ସୁଶାନ୍ତ ସିଂହ ରାଜପୁତଙ୍କ ସିଏ’ଙ୍କ ଆକାଉଣ୍ଟକୁ ଯାଇଛି ମୋଟା ଅଙ୍କର ଅର୍ଥ!
ମୁମ୍ବାଇ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମନି ଲଣ୍ଡରିଂ ନେଇ ଇଡି ପକ୍ଷରୁ ଖୋଳତାଡ ଆରମ୍ଭ ହୋଇଥିବା ବେଳେ ଦିନକୁ ଦିନ ନୂଆ ଖବର ସାମ୍ମନାକୁ ଆସୁଛି ।
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୧୯ ମସିହା ମେ’ ମାସରୁ ୨୦୨୦ ଏପ୍ରିଲ୍ ମଧ୍ୟରେ ସୁଶାନ୍ତଙ୍କ ଦୁଇ ସିଏ’ଙ୍କ ଆକାଉଣ୍ଟକୁ ପ୍ରାୟ ୨.୬୩ କୋଟି ଟଙ୍କା ଟ୍ରାନ୍ସଫର ହୋଇଛି । ଏପରିକି ଅଭିନେତାଙ୍କ ଭଉଣୀ ନାମରେ ଥିବା ୪.୫ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍ ହ୍ରାସ ପାଇ ୨ କୋଟିରେ ପହଞ୍ଚିଛି ।
ନିକଟ ଅତୀତରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ଏବଂ ୧୫ କୋଟି ଟଙ୍କାର ଅର୍ଥ ହେରଫେର ନେଇ ପିତା କେ କେ ସିଂହ ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଥାନାରେ ଏଫଆଇଆର୍ ମଧ୍ୟ କରିଥିଲେ । ଯାହାପରେ ବିହାର ପୋଲିସ ଜୁଲାଇ ୨୫ରେ ଏକ ମାମଲା ରୁଜୁ କରିଥିଲା ।
ଏହି ଘଟଣାରେ ପୂର୍ବରୁ ଅର୍ଥ ହେରଫେର ନେଇ ଇଡି ପକ୍ଷରୁ ଏକ ମାମଲା ରୁଜୁ କରା ଯାଇଥିଲା । ଯାହା ଫଳରେ ଅଗଷ୍ଟ ୭ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରିୟାଙ୍କୁ ଦୀର୍ଘ ୮ ଘଣ୍ଟା ଧରି ଜେରା କରିଥିଲା ବେଳେ ଅଭିନେତ୍ରୀଙ୍କ ବାପା, ଭାଇ ଓ ପୂର୍ବତନ ମ୍ୟାନେଜରଙ୍କୁ ବି ଜେରା କରାଯାଇଥିବା ବେଳେ ଆସନ୍ତାକାଲି ହାଜର ହେବା ପାଇଁ ପୁଣି ଇଡି ପକ୍ଷରୁ ରିୟାଙ୍କୁ ସମନ କରାଯାଇଛି ।
ସେହିପରି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇ ସମ୍ଭାଳୁଥିବା ବେଳେ ରିୟାଙ୍କ ସମେତ ୬ ଜଣଙ୍କ ବିରୋଧରେ ଆତ୍ମହତ୍ୟା ଲାଗି ଉସୁକାଇବା, ଅପରାଧିକ ଷଡଯନ୍ତ୍ର ରଚିବା, ଚୋରୀ, ପ୍ରତାରଣା ଓ ଧମକଚମକ ଦେବା ଭଳି ଅନେକ ସଙ୍ଗୀନ ମାମଲା ରୁଜୁ କରାଯାଇଛି ।
ସିବିଆଇ ଯେଉଁ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ସେମାନଙ୍କ ମଧ୍ୟରେ ରହିଛନ୍ତି ରିୟା ଚକ୍ରବର୍ତ୍ତୀ, ସନ୍ଧ୍ୟା ଚକ୍ରବର୍ତ୍ତୀ, ସ୍ୱବିକ୍ ଚକ୍ରବର୍ତ୍ତୀ, ରିୟାଙ୍କ ସହଯୋଗୀ ସାମୁଏଲ୍ ମିରାଣ୍ଡା ଏବଂ ଶୃତି ମୋଦି ପ୍ରମୁଖ ।
ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।