ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
ଭୁବନେଶ୍ବର, (ଓଡିଶା ଟାଇମ୍) :ଏକ ଅପ୍ରତ୍ୟାଶିତ ଘଟଣାକ୍ରମେ ସୋମବାର କଟକ-ଭୁବନେଶ୍ଵର ପୋଲିସ କମିଶନଙ୍କ ବଦଳି ହୋଇଛି। ସୌମେନ୍ଦ୍ର ପ୍ରିୟଦର୍ଶୀ ହେଲେ ନୂଆ ପୋଲିସ କମିଶନର। ୧୯୯୫ ବ୍ୟାଚ୍ର ବରିଷ୍ଠ ଆଇପିଏସ୍ ହେଉଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ ଏବେ କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି। ପ୍ରିୟଦର୍ଶୀ ବର୍ତ୍ତମାନ ଟ୍ଵିନ୍ ସିଟିର କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସ୍ଥାନ ନେବେ। ସୁଧାଂଶୁ ଷଡଙ୍ଗୀଙ୍କୁ ଓଡିଶା ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟ ସରକାର ଆଜି ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିକ୍ରମେ ବରିଷ୍ଠ ଆଇପିଏ ସ୍ତରରେ ଅଦଳ ବଦଳ କରିଛନ୍ତି। ଏମ. ଅକ୍ଷୟଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଭାବେ ନିଯୁକ୍ତି ମିଳିଛି। ଏମ ଅକ୍ଷୟ ହେଉଛନ୍ତି ୧୯୮୮ ବ୍ୟାଚ୍ର ଆଇପିଏସ ଅଫିସର। ଅନ୍ୟପଟେ ବର୍ତ୍ତମାନ କଟକ-ଭୁବନେଶ୍ଵର ପୋଲିସ କମିଶନର ରହିଥିବା ସୁଧାଂଶୁ ଷଡଙ୍ଗୀଙ୍କୁ ପୋଲିସ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି। ପୋଲିସ କମିଶନର ହେବା ପୂର୍ବରୁ ସେ ପୋଲିସ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଥିଲେ। ଅର୍ଥାତ ସେ ତାଙ୍କର ପୂର୍ବ ପଦକୁ ଫେରିଛନ୍ତି।