ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାକୁ ଜେରା କରିପାରେ ସିବିଆଇ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ଘଟଣା ସାମ୍ନାକୁ ଆସୁଛି । ଏବେ ଏହି ମାମଲାର ଯାଞ୍ଚ ଭାର ସିବିଆଇ ସମ୍ଭାଳୁଥିବା ବେଳେ ମାମଲାର ପଚରାଉଚରା ପାଇଁ ସିବିଆଇ ଅଭିନେତାଙ୍କ ଗାର୍ଲଫ୍ରେଣ୍ଡ ରିୟାଙ୍କୁ ସମନ୍ କରିପାରେ ।
ଡିଆରଡିଓ ଗେଷ୍ଟ ହାଉସରେ ସିବିଆଇ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ, ରୋଷେୟା ନୀରଜ ସିଂହ ଓ ଦୀପେଶ ସାୱନ୍ତଙ୍କୁ ଅଲଗା ଅଲଗା ଜେରା କରିଥିଲା । ପରେ ସମସ୍ତଙ୍କୁ ମୁହାଁମୁହିଁ ବସାଇ ପଚରା ଉଚରା କରିଥିବା ନେଇ ଜଣାପଡିଛି ।
ମିଡିଆ ରିପୋର୍ଟ ମୁତାବକ, ରିୟା କାହିଁକି ସୁଶାନ୍ତଙ୍କ ଘର ଛାଡି ଚାଲିଯାଇଥିଲେ, ସେନେଇ ସିବିଆଇ ସିଦ୍ଧାର୍ଥଙ୍କୁ ପ୍ରଶ୍ନ ପଚାରିଥିଲା । ଯାହା ପରେ ରିୟାଙ୍କୁ ଜେରା ପାଇଁ ସିବିଆଇ ସମନ କରିପାରେ ବୋଲି ସୁତ୍ରରୁ ପ୍ରକାଶ । ଏପରିକି ସୁଶାନ୍ତଙ୍କ ବାପା ମଧ୍ୟ ପାଟନାରେ ରିୟାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।
ସେହିପରି ଗତ କାଲି ସିବିଆଇ ସୁଶାନ୍ତଙ୍କ ବାନ୍ଦ୍ରା ସ୍ଥିତ ଘରକୁ ଯାଇ ସେଦିନ ଘଟିଥିବା ଘଟଣାର ସିନ୍ ରିକ୍ରିଏଟ୍ କରିଥିଲା ।
ଗତ ଜୁନ୍ ୧୪ ତାରିଖରେ ବାନ୍ଦ୍ରାର ଯେଉଁ ଘରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା ସେହି ଘରର ପଡୋଶୀ କହିଛନ୍ତି ଯେ ଜୁନ୍ ୧୩ ତାରିଖ ରାତି ୧୦ଟା ୩୦ମି.ରୁ ୧୦ଟା ୪୫ମି. ମଧ୍ୟରେ ସୁଶାନ୍ତଙ୍କ ଘରର ସବୁ ଲାଇଟ୍ ବନ୍ଦ ହୋଇ ଯାଇଥିଲା । ଯାହା କେବଳ ରୋଷେଇ ଘରର ଲାଇଟ୍ ଜଳୁଥିଲା ।
ଏହାଛଡା ସୁଶାନ୍ତଙ୍କ ଘରେ ପାର୍ଟି କରାଯାଉଥିବା କଥାକୁ ଖଣ୍ଡନ କରି ତାଙ୍କ ପଡୋଶୀ କହିଛନ୍ତି ଯେ ୧୩ ତାରିଖ ରାତିରେ କୌଣସି ପ୍ରକାରର ପାର୍ଟି କରାଯାଇନଥିଲା ।
ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।