ସୁଶାନ୍ତ ସିଂହ ରାଜପୁତ କେସ୍; ପଚରାଉଚରା ଲାଗି ସଞ୍ଜୟ ଲୀଲା ଭଂସାଲିଙ୍କୁ ପୋଲିସର ସମନ
ନୂଆଦୀଲ୍ଲୀ, (ଓଡିଶା ଟାଇମ୍): ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମଟର୍ମ ଓ ଭିସେରା ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ଏହି ଅଭିନେତା ଜଣକ ଆତ୍ମହତ୍ୟା କରିଛନ୍ତି ବୋଲି ।
ଏଭଳି ସମୟରେ ପୋଲିସ ଆତ୍ମହତ୍ୟାର କାରଣ ଜାଣିବା ପାଇଁ ଜୋରଦାର ଖୋଳତାଡ କରୁଛି । ଏହାର ଲିଙ୍କ୍ ଖୋଜିବାକୁ ଯାଇ ପୋଲିସ ସଞ୍ଜୟ ଲୀଲା ଭଂସାଲିଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବା ଲାଗି ସମନ ଜାରି କରିଛି ।
ଗତ ଜୁନ୍ ୧୪ ତାରିଖରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ତାଙ୍କ ମୃତ୍ୟୁ ଘଟଣାକୁ ପୋଲିସ ବିଜନେସ୍ ରାଇଭାଲ୍ ଦୃଷ୍ଟିରୁ ମଧ୍ୟ ଦେଖୁଥିବା ସୂଚନା ମିଳିଛି । ଏହି ମାମଲାରେ ପୋଲିସ ଏଯାଏଁ ୨୮ ଲୋକଙ୍କ ବୟାନ ରେକର୍ଡ କରାଯାଇଛି ।
କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ଯେ ସଞ୍ଜୟ ତାଙ୍କ ଫିଲ୍ମରେ ସୁଶାନ୍ତଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ । ହେଲେ କୌଣସି କାରଣ ପାଇଁ ସୁଶାନ୍ତଙ୍କୁ ତାଙ୍କ ଫିଲ୍ମରେ କାଷ୍ଟ କରାଯାଇନଥିଲା । ଏସମ୍ପର୍କରେ ପୋଲିସ ଜାଣିବା ପାଇଁ ଚାହୁଁଥିବା ଜଣାପଡିଛି ।
ଭଂସାଲିଙ୍କ ବ୍ୟତିତ ପୋଲିସ ଶେଖର କପୁର ଓ କଙ୍ଗନା ରଣାୱତଙ୍କ ବୟାନ ମଧ୍ୟ ରେକର୍ଡ କରିପାରେ ବୋଲି ସୁତ୍ରରୁ ପ୍ରକାଶ । ନିକଟରେ କଙ୍ଗନା ଏକ ଭିଡିଓ ଜାରି କରି ସୁଶାନ୍ତଙ୍କୁ ଜୀବନ ହାରିବା ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ କରିଥିଲେ ।
ରିପୋଟ୍ସ ମୁତାବକ ସଞ୍ଜୟ ଲୀଲା ଭଂସାଲି ତାଙ୍କ ଫିଲ୍ମ ‘ରାମ ଲୀଲା’ ଓ ‘ବାଜିରାଓ ମସ୍ତାନୀ’ରେ ସୁଶାନ୍ତଙ୍କ କାଷ୍ଟ କରିବାକୁ ଚାହିଁଥିଲେ । ସୁଶାନ୍ତ ସେ ସମୟରେ ୟଶରାଜ ଫିଲ୍ମ ସହିତ କଣ୍ଟ୍ରାକ୍ଟରେ ଥିଲେ । କୁହାଯାଉଛି ଯେ ସେ ସମୟରେ ଆଉଜଣେ ଅଭିନେତାଙ୍କୁ ଉକ୍ତ କ୍ୟାରେକ୍ଟର ମିଳିଥିଲା ଯିଏକି ୟଶରାଜ ଫିଲ୍ମ ସହିତ ମଧ୍ୟ କଣ୍ଟ୍ରାକ୍ଟରେ ଥିଲେ ।
ସୁଶାନ୍ତ କାଇ ପେ ଛେ, ସୁଦ୍ଧ ଦେଶୀ ରୋମାନ୍ସ, ଡିଟେକ୍ଟିଭ ବ୍ୟୋମକେଶ ବକ୍ସ, ଏମ.ଏସ.ଧୋନୀ, କେଦାରନାଥ ଓ ଛିଛୋରେ ଭଳି ଫିଲ୍ମରେ ଦର୍ଶକଙ୍କୁ ନିଜ ଅଭିନୟର ଯାଦୁ ଦେଖାଇଥିଲେ ।