ମୋ ପୁଅକୁ ବିଷ ଦେଉଥିଲା ରିୟା; ତାକୁ ତୁରନ୍ତ ଗିରଫ କରାଯାଉ: ସୁଶାନ୍ତଙ୍କ ବାପା
ମୁମ୍ବାଇ, (ଓଡିଶା ଟାଇମ୍): ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ ଥିବା ସାମ୍ନାକୁ ଆସୁଛି । ଏଭଳି ସମୟରେ ସୁଶାନ୍ତଙ୍କ ବାପା କୃଷ୍ଣ କୁମାର ସିଂହ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।
ସେ ଗଣମାଧ୍ୟମ ଆଗରେ କହିଛନ୍ତି ଯେ “ମୋ ପୁଅକୁ ଅନେକ ଦିନ ଧରି ରିୟା ବିଷ ଦେଉଥିଲା । ସେ ଜଣେ ହତ୍ୟାକାରୀ । ଯାଞ୍ଚ ଏଜେନ୍ସି ମାନେ ରିୟା ଓ ତାର ସହଯୋଗୀ ମାନଙ୍କୁ ଅବିଳମ୍ବେ ଗିରଫ କରିବା ସହ ସେମାନଙ୍କୁ ଦଣ୍ଡ ଦିଅନ୍ତୁ” ।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ମଞ୍ଜୁରୀ ପରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଭାର ଏବେ ସିବିଆଇ ସମ୍ଭାଳିଛି । ଏହା ପୂର୍ବରୁ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ପିତା କେେ କେ ସିଂହ ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ପାଟନା ଥାନାରେ ଏଫଆଇଆର୍ ମଧ୍ୟ କରିଥିଲେ ।
ଏପରିକି ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଥିଲେ ।
ଯାହାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମନି ଲଣ୍ଡରିଂ ମାମଲା ରୁଜୁ କରା ଯାଇଛି । ଏପରିକି ରିୟା ଓ ତାଙ୍କ ପରିବାର ଏବଂ କିଛି ସହଯୋଗୀ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ) ର ଜେରାର ସମ୍ମୁଖୀନ ହୋଇଛନ୍ତି ।
ଇଡି ପକ୍ଷରୁ ରିୟାଙ୍କ ଫୋନ୍ ଯାଞ୍ଚ ପରେ ହ୍ୱାଟ୍ସଆପ୍ ମେସେଜରୁ ତାଙ୍କର ଡ୍ରଗ୍ସ ଲିଙ୍କ ଥିବା ଘଟଣା ସମ୍ମୁଖକୁ ଆସିଛି । ଏନେଇ ଇଡି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)ର ଦୃଷ୍ଟି ଆକର୍ଷଣ କରିଥିଲା । ଯାହା ପରେ ଏନସିବି ନିଜ ଆଡୁ ଏକ ମାମଲା ରୁଜୁ କରିଛି ।
ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।