ଆଜି ହେବ ସୁଶାନ୍ତ ସିଂହଙ୍କ ଅନ୍ତିମ ସଂସ୍କାର : ଫରେନସିକ ଟେଷ୍ଟ ପାଇଁ ପଠାଯାଇଛି ଅର୍ଗାନ
ମୁମ୍ବାଇ, (ଓଡିଶା ଟାଇମ୍) : ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରି ସମସ୍ତଙ୍କୁ ହତବାକ୍ କରି ଦେଇଛନ୍ତି। ସୁଶାନ୍ତଙ୍କ ଦେହାନ୍ତରେ ତାଙ୍କୁ ଜାଣିଥିବା ଏବଂ ଚିହ୍ନିଥିବା ବ୍ୟକ୍ତି ସମସ୍ତେ ଦୁଃଖିତ ଅଛନ୍ତି। ବଲିଉଡଠୁ ନେଇ କ୍ରୀଡା ଏବଂ ରାଜନୀତି ଜଗତରେ ସବୁଠି ଶୋକର ଛାୟା ଖେଳି ଯାଇଛି।
ସୁଶାନ୍ତ ସିଂହ ରାଜପୁତ ଗତକାଲି ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆଜି ମୁମ୍ବାଇରେ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ହେବ । ସୁଶାନ୍ତ ସିଂହଙ୍କ ଜନ୍ମ ବିହାର ପାଟଣାରେ ହୋଇଥିଲା । ୨୦୦୦ ମସିହାରେ ତାଙ୍କ ପରିବାର ଦିଲ୍ଲୀ ସ୍ଥାନାନ୍ତର କରିଥିଲେ । ତାଙ୍କର ୪ ଭଉଣୀ ଅଛନ୍ତି । ସୁଶାନ୍ତ ସିଂହ ବହୁତ ଖୁଶ ମିଜାଜ ଥିଲେ । କିଛି ଦିନ ପୂର୍ବରୁ ସେ ନିଜର ୫୦ ସ୍ବପ୍ନ ଏବଂ ଇଛାର ଏକ ତାଲିକା ଜାରି କରିଥିଲେ ।
ପୋଲିସ ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ କରୁଛି । ଏହି କ୍ରମରେ ସୁଶାନ୍ତ ସିଂହଙ୍କ ୩ ଜଣ ନିକଟତର ଲୋକଙ୍କ ବୟାନ ରେକର୍ଡ କରିଛି । ସେମାନେ ହେଲେ ଜଣେ କ୍ରିଏଟିଭ ଡ଼ାଇରେକ୍ଟର, ମ୍ୟାନେଜର ଏବଂ ତାଙ୍କ ଘରେ ରୋଷେଇ କରୁଥିବା ସେଫ । ସୁଶାନ୍ତ ଗତ ୬ ମାସ ହେଲା ଡିପ୍ରେସନରେ ଥିଲେ । ଯେଉଁ ଡାକ୍ତର ତାଙ୍କର ଚିକିତ୍ସା କରୁଥିଲେ ସେହି ଡାକ୍ତରଙ୍କୁ ମଧ୍ୟ ପୋଲିସ ପଚରାଉଚୁରା କରୁଛି ।
ମୁମ୍ବାଇ କୂପର ହସ୍ପିଟାଲରେ ସୁଶାନ୍ତ ସିଂହଙ୍କ ମୃତଦେହ ରବିବାର ୪ଟା ସମୟରେ ନିଆଯାଇଥିଲା । ରାତିରେ ତାଙ୍କର ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା । ରିପୋର୍ଟ ସେ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଛି । ଅଧିକ ଯାଞ୍ଚ ପାଇଁ ତାଙ୍କର ଭାଇଟାଲ ଅର୍ଗାନ ଜେଜେ ହସ୍ପିଟାଲ ପଠାଯାଇଛି । ଯାହାଫଳରେ ଶରୀରରେ କୌଣସି ପ୍ରକାର ଡ୍ରଗ୍ସ କିମ୍ବା ବିଷର ପତା ଲଗାଯାଇପାରିବ ।