କୋଟିଆରେ ଆନ୍ଧ୍ର ଦାଦାଗିରି, ସୁପ୍ରିମ୍କୋର୍ଟରେ ରାଜ୍ୟ ସରକାର
କୋରାପୁଟ, (ଓଡିଶା ଟାଇମ୍) :କୋରାପୁଟ ଜିଲା ପଟାଙ୍ଗି ବ୍ଲକ୍ କୋଟିଆ ଗ୍ରାମପୁଞ୍ଜର ୩ଟି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କରିବାକୁ ବିରୋଧ କରି ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୧୯୬୮ରେ ସ୍ଥିତାବସ୍ଥା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୦୬ରେ ପୁଣି ଥରେ ସ୍ଥିତାବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ; କିନ୍ତୁ ଆନ୍ଧ୍ର ସରକାର ଏହାକୁ ପାଳନ କରି ନଥିବାରୁ କୋର୍ଟ ଅବମାନନା ଅଭିଯୋଗ ଉଠାଇ ଓଡ଼ିଶା ସରକାର ପିଟିସନ୍ ରୁଜୁ କରିଛନ୍ତି। ତେବେ ତ୍ୱରିତ ଶୁଣାଣି ନେଇ ରାଜ୍ୟ ସରକାର ପିଟିସନ ଦାୟର ହୋଇଛି।
ଏହାବ୍ୟତୀତ କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ହେଉଥିବା ପଞ୍ଚାୟତ ନିର୍ବାଚନକୁ ନେଇ ହାଇକୋର୍ଟରେ ମଧ୍ୟ ପିଟିସନ୍ ଦାଖଲ କରାଯାଇଛି। ଭାରତୀୟ ବିକାଶ ପରିଷଦ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛି। ସୀମା ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏଥିରେ ନିବେଦନ କରାଯାଇଛି। ଆନ୍ଧ୍ର କରୁଥିବା ନିର୍ବାଚନ ବନ୍ଦ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ବିକାଶ ପରିଷଦ ଆବେଦନ କରିଛି। ଏଥିରେ ଗୃହ ଓ ରାଜସ୍ୱ ସଚିବ ତଥା ତିନି ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଅନ୍ୟପକ୍ଷରେ ୧୯୩୬ରେ ଓଡ଼ିଶା ସରକାର ଗଠନ କରାଗଲା, ସେତେବେଳେ ଜାଗା ବି ଚିହ୍ନଟ ହୋଇଥିଲା। ୧୯୫୫ରେ ଯେତେବେଳେ ଆନ୍ଧ୍ର ପ୍ରଦେଶ ଗଠନ କରାଗଲା, ସେତେବେଳେ ବି ଏହାର ପରିସୀମା ଚିହ୍ନଟ ହୋଇଥିଲା। ୧୯୬୮ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବି ସୀମା ଚିହ୍ନଟ ହୋଇଥିଲା; ତଥାପି ଆନ୍ଧ୍ର ମାଡ଼ିଆସୁଛି। ଓଡ଼ିଶା ସରକାର କ’ଣ କରୁଛନ୍ତି। ଯେଉଁ ସମ୍ପତ୍ତି ଉପରେ ଆନ୍ଧ୍ର ମାଡ଼ି ଆସିଛି, ତାକୁ ତୁରନ୍ତ ସୁରକ୍ଷା ଦିଆଯାଉ ଓ ନିର୍ବାଚନକୁ ବନ୍ଦ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି କୋର୍ଟରେ ଜଣାଇଥିବା ବରିଷ୍ଠ ଆଇନଜୀବୀ ଗୋପାଳ ପ୍ରସାଦ ଜେନା କହିଛନ୍ତି।