ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଚକିତ କଲା ଭଳି ତଥ୍ୟ ଦେଲେ ଆମ୍ବୁଲାନ୍ସ ଆଟେଣ୍ଟାଣ୍ଡ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଏହି ମାମଲାକୁ ସିବିଆଇ ତଦନ୍ତ କରୁଥିବା ବେଳେ ଆମ୍ବୁଲାନ୍ସ ଆଟେଣ୍ଟାଣ୍ଡଙ୍କ କଥା ଘଟଣାକୁ ଅଧିକ ସନ୍ଦେହ ପୂର୍ଣ୍ଣ କରୁଛି ।

ଟାଇମ୍ସ ନାଓ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସୁଶାନ୍ତଙ୍କ ଶରୀର ହଳଦିଆ ପଡି ଯାଇଥିଲା । ଏପରିକି ତାଙ୍କ ଗୋଡ ବଙ୍କା ହେବା ପରି ଲାଗୁଥିଲା, ଯେମିତିକି ତାଙ୍କ ଗୋଡ ଭାଙ୍ଗି ଯାଇଛି । ତାଙ୍କ ମୁହଁରୁ ଫେଣ ବାହାରୁ ନଥିଲା ।

ନିଜ ଅଭିଜ୍ଞତାକୁ ଆଧାର କରି ସମ୍ପୃକ୍ତ ଆମ୍ବୁଲାନ୍ସ ଆଟେଣ୍ଟାଣ୍ଡ ପ୍ରକାଶ କରିଛନ୍ତି ଯେ ଅଭିନେତାଙ୍କ ଶରୀରରେ ଅନେକ ଦାଗ ରହିଥିଲା କିନ୍ତୁ ତାଙ୍କ ବେକରେ ଥିବା ଦାଗ ଅଧିକ ସନ୍ଦେହ ପୂର୍ଣ୍ଣ ଲାଗୁଥିଲା ।

ତେବେ ପୂର୍ବରୁ ପୋଷ୍ଟମର୍ଟମରେ ଝୁଲିବା ଯୋଗୁଁ ଶ୍ୱାସରୁଦ୍ଧ ହୋଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା ।

ସୂଚନାଯୋଗ୍ୟ, ନିକଟ ଅତୀତରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ପିତା କେେ କେ ସିଂହ ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଥାନାରେ ଏଫଆଇଆର୍ ମଧ୍ୟ କରିଥିଲେ । ଯାହାପରେ ବିହାର ପୋଲିସ ଜୁଲାଇ ୨୫ରେ ଏକ ମାମଲା ରୁଜୁ କରିଥିଲା ।

ବର୍ତ୍ତମାନ ସମୟରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇ ସମ୍ଭାଳୁଥିବା ବେଳେ ରିୟା ଓ ତାଙ୍କ ପରିବାର ସମେତ ୬ ଜଣଙ୍କ ବିରୋଧରେ ଆତ୍ମହତ୍ୟା ଲାଗି ଉସୁକାଇବା, ଅପରାଧିକ ଷଡଯନ୍ତ୍ର ରଚିବା, ଚୋରୀ, ପ୍ରତାରଣା ଓ ଧମକଚମକ ଦେବା ଭଳି ଅନେକ ସଙ୍ଗୀନ ମାମଲା ରୁଜୁ କରାଯାଇଛି ।

ଏପରିକି ମନି ଲଣ୍ଡରିଂ ମାମଲାରେ ମଧ୍ୟ ରିୟା ଓ ତାଙ୍କ ପରିବାରର ସଦସ୍ୟ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *