୧୨ରୁ ଚାଲିବ ୩ଟି ‘ଶ୍ରମିକ ସ୍ପେଶାଲ ଟ୍ରେନ’
ଭୁବନେଶ୍ବର, (ଓଡିଶା ଟାଇମ୍) : ଆସନ୍ତା ୧୨ ତାରିଖରୁ ରାଜ୍ୟରେ ୩ଟି ‘ଶ୍ରମିକ ସ୍ପେଶାଲ ଟ୍ରେନ’ ଚାଲିବ। ଏ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧୀଧାମ ଓ ପରୀ-ଓଖା ରୁଟରେ ଏହି ଟ୍ରେନ ଚାଲିବ। ଏହି ‘ଶ୍ରମିକ ସ୍ପେଶାଲ ଟ୍ରେନ’ ଚଳାଇବା ପାଇଁ ଶ୍ରୀ ପ୍ରଧାନ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ତେବେ ତାଙ୍କ ଅନୁରୋଧ ରକ୍ଷା କରି ‘ଶ୍ରମିକ ସ୍ପେଶାଲ ଟ୍ରେନ’ ଚଳାଇବା ପାଇଁ ନିଷ୍ପତ୍ତି ନିଆଯାଇଥିବାରୁ ଶ୍ରୀ ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଧନ୍ୟବାଦ ଜଣାଇଛନ୍ତି।
ଜୀବନଜୀବିକା ପାଇଁ ସୁଯୋଗର ଅଭାବ ଥିବା ଏବଂ ପୁଣି କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ପାଇଁ ଯିବାରେ ଅସୁବିଧା ହେଉଥିବା ସେମାନେ ଦର୍ଶାଇଛନ୍ତି । ଦେଶବ୍ୟାପୀ କୋଭିଡ୍ -୧୯ ତଥା ଲକ୍ ଡାଉନ ସମୟରେ ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଭଳି ରାଜ୍ୟରୁ ପ୍ରବାସୀମାନେ ଓଡିଶାକୁ ପ୍ରତ୍ୟାବର୍ତନ କରିଥିଲେ ଏବଂ ରେଳ ମନ୍ତ୍ରଣାଳୟର ସହଯୋଗ ଓ ଉଦ୍ୟମ କାରଣରୁ ଦେଶର କୋଣ ଅନୁକୋଣରୁ ହଜାର ହଜାର ‘ଶ୍ରମିକ ସ୍ପେଶାଲ୍ ଟ୍ରେନ୍’ ମାଧ୍ୟମରେ ଘରକୁ ଫେରିପାରିଥିଲେ । ଏହି ଉଦ୍ୟମକୁ ସର୍ବତ୍ର ପ୍ରଶଂସା କରାଯାଇଥିଲା ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦେଶସାରା ଲକ୍ ଡାଉନକୁ ପ୍ରତ୍ୟାହାର କରାଯାଉଥିବା ବେଳେ ଏବେ ଆମେ ସମସ୍ତେ ସ୍ୱଭାବିକ ସ୍ଥିତିକୁ ଫେରୁଛୁ । ଏହି ସମୟରେ ବାହାରେ କାମ କରୁଥିବା ଲୋକମାନଙ୍କ ପାଇଁ ପୁନର୍ବାର ରେଳସେବା ଆରମ୍ଭ ହେବାର ଆବଶ୍ୟକତା ରହିଛି । ଏହି ଲୋକମାନଙ୍କ ପାଇଁ ଓଡିଶାରୁ ବସ୍ ସେବା ଯୋଗାଇଦେବା ପାଇଁ କିଛି ସଂସ୍ଥା ଇଚ୍ଛାପ୍ରକାଶ କରିଛନ୍ତି ।
ତେବେ ବର୍ତମାନ ମୌସୁମି ପରିସ୍ଥିତିରେ ସଡକ ପଥ ମାଧ୍ୟମରେ ଦୂର ବାଟ ଯାତ୍ରା କରିବା ସେମାନଙ୍କ ପାଇଁ ନିରାପଦ ନୁହେଁ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ଦେଶର ଅର୍ଥନୀତିର ପୁନଃରୁଦ୍ଧାର ଏବଂ ପ୍ରବାସୀଙ୍କ ତୁରନ୍ତ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଓଡିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁଣି ଥରେ ‘ଶ୍ରମିକ ସ୍ପେଶାଲ ଟ୍ରେନ୍’ ଚାଲୁ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଗୋଏଲଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।