ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା
ଭୁବନେଶ୍ଵର, (ଓଡିଶା ଟାଇମ୍):ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା। ଅକ୍ଷୟ ତୃତୀୟା ଅବସରରେ ଶୁକ୍ରବାର ଚାଷୀଙ୍କ ଖାତାକୁ କାଳିଆ ଟଙ୍କା କିସ୍ତି ଦେଇଛନ୍ତି ରାଜ୍ୟ ସରକାର। ୪୨ ଲକ୍ଷ ଚାଷୀଙ୍କ ଖାତାକୁ ୯୧୦ କୋଟି ଟଙ୍କା ଜମା କରାଯାଇଛି। ଏହା ପୂର୍ବରୁ ଆଜି ସକାଳେ ଚାଷୀଙ୍କ ଖାତାକୁ ପିଏମ କିଷାନ ଟଙ୍କା ଦିଆଯାଇଥିଲା। ଦେଶର ୯.୫ କୋଟି ଚାଷୀଙ୍କ ଖାତାରେ ୧୯ ହଜାର କୋଟି ଟଙ୍କା ପଠାଯାଇଥିଲା। ଏକ ସ୍ୱତନ୍ତ୍ର ଭର୍ଚୁଆଲ ଉତ୍ସବରେ ସହାୟତା ରାଶିକୁ ମୁଖ୍ୟମନ୍ତ୍ରୀ ରାଜ୍ୟର କାଳିଆ ହିତାଧିକାରୀଙ୍କ ଜମାଖାତାକୁ ପଠାଇବାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କାଳିଆ ଯୋଜନା ଚାଷୀଙ୍କ ମୁହଁରେ ହସ ଆଣିଛି। କାଳିଆ ଟଙ୍କା ଚାଷୀଙ୍କ ଋଣଭାର ଲାଘବ କରିଛି। ଚାଷୀଙ୍କ ତ୍ୟାଗର ମୂଲ୍ୟ କହି ଦେ ପାରିବେନି। ରାଜ୍ୟରେ ଚାଷୀ ଭଲରେ ରହୁ ଏବଂ ସେମାନଙ୍କର ରୋଜଗାର ବଢୁ ବୋଲି ମୁଖ୍ୟମନ୍ତ୍ରୀ କହିନ୍ତି।
ଉଲ୍ଳେଖଯୋଗ୍ୟ, ୨୦୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ ଚାଷୀମାନଙ୍କୁ ଖରିଫ ଓ ରବି ଫସଲ ପାଇଁ ସହାୟତା କରିବାକୁ ରାଜ୍ୟ ସରକାର ଅଭିନବ ‘କାଳିଆ’ ଯୋଜନା ଆରମ୍ଭ କରିଥିଲେ । ଭୋଟ ପୂର୍ବରୁ ଓ ପରେ କାଳିଆକୁ ନେଇ ବିତର୍କ ଲାଗି ରହିଥିଲା ବେଳେ ଶେଷ ଥର ପାଇଁ ଗତ ଫେବ୍ରୁଆରୀ ମାସ ଦ୍ୱିତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ‘କାଳିଆ’ ସହାୟତା ବଣ୍ଟନ କରିଥିଲେ । ଏଥିରେ ମୋଟ ୫୩ ଲକ୍ଷ ଚାଷୀ ଲାଭବାନ ହୋଇଥିଲେ। ୩୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହ ୧୬ ଲକ୍ଷ ଭୂମିହୀନଙ୍କ ଆକାଉଣ୍ଟକୁ ୧୨୭୨ କୋଟି ଟଙ୍କା ପଠାଯାଇଥିଲା । ଚାଷୀମାନେ ଚାଷ ପାଇଁ ଉନ୍ନତ ବିହନ, ସାର ଓ ଆନୁଷଙ୍ଗିକ ସାମଗ୍ରୀ କିଣିବାକୁ ସରକାର ଏ ସହାୟତା ଯୋଗାଇ ଦେଉଛନ୍ତି ।