ସୁଶାନ୍ତଙ୍କ କ୍ୟାରିୟର ବରବାଦ୍ କରିବା ପାଇଁ ଧମକ ଦେଇଥିଲେ ଜଣେ କଳାକାର !
ମୁମ୍ବାଇ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ନିକଟରେ ଏହି ମାମଲାରେ ମୁହଁ ଖୋଲିଛନ୍ତି ବଲିଉଡର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ।
ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁଶାନ୍ତ ନେପୋଟିଜମର ଶିକାର ହେଉଥିବା ଭଳି ଅନେକ ଚର୍ଚ୍ଚା ହେଉଥିବା ବେଳେ ବିବେକ ଅଗ୍ନିହୋତ୍ରୀଙ୍କ କଥା ସମସ୍ତଙ୍କୁ ଚକିତ କରିଦେବ । ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି ।
“ଏକଦା ଫାର୍ମ ହାଉସରେ ସୁଶାନ୍ତ ସିଂହ ରାଜପୁତଙ୍କର ଜଣେ ଷ୍ଟାରଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଯିଏକି ତାଙ୍କୁ ଲଞ୍ଚ କରିଥିଲେ । ଏହି ଯୁକ୍ତିତର୍କରେ ସେ ରାଗି ଯାଇ ସୁଶାନ୍ତଙ୍କୁ କହିଥିଲେ ଯେ ସେ ତାଙ୍କ କ୍ୟାରିୟର ବରବାଦ୍ କରିଦେବେ, ଯେମିତି ସେ ଅନ୍ୟମାନଙ୍କ କରିଛନ୍ତି ।
ପରିଶେଷରେ ସେ ଲେଖିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ଏକ ମୁଖା ସଦୃଶ୍ୟ । ମୁମ୍ବାଇ ପୋଲିସ ଓ ମହାରାଷ୍ଟ୍ର ସରକାର କିଛି ପାୱାରଫୁଲ୍ ଲୋକଙ୍କୁ ବଞ୍ଚାଇବାକୁ ଚାହୁଁଛି” ବୋଲି ଟ୍ୱିଟରେ ଉଲ୍ଲେଖ କରିଥିଲେ ।
ବିବେକ ଉକ୍ତ ଟ୍ୱିଟ୍ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଏବେ ଏହି ମାମଲାର ତଦନ୍ତ ସିବିଆଇ କରୁଛି । ଏପରିକି ସିବିଆଇ ଟିମ୍ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ, ସିଦ୍ଧାର୍ଥ ପିଠାନି, ହାଉସ୍ ମାନେଜର ସାମୁଏଲ୍ ମିରାଣ୍ଡା, ରୋଷେୟା ନିରଜ, ଦୀପେଶ ସାୱନ୍ତ, ଗୌରବ ଆଚାର୍ଯ୍ୟ ଓ କେଶବକୁ ମଧ୍ୟ ପଚରା ଉଚରା କରିଛି ।
ପୁର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଇଡି ପକ୍ଷରୁ ରିୟାଙ୍କ ଫୋନ୍ ଯାଞ୍ଚ ପରେ ହ୍ୱାଟ୍ସଆପ୍ ମେସେଜରୁ ତାଙ୍କର ଡ୍ରଗ୍ସ ଲିଙ୍କ ଥିବା ଘଟଣା ସମ୍ମୁଖକୁ ଆସିଛି । ଏନେଇ ଇଡି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)ର ଦୃଷ୍ଟି ଆକର୍ଷଣ କରିଥିଲା । ଯାହା ପରେ ଏନସିବି ନିଜ ଆଡୁ ଏକ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି ।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର ମଞ୍ଜୁରୀ ପରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଭାର ଏବେ ସିବିଆଇ ସମ୍ଭାଳିଛି । ଏହା ପୂର୍ବରୁ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ପିତା କେେ କେ ସିଂହ ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ପାଟନା ଥାନାରେ ଏଫଆଇଆର୍ ମଧ୍ୟ କରିଥିଲେ । ଏପରିକି ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଥିଲେ ।
ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ।