କ୍ୱାରେଣ୍ଟାଇନରୁ ବାହାରିଲେ ଆଇପିଏସ୍ ବିନୟ ତିୱାରୀ; ଇଡି ଆଗରେ ଆଜି ହାଜର ହେବେ ରିୟା

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ ନେଉଥିବା ବେଳେ ବ୍ରିହାନମୁମ୍ବାଇ ମହାନଗର ନିଗମ (ବିଏମସି) ବିହାରର କ୍ୟାଡରର ଆଇପିଏସ୍ ଅଫିସର ବିନୟ ତିୱାରିଙ୍କୁ କ୍ୱାରେଣ୍ଟାଇନରୁ ମୁକ୍ତ କରିଛି ।

ଏପରିକି ସେ ସମସ୍ତ ଗାଇଡଲାଇନ୍ ମାନିବା ସହ ଅଗଷ୍ଟ ୮ ତାରିଖ ସୁଦ୍ଧା ମୁମ୍ବାଇ ଛାଡି ପାରନ୍ତି ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି ।

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଏହି ଅଧିକାରୀ ଜଣକ ଅଗଷ୍ଟ ୨ରେ ମୁମ୍ବାଇ ଆସିଥିବା ବେଳେ ତାଙ୍କୁ ଜବରଦସ୍ତୀ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ଭର୍ତ୍ତି କରାଯାଇଥିଲା । ଯାହାକୁ ନେଇ ଉଭୟ ମୁମ୍ବାଇ ଓ ବିହାର ପୋଲିସ ପରୋକ୍ଷରେ ମୁହାଁମୁହିଁ ହୋଇଥିଲେ । ଏପରିକି ବିନୟଙ୍କୁ କ୍ୱାରେଣ୍ଟାଇନ୍ ନୁହେଁ ବରଂ ଗୃହ ବନ୍ଦୀ କରି ରଖା ଯାଇଛି ବୋଲି ବିହାର ପୋଲିସ ପକ୍ଷରୁ ଅଭିଯୋଗ କରାଯାଇ ଥିଲା ।

କେନ୍ଦ୍ର ପକ୍ଷରୁ ସିବିଆଇକୁ ମାମଲା ହସ୍ତାନ୍ତର କରାଯିବା ପରେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ବିରୋଧରେ କେସ୍ ଦାଏର କରାଯାଇଛି ।

ଅପର ପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମ୍ମୁଖରେ ହାଜର ହେବା ପାଇଁ ରିୟାଙ୍କୁ ଅଗଷ୍ଟ ୭ ସୁଦ୍ଧା କୁହାଯାଇଥିଲା । ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ରିୟା ଇଡି ନିକଟରେ ହାଜର ହେବା ଲାଗି ରିୟାଙ୍କ ଓକିଲ ସତିଶ ମନେସିନ୍ଧେ ଅଧିକ ସମୟ ମାଗିଛନ୍ତି । ତେବେ ଏନେଇ ଇଡି ପକ୍ଷରୁ କିଛି ପ୍ରତିକ୍ରିୟା ମିଳିନାହିଁ ।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି ।

Leave a Reply

Your email address will not be published.