ସୁନୀଲ ବଂଶଲ ଓଡ଼ିଶା ବିଜେପିର ନୂଆ ପ୍ରଭାରୀ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଉତ୍ତରପ୍ରଦେଶର ବିଜେପି ସଂଗଠନ ମହାମନ୍ତ୍ରୀ ସୁନୀଲ ବଂଶଲଙ୍କ ରାଷ୍ଟ୍ରୀୟ ମହାମନ୍ତ୍ରୀ ନିଯୁକ୍ତ କରାଯିବା ସହ ଓଡ଼ିଶା ଦାୟିତ୍ୱ ପ୍ରଦାନ କରାଯାଇଛି। ଖାଲି ସେତିକି ନୁହେଁ, ସେ ପଶ୍ଚିମବଙ୍ଗ ଏବଂ ତେଲଙ୍ଗାନା ଭଳି ରାଜ୍ୟର ସାଂଗଠନିକ ପ୍ରଭାରୀ ହେବା ସହ ଏସବୁ ରାଜ୍ୟରେ ହେଉଥିବା ହାନୀଲାଭର ଉତ୍ତରଦାୟୀ ହେବେ। ଏହିକ୍ରମରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତପ୍ରକାଶ ନଡ୍ଡା ଆଦେଶ ଜାରି କରିଛନ୍ତି।
ଦୀର୍ଘବର୍ଷଧରି ଉତ୍ତର ପ୍ରଦେଶ ବିଜେପିରେ ସଂଗଠନ ସମ୍ଭାଳିଥିବା ସୁନୀଲଙ୍କୁ ଅନେକ ସଫଳତା ମିଳିଛି। ୨୦୧୪ସଂସଦୀୟ ନିର୍ବାଚନ ଏହାର ଏକ ଜ୍ୱଳନ୍ତ ଉଦାହରଣ । ଏହି ସମୟରେ ଅମିତ ଶାହଙ୍କ ଦ୍ୱାରା ସୁନୀଲ ରାଜ୍ୟର ସାଧାରଣ ସମ୍ପାଦକ ପଦବୀକୁ ଉନ୍ନୀତ ହୋଇଥିଲେ। ଏହା ପରେ ବିଜେପିକୁ ସଫଳତା ଦେବାରେ ତାଙ୍କ ଅବଦାନ ଯଥେଷ୍ଟ ରହିଥିଲା। କିନ୍ତୁ ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ସହ ତାଙ୍କ ସମ୍ପର୍କ ତିକ୍ତ ହୋଇଥିବାରୁ ତାଙ୍କୁ ଦିଲ୍ଲୀ ଅଣାଯାଇଥିବା ଆଲୋଚନା ହେଉଛି।
ଯଦିଓ ଜାତୀୟସ୍ତରରେ ଅନେକ ସାଧାରଣ ସମ୍ପାଦକ ରହିଛନ୍ତି, କିନ୍ତୁ ସୁନୀଲଙ୍କୁ ଯେଉଁ ଗୁରୁଦାୟିତ୍ୱ ମିଳିଛି ତାହା ହେଲା ଆଞ୍ଚଳିକ ପାର୍ଟିଙ୍କ ଦ୍ୱାରା ଶାସିତ ରାଜ୍ୟରେ ବାରମ୍ବାର ଲୋକଙ୍କ ପ୍ରତ୍ୟାଖ୍ୟାନ ପାଉଥିବା ବିଜେପିକୁ ସୁଦୃଢ଼ କରିବା। ଏଥିରେ ସାମିଲ୍ ରହିଛି ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ତେଲଙ୍ଗାନା। ଏହି ତିନୋଟିଯାକ ରାଜ୍ୟରେ ବିଜେପି ନିଜର ସଂଗଠନ ସୁଦୃଢ଼ କରିବାକୁ ଉଦ୍ୟମ କରୁଛି କିନ୍ତୁ ଆଞ୍ଚଳିକ ଦଳମାନେ ସମ୍ପୃକ୍ତ ରାଜ୍ୟରେ ବିଜେପିର ପ୍ରବେଶକୁ ରୋକିଛନ୍ତି। ଏହିକ୍ରମରେ ସୁନୀଲଙ୍କ ଅଭିଜ୍ଞତା ଏବଂ କାର୍ଯ୍ୟଶୈଳୀ କେତେ ପରିମାଣରେ ସଫଳତା ପାଇବ ତାହାକୁ ଅପେକ୍ଷା।