ଓଡ଼ିଶା ସମେତ ସମଗ୍ର ଦେଶରୁ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଓଡ଼ିଶା ସମେତ ସାରା ଦେଶରୁ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ବୁଧବାର ସମ୍ପୂର୍ଣ୍ଣ ବିଦାୟ ନେଇଛି। ଭୁବନେଶ୍ଵର ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ବିଦାୟ ନେବାର ପ୍ରକ୍ରିୟା ଜାରି ରହିଥିଲା। ମଙ୍ଗଳବାର ସୁଦ୍ଧା ମୌସୁମୀବାୟୁ ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ବରଗଡ, ସୁବର୍ଣ୍ଣପୁର, ବଲାଙ୍ଗିର ଏବଂ ନୂଆପଡା ଜିଲାରୁ ବିଦାୟ ନେଇଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ କୋରାପୁଟ ଜିଲାର କିଛି ଅଞ୍ଚଳରୁ ପ୍ରତ୍ୟାବର୍ତ୍ତନ କରିଥିଲା। ଆଜି ଓଡ଼ିଶାର ଅବଶିଷ୍ଟ ଅଞ୍ଚଳରୁ ମୌସୁମୀବାୟୁ ପ୍ରତ୍ୟାବର୍ତ୍ତନ କରିବା ସହିତ ସମଗ୍ର ଦେଶରୁ ବିଦାୟ ନେଇଥିବା ସୂଚନା ମିଳିଛି।

ମୌସୁମି ବାୟୁ ବିଦାୟ ନେବା ସହିତ ଆସନ୍ତା ୪ଦିନ ଅର୍ଥାତ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ନଭେମ୍ବର ପହିଲାରୁ ଉପକୂଳ ଓଡ଼ିଶାର କିଛି ଜିଲାରେ ବର୍ଷାର ସମ୍ଭାବନା ରହିଛି। ମୌସୁମି ବିଦାୟ ନେବା ସହିତ ରାଜ୍ୟରେ ପାଗ ଶୁଖିଲା ରହିଥିବାବେଳେ ଖୁବ୍ ଶୀଘ୍ର ତାପମାତ୍ରା କମିବାର ସମ୍ଭାବନା ରହିବ l

Leave a Reply

Your email address will not be published.