OSSCରେ ଦୁର୍ନୀତି ଅଭିଯୋଗରେ ଛାତ୍ର କଂଗ୍ରେସ ପକ୍ଷରୁ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ବର, (ଓଡିଶା ଟାଇମ୍): ଷ୍ଟାଫ୍ ସିଲେକ୍ସନ କମିଶନ ଅଫିସ୍ ଘେରାଉ କଲେ ଛାତ୍ର କଂଗ୍ରେସ । ଷ୍ଟାଫ୍ ସିଲେକ୍ସନ କମିଶନରେ ବ୍ୟାପକ ଦୁର୍ନୀତି ଅଭିଯୋଗରେ ଅଫିସ୍ ଘେରାଉ କରିଛି ଛାତ୍ର କଂଗ୍ରେସ । ପରୀକ୍ଷା ପୂର୍ବରୁ ପିଲାଙ୍କୁ ଚାକିରୀ ଦେଉଥିବା ଅଭିଯୋଗ ହୋଇଛି । ଘଟଣାର ବିଚାରବିଭାଗୀୟ ତଦନ୍ତ କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ । ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଛାତ୍ର କଂଗ୍ରେସ ଚେତାବନୀ ଦେଇଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ବିରଞ୍ଚିଙ୍କ ଘରୁ ୩ କୋଟି ୭୯ ଲକ୍ଷର ସଂପତ୍ତି ଜବତ, ନଗଦ ୨୫ ଲକ୍ଷ ସହ ଦେଢ଼ କେଜି ସୁନା ଗହଣା ଜବତ ହୋଇଥିଲା । ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ନୀଳାଦ୍ରିବିହାରରେ ୨ଟି ଦୁଇ ମହଲା ଘର, ଭୁବନେଶ୍ବର ଭକ୍ତିବିହାର ଓ କଟକ କୋଡିଆବନ୍ଧରେ ୨ଟି ଏକ ମହଲା ଘର । ଭୁବନେଶ୍ବର, ଖୋର୍ଦ୍ଧା ଓ ପୁରୀରେ ରହିଛି ୧୪ଟି ପ୍ଲଟ୍‌ । ଗୋଟିଏ କାର୍‌, ୨ଟି ବାଇକ୍‌, ୫୬ଲକ୍ଷ ଟଙ୍କାର ଜୀବନବୀମା, ଦେଢ଼ କେଜି ସୁନା ।  ଏହା ବ୍ୟତୀତ ତାଙ୍କ ଘରୁ ନଗଦ ୧୨ ଲକ୍ଷ ଟଙ୍କା ଓ ତାଙ୍କ ଶଳାଙ୍କ ଘରୁ ୧୩ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ସବୁଠାରୁ ବଡ଼ କଥା ହେଲା ସେ ତାଙ୍କ ସମ୍ପର୍କୀୟଙ୍କ ନାଁରେ କୋଟି କୋଟି ଟଙ୍କା ସମ୍ପତ୍ତି ରଖିଥିବା ଜଣାପଡିଛି । ସେ କରୋନା ମହାମାରୀ ସମୟରେ ୨ଥର ବିଦେଶ ଗସ୍ତ କରିଥିବାର ପ୍ରମାଣ ମିଳିଛି । ଏଥିସହ ତାଙ୍କ ଘରୁ ବିଡା ବିଡା ବିଦେଶୀ ନୋଟ୍‌ ମଧ୍ୟ ଠାବ କରାଯାଇଛି ।l

Leave a Reply

Your email address will not be published. Required fields are marked *