ଦିନ ୩ଟା ଯାଏଁ ବାହାରକୁ ନବାହାରିବାକୁ ଏସଆରସିଙ୍କ ପରାମର୍ଶ
ଭୁବନେଶ୍ବର, (ଓଡିଶା ଟାଇମ୍):ବାତ୍ୟା ‘ୟସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ଧାମରାର ଉତ୍ତର ଆଡକୁ ଗତି କରୁଛି ବାତ୍ୟା ‘ୟସ୍’ । ରେମୁଣା-ବାହାନଗା ମଧ୍ୟରେ ବାତ୍ୟା ‘ୟାସ୍’ ଲ୍ୟାଣ୍ଡଫଲ୍ କରୁଛି । ଦିନ ୧ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୩୦ରୁ ୧୪୦ ରହିଛି । ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ଏହାର ସର୍ବାଧିକ ପ୍ରଭାବ ରହିଛି ।
ବାତ୍ୟା ଲ୍ୟାଣ୍ଡଫଲ୍ ସମୟରେ ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ପବନ ବହିବ ତାହା ବେଶୀ ଭୟଙ୍କର ହେବ ବୋଲି ଏସଆରସି ପ୍ରଦୀପ ଜେନା ସତର୍କ କରାଇଛନ୍ତି । ତେଣୁ ଦିନ ୩ଟା ଯାଏଁ ବାଲେଶ୍ବର ଓ ଭଦ୍ରକରବାସୀଙ୍କୁ ବାହାରକୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି ।
ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ଗୋଟିଏ ପର୍ଯ୍ୟାୟ ପବନରେ ଶେଷ ହୁଏନାହିଁ । ପ୍ରଥମ ପର୍ଯ୍ୟାୟରେ ପବନ ବହିବା ପରେ ବେଗ ଅଳ୍ପ ସ୍ଥିର ହୋଇଯାଇପାରେ । ଦ୍ବିତୀୟ ପର୍ଯ୍ୟାୟରେ ଯେଉଁ ପବନ ବହିବ ତାହା ଅତି ଭୟଙ୍କର ହୋଇପାରେ । ତେଣୁ ଏହି ସମୟରେ ବାତ୍ୟା ସରଗଲା ଭାବି କେହି ବାହାରକୁ ବାହାରନ୍ତୁ ନାହିଁ ବୋଲି ଏସଆରସି ସତର୍କ କରାଇଛନ୍ତି ।