ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ
ପାଟନା, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ କରିଥିବା ଯାଚିକା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରାଯିବ।
ରିୟା ଏହି ଯାଚିକାରେ ବିହାର ପୋଲିସରେ ଦାଏର ହୋଇଥିବା ମାମଲାକୁ ମୁମ୍ବାଇ ଟ୍ରାନ୍ସଫର କରିବା ପାଇଁ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି ଜଷ୍ଟିସ୍ ହୃଷିକେଶ ରାୟଙ୍କ ଖଣ୍ଡପୀଠ କରିବେ ବୋଲି ଜଣାପଡିଛି ।
ଏହା ପୂର୍ବରୁ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ଅଭିଯୋଗ କରିବା ସହ ଜୁଲାଇ ୨୫ ତାରିଖରେ ପାଟନା ଥାନାରେ ଏଫଆଇଆର୍ ମଧ୍ୟ ଦାଏର କରିଥିଲେ ପିତା କେେ କେ ସିଂହ । ଯାହା ଫଳରେ ବିହାର ପୋଲିସ ଘଟଣାର ତଦନ୍ତ କରିବା ପାଇଁ ମୁମ୍ବାଇରେ ଡେରା ପକାଇବା ସହ ଖୋଳତାଡ ମଧ୍ୟ ଆରମ୍ଭ କରିଛି ।
ଏହା ପରେ ବିହାର ପୋଲିସର ତଦନ୍ତ ନିରପେକ୍ଷ ନୁହେଁ ଦର୍ଶାଇ ରିୟା କେସକୁ ମୁମ୍ବାଇ ଟ୍ରାନ୍ସଫର କରିବା ପାଇଁ ଜୁଲାଇ ୩୦ ତାରିଖରେ କୋର୍ଟରେ ଆବେଦନ କରିଥିଲେ ।
ବିହାରର ସବୁ ପ୍ରମୁଖ ଦଳ ମାନେ ଏହି ଘଟଣାର ସଠିକ୍ ତଦନ୍ତ ଦାବି କରୁଥିବା ବେଳେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଲଗାଯାଉଥିବା ବେଳେ ତାଙ୍କର ପତ୍ତା ମିଳୁନି । ନିକଟ ଅତୀତରେ ବିହାର ସରକାରର ଜଣେ ମନ୍ତ୍ରୀ ମହେଶ୍ୱର ହଜାରୀ ଗଣମାଧ୍ୟମ ସହ ଆଲୋଚନା ସମୟରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଜଣେ ସୁପାରୀ କିଲର ସହ ବଲିଉଡର ବିଷ କନ୍ୟା ବୋଲି ଆକ୍ଷେପ ମଧ୍ୟ କରିଥିଲେ ।
ତେବେ ଏହି ଘଟଣାରେ ପୂର୍ବରୁ ଅର୍ଥ ହେରଫେର ନେଇ ଇଡି ପକ୍ଷରୁ ଏକ ମାମଲା ରୁଜୁ କରା ଯାଇଥିଲା । ଏହା ବ୍ୟତିତ ମୁମ୍ବାଇ ପୋଲିସ ଏହି ମାମଲାରେ ସଞ୍ଜୟ ଲୀଲା ଭଂସାଲିଙ୍କ ସମେତ ୩୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି ।
ସୂଚନାଯୋଗ୍ୟ, ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।