ଏଣିକି ସବୁ ରବିବାର ଶ୍ରୀମନ୍ଦିର ବନ୍ଦ
ପୁରୀ, (ଓଡିଶା ଟାଇମ୍) :ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏହା ପରେ ଦ୍ଵିତୀୟ ଲହରର ଆଶଙ୍କା ସୃଷ୍ଟି ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏଣିକି ସବୁ ରବିବାର ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀ ମନ୍ଦିର ବନ୍ଦ ରହିବ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ରବିବାର ଏହି ନିଷ୍ପତ୍ତି ନେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହାର ସୂଚନା ଦେଇଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ।
ଶ୍ରୀମନ୍ଦିରର ସାନିଟାଇଜେସନ ପାଇଁ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.କ୍ରିଷନ କୁମାର ସୂଚନା ଦେଇଛନ୍ତି। ପୂର୍ବରୁ ଛତିଶା ନିଯୋଗରେ ଏ ସଂପର୍କରେ ପ୍ରସ୍ତାବ ପାରିତ ହୋଇଥିଲା। ଗତ ବର୍ଷ ମହାମାରୀ କରୋନା କାରଣରୁ ଶ୍ରୀମନ୍ଦିର ପାଖାପାଖି ଦୀର୍ଘ ୬ ମାସ ବନ୍ଦ ରହିଥିଲା। ଏହା ପରେ ଡିସେମ୍ବର ୨୩ରେ ଶ୍ରୀମନ୍ଦିର ଖୋଲିଥିଲା। ୨୦୨୧ ଜାନୁଆରୀ ୩ରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା।
ସୂଚନାଯୋଗ୍ୟ, ଦେଶର ଅନ୍ୟ ରାଜ୍ୟ ସହ ଓଡିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ପ୍ରାୟ ୧୦ ଦିନ ପୂର୍ବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦୦ ତଳେ ରହିଥିଲା। ଏହା ଧିରେ ଧିରେ ବଢି ପାଖାପାଖି ୩୦୦ ପହଞ୍ଚିଲାଣି। ସ୍ଥିତିକୁ ଦୃଷ୍ଟିରେ ରଖି ସପ୍ତାହକୁ ଗୋଟିଏ ଦିନ ଶ୍ରୀମନ୍ଦିର ବନ୍ଦ ରଖାଯିବା ନେଇ ଚର୍ଚ୍ଚା ଜୋର ଧରିଥିଲା।











