୨୦୧୫ର ସେହି ବିଜ୍ଞପ୍ତିରୁ ଆରମ୍ଭ ହୋଇଥିବା ‘ଦିଲ୍ଲୀ ବନାମ କେନ୍ଦ୍ର ବିବାଦ’ ‘ସୁପ୍ରିମ୍’ ନିଷ୍ପତ୍ତିରେ ଶେଷ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଶାସନିକସେବା ନିୟନ୍ତ୍ରଣକୁ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ପ୍ରଶାସନିକ ସେବା ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣରେ ରହିବବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଜନଶୃଙ୍ଖଳା, ପୁଲିସ ଓ ଜମିବ୍ୟତୀତ ପ୍ରଶାସନିକ ସେବା, ଦିଲ୍ଲୀ ବିଧାନସଭା ଓ କାର୍ଯ୍ୟନିର୍ବାହୀଙ୍କ ନିୟନ୍ତ୍ରଣରେ ରହିବବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆସନ୍ତୁ ଜାଣିବା ୮ ବର୍ଷ ଧରି ଚାଲିଥିବା ଏହି ବିବାଦ କେଉଁଠୁ ଆରମ୍ଭ ହୋଇଥିଲା । ପୂରା ବିବାଦରେ କ’ଣ ହେଲା ?

୨୧ ମଇ ୨୦୧୫

ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରି କେନ୍ଦ୍ର ଗୃହ ମନ୍ତ୍ରାଳୟ କହିଛି ଯେ ପୁଲିସ ବ୍ୟତୀତ ଜମି, ଜନଶୃଙ୍ଖଳା ଏବଂ ସେବା ସହିତ ଜଡ଼ିତ ମାମଲା ଉପରେ ଉପରାଜ୍ୟପାଳଙ୍କ ଅଧିକାର ରହିବ । ଅର୍ଥାତ୍ ଦିଲ୍ଲୀ ସରକାରଙ୍କ ଭିତରେ ଥିବା ଅଧିକାରୀଙ୍କୁ ବଦଳି କରିବାର କ୍ଷମତା ଉପରାଜ୍ୟପାଳଙ୍କ ହାତରେ ରହିଛି । ସେ ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ କରିପାରିବେ । ତେଣୁ ଯେତେବେଳେ ବି ସେ ନିଜ ‘ବିବେକ’ ବ୍ୟବହାର କରି ସେବା ପ୍ରସଙ୍ଗରେ ଆବଶ୍ୟକ ମନେ କରିବେ ପଦକ୍ଷେପ ନେଇପାରିବେ ।

ମେ ୨୮, ୨୦୧୫

ଉପରାଜ୍ୟପାଳଙ୍କ କ୍ଷମତାକୁ ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ବିରୋଧରେ ଦିଲ୍ଲୀ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମେ’ ୨୫ତାରିଖରେ ହାଇକୋର୍ଟ ଦେଇଥିବା ଏହି ବିଜ୍ଞପ୍ତିକୁ ସନ୍ଦେହଜନକ ବୋଲି ଦର୍ଶାଇ ଦିଲ୍ଲୀ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଜୁନ୍ ୧୦, ୨୦୧୫

ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ସମ୍ବନ୍ଧୀୟ କ୍ଷମତା ଉପରେ ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଦେବାକୁ ହାଇକୋର୍ଟ ମନା କରିଦେଇଥିଲେ ।

ଜୁଲାଇ ୮, ୨୦୧୬

ଦିଲ୍ଲୀ ସରକାରଙ୍କ ଆବେଦନ ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ । ହାଇକୋର୍ଟ କହିଛନ୍ତି ଯେ ପ୍ରାଥମିକ ପ୍ରସଙ୍ଗରେ ପ୍ରଥମେ ନିଷ୍ପତ୍ତି ନିଆଯିବା ଦରକାର ଯେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଉପରେ ଦିଲ୍ଲୀ ହାଇକୋର୍ଟର ଅଧିକାର ଅଛି ନା ଏହା ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ‘ସ୍ୱତନ୍ତ୍ର’ଭାବେ ବିଚାରଯୋଗ୍ୟ ।

ଅଗଷ୍ଟ ୪, ୨୦୧୬

ଉପ-ରାଜ୍ୟପାଳ (ଏଲଜି) ଜାତୀୟ ରାଜଧାନୀ ଅଞ୍ଚଳର ପ୍ରଶାସନିକ ମୁଖ୍ୟ ଏବଂ ମନ୍ତ୍ରୀ ପରିଷଦ/କ୍ୟାବିନେଟର ପରାମର୍ଶକୁ ମାନିବାକୁ ବାଧ୍ୟ ନୁହଁନ୍ତି ବୋଲି ହାଇକୋର୍ଟ ରାୟ ଦେଇଛନ୍ତି ।

ଫେବୃଆରୀ ୧୫, ୨୦୧୭

ଦିଲ୍ଲୀ ସରକାରଙ୍କ ଆବେଦନ କ୍ରମେ ସୁପ୍ରିମକୋର୍ଟ ଏହି ମାମଲାକୁ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇ ଦେଇଥିଲେ ।

ଜୁଲାଇ ୪, ୨୦୧୮

ସାମ୍ବିଧାନିକ ଖଣ୍ଡପୀଠ ରାୟ ଦେଇଛନ୍ତି ଯେ ସ୍ୱାଧୀନ ନିଷ୍ପତ୍ତି ନେବାର କ୍ଷମତା ଉପରାଜ୍ୟପାଳଙ୍କ ପାଖରେ ନାହିଁ । ସେ ମନ୍ତ୍ରୀ ପରିଷଦର ସହାୟତା ଓ ପରାମର୍ଶ କ୍ରମେ କାର୍ଯ୍ୟ କରିବାକୁ ବାଧ୍ୟ । ଏଥିରୁ ଉପୁଜିଥିବା ନିର୍ଦ୍ଦିଷ୍ଟ ପ୍ରସଙ୍ଗଗୁଡ଼ିକର ନିଷ୍ପତ୍ତି ନେବା ପାଇଁ ନିୟମିତ ଖଣ୍ଡପୀଠରେ ତାଲିକାଭୁକ୍ତ କରାଯାଇଥିଲା ।

ଫେବୃଆରୀ ୧୪, ୨୦୧୯

ଦିଲ୍ଲୀରେ ସେବା ନିୟନ୍ତ୍ରଣ ପ୍ରସଙ୍ଗରେ ଦୁଇ ଜଣିଆ ଖଣ୍ଡପୀଠ ବିଭାଜିତ ରାୟ ଦେବାରୁ ଏହି ମାମଲାକୁ ତିନି ଜଣିଆ ଖଣ୍ଡପୀଠକୁ ପଠାଯାଇଥିଲା ।

ମେ ୬, ୨୦୨୨

କେନ୍ଦ୍ର ସରକାର କହିଥିଲେ ଯେ ଏହି ନିଷ୍ପତ୍ତିରୁ ସେବାକୁ ବାଦ୍ ଦିଆଯାଇଛି, ତେଣୁ ତିନିଜଣିଆ ଖଣ୍ଡପୀଠ ଦିଲ୍ଲୀରେ ସେବା ନିୟନ୍ତ୍ରଣ ପ୍ରସଙ୍ଗକୁ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇଦେଇଥିଲେ ।

ନଭେମ୍ବର ୯, ୨୦୨୨

୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ ।

ମେ ୧୧, ୨୦୨୩

ଜନଶୃଙ୍ଖଳା, ପୁଲିସ ଓ ଜମି ବ୍ୟତୀତ ପ୍ରଶାସନିକ ଓ ସେବା ନିୟନ୍ତ୍ରଣ ଉପରେ ଦିଲ୍ଲୀ ସରକାରଙ୍କର ଆଇନଗତ ଓ କାର୍ଯ୍ୟନିର୍ବାହୀ କ୍ଷମତା ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ବଦଳି ପୋଷ୍ଟିଂ କ୍ଷମତା ଅନ୍ତର୍ଭୁକ୍ତ କ୍ୟାବିନେଟର ସହାୟତା ଓ ପରାମର୍ଶକୁ ଉପରାଜ୍ୟପାଳ ମାନିବାକୁ ବାଧ୍ୟ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।

Leave a Reply

Your email address will not be published.