ବାଟବଣା ସ୍ୱଚ୍ଛ ଭାରତ ଅଭିଯାନ: ପାଇଖାନା ନିର୍ମାଣରେ ହେଉଛି ବ୍ୟାପକ ଦୁର୍ନୀତି
କେନ୍ଦ୍ରାପଡା଼, (ପ୍ରଦୀପ କୁମାର ଜେନା): କେନ୍ଦ୍ରାପଡ଼ା ଜିଲ୍ଲାରେ ବାଟବଣା ହୋଇଛି ସ୍ୱଚ୍ଛ ଭାରତ ଅଭିଯାନ । କେଉଁଠି ଦଲାଲମାନେ ହିତାଧିକାରୀଙ୍କୁ ପାଇଖାନା କରାଇ ଦେବା ପାଇଁ ୨ ହଜାରରୁ ୪ ହଜାର ଟଙ୍କା ଲାଞ୍ଚ ନେଉଛନ୍ତି ତ କେଉଁଠି ଠିକାଦାରମାନେ ନିମ୍ନମାନର ପାଇଖାନା ନିର୍ମାଣ କରି ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହେଉଛି । ଏମିତି ଅଭିଯୋଗ ନେଇ ରାଜକନିକା ବ୍ଲକର ତରାସ ଗ୍ରାମ ପଞ୍ଚାୟତର ପାଇଖାନା ହୀତାଧିକାରୀମାନେ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ସାକ୍ଷାତ କରିଛନ୍ତି ।
ନିକଟରେ ତରାସ ଗ୍ରାମ ପଞ୍ଚାୟତରେ ଶେଷ ହୋଇଛି ଶହେଟି ପାଇଖାନା । ଏହି ପାଇଖାନା ଗୁଡ଼ିକ କଂଟ୍ରାକ୍ଟରଙ୍କ ଦ୍ୱାରା ତିଆରି ହୋଇଛି । ମାତ୍ର ପାଇଖାନାଗୁଡ଼ିକ ତିଆରି ହୋଇ ବ୍ୟବହାର ନହେଉଣୁ କେଉଁ ପାଇଖାନାର ଛାତ ଉଡ଼ି ଗଲାଣି ତ କେଉଁ ପାଇଖାନା ଟାଙ୍କିର ନନ୍ଦ ଭାଙ୍ଗି ଯାଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ଆଉ କେଉଁଠି ଠିକାଦାର ଅଧାପନ୍ତରିଆ ଭାବେ ପାଇଖାନା ତିଆରି କରି ପୁରା ୧୨ ହଜାର ଟଙ୍କା ବିଲ କରି ନେଇଥିବା ଅଭିଯୋଗ ହୋଇଛି । ପାଇଖାନା ଟଙ୍କି ଗୁଡ଼ିକରେ ଅତି ପତଳା ନନ୍ଦ ବ୍ୟବାହର ହୋଇଥିବାରୁ ପାଇଖାନା ଗୁଡ଼ିକର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ପାଇଖାନା ଛାତରେ ଆବଶ୍ୟକୀୟ ଗୋଡ଼ି, ସିମେଂଟ ଓ ରଡ଼ ଦିଆଯାଇନଥିବା କୁହାଯାଉଛି । ଏହି ଭଳି ଅବସ୍ଥାରେ ନିର୍ମିତ ହୋଇଥିôବା ପାଇଖାନା ଗୁଡ଼ିକ ବ୍ୟବହାର ଉପଯୋଗୀ ନୁହେଁ ବୋଲି ହିତାଧିକାରୀମାନେ ଅଭିଯୋଗ କରୁଛନ୍ତି । ସେହିପରି ସ୍ୱଚ୍ଛ ଭାରତ ଅଭିଯାନରେ ଗୋଟିଏ ପାଇଖାନା ନିର୍ମାଣ ପାଇଁ ସରକାର ୧୨ ହଜାର ଟଙ୍କା ଅନୁଦାନ ଦେଉଥିôବା ବେଳେ ଠିକାଦାରମାନେ ୫ ହଜାରରୁ ୭ ହଜାର ଟଙ୍କା ମଧ୍ୟରେ ପାଇଖାନା ନିର୍ମାଣରେ ଖର୍ଚ୍ଚ କରି ଅବଶିଷ୍ଟ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହେଉଛି ।
ତରାସ ପଂଚାୟତର ଅମର ସାହୁ, ତାରିଣୀ ବାରିକ, ଜୟୀରାମ ଜେନାଙ୍କ ସମେତ ଅନ୍ୟ ହିତାଧିକାରୀମାନେ ମଙ୍ଗଳବାର ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏ ନେଇ ଅଭିଯୋଗ କରିବା ସହ ତାଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ।