରକ୍ଷା ଉପାୟ ଅବଲମ୍ବନ କରିବା ସହ ଖୋଲାଯିବ । ଏପରିକି ସଂରକ୍ଷିତ ସ୍ମାରକ ସ୍ଥଳୀ ଗୁଡିକରେ ସାନିଟାଇଜେସନ, ସାମାଜିକ ଦୂରତ୍ୱ ଓ ଅନ୍ୟ ସମସ୍ତ ହେଲ୍‌ଥ ପ୍ରୋଟୋକଲ୍ ଗୁଡିକୁ ପାଳନ କରାଯିବ ।

ବିଭାଗ ପକ୍ଷରୁ ଜୁଲାଇ ୬ ତାରିଖ ଠାରୁ ସମସ୍ତ ସ୍ମାରକୀ ଗୁଡିକୁ ଖୋଲିବା ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ଯେଉଁଥିରେ ଦିଲ୍ଲୀର ଲାଲ୍ କିଲ୍ଲା ମଧ୍ୟ ସାମିଲ ରହିଛି । ଆଗ୍ରାର ସ୍ଥାନୀୟ ଲୋକଙ୍କ ପାଇଁ ତାଜମହଲ ଏକ ୱିକେଣ୍ଡ ଡେଷ୍ଟିନେସନ୍ ପାଲଟିଥିବା ବେଳେ ପୁଣିଥରେ ଏହି ସ୍ମାରକୀକୁ ଖୋଲିବା ଦ୍ୱାରା ଏଠାରେ ପର୍ଯ୍ୟଟକଙ୍କ ଖୁବ୍ ଭିଡ ଜମିବ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *