ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ସିବିଆଇ ଯାଞ୍ଚ ଜରୁରୀ ନୁହେଁ: ମହାରାଷ୍ଟ୍ର ଗୃହ ମନ୍ତ୍ରୀ

ମୁମ୍ବାଇ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ଲାଗି ଲଗାତାର ଦାବି କରାଯାଉଛି । ଏଭଳି ସମୟରେ ସୁଶାନ୍ତଙ୍କ ମୃତ୍ୟୁ କେସର ସିବିଆଇ ଯାଞ୍ଚ ଜରୁରୀ ନୁହେଁ ବୋଲି କହିଛନ୍ତି ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନିଲ୍ ଦେଶମୁଖ।

ଅନିଲ୍ ଦେଶମୁଖ ନିଜ ବୟାନରେ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ଯାଞ୍ଚ ଜାରି ରଖିଛି । ଏହି ମାମଲାରେ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ।

ଏହି ମାମଲାରେ ମୁମ୍ବାଇ ପୋଲିସ ସଞ୍ଜୟ ଲୀଲା ଭଂସାଲିଙ୍କ ସମେତ ଏଯାଏଁ ୩୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି । ନିକଟରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ଏହି ମାମଲାର ସିବିଆଇ ଯାଞ୍ଚ କରିବା ଲାଗି ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୱିଟ୍ ଜରିଆରେ ଅନୁରୋଧ କରିଥିଲେ ।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏହି ମାମଲାରେ ପୋଲିସ ଏଯାଏଁ ବହୁ ଲୋକଙ୍କ ବୟାନ ରେକର୍ଡ କରାଯାଇଛି ।

ନିକଟ ଅତୀତରେ ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବିଚାରା’ର ଟାଇଟଲ୍ ଟ୍ରାକ୍ ସହ ଗୀତ ଗୁଡିକ ରିଲିଜ ହୋଇଛି । ଫିଲ୍ମଟି ଜନ୍ ଗ୍ରୀନଙ୍କ ଉପନ୍ୟାସ ‘ଦ ଫଲଟ୍ ଇନ୍ ଆୱାର ଷ୍ଟାର୍ସ’ ଉପରେ ଆଧାରିତ । ସୁଶାନ୍ତ ସିଂହ ରାଜପୁତଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ହଟଷ୍ଟାର୍ ଡିଜନୀରେ ରିଲିଜ ହେବ । ଫିଲ୍ମରେ ସୁଶାନ୍ତ ସିଂହ ରାଜପୁତ, ସଞ୍ଜନା ସାଘିଂ, ସ୍ୱସ୍ତିକା ମୁଖାର୍ଜି, ସାହିଲ ବୈଦ ଓ ସେଫ୍ ଅଲ୍ଲୀ ଖାନ୍ ଷ୍ଟାରକାଷ୍ଟ ଭାବେ ରହିଛନ୍ତି ।

ସୁଶାନ୍ତ କାଇ ପେ ଛେ, ସୁଦ୍ଧ ଦେଶୀ ରୋମାନ୍ସ, ଡିଟେକ୍ଟିଭ ବ୍ୟୋମକେଶ ବକ୍ସ, ଏମ.ଏସ.ଧୋନୀ, କେଦାରନାଥ ଓ ଛିଛୋରେ ଭଳି ଫିଲ୍ମରେ ଦର୍ଶକଙ୍କୁ ନିଜ ଅଭିନୟର ଯାଦୁ ଦେଖାଇଥିଲେ ।

Leave a Reply

Your email address will not be published. Required fields are marked *