ମହାକାଶରୁ ଖସୁଛି ବିରାଟ ଉଲ୍କା ପିଣ୍ଡ, ଆଜି ପୃଥିବୀ ନିକଟ ଦେଇ ଅତିକ୍ରମ କରିବ
(ଓଡିଶା ଟାଇମ୍) : ମହାକାଶରୁ ପୃଥିବୀ ଆଡ଼କୁ ଏକ ବିରାଟ ଉଲକାପିଣ୍ଡ ମାଡ଼ି ଆସୁଛି । ଏହି ଉଲକାପିଣ୍ଡର ଗତିର ବେଗ ଏତେ ଅଧିକ ଯେ ଯଦି ପୃଥିବୀ ଉପରେ ପଡ଼ିବ ତେବେ ଏହା ପାଖଆଖ କେତେ କିଲୋମିଟର ଯାଏଁ ବିନାଶ ଘଟାଇପାରିବ । ଯଦି ଏହା ସମୁଦ୍ରରେ ପଡ଼ିବ ତାହାଲେ ବଡ଼ ସୁନାମି ହୋଇପାରେ । ଏହି ଉଲକାପିଣ୍ଡ ପୃଥିବୀର ନିକଟବର୍ତ୍ତୀ ହେବା ପାଇଁ ଆଉ ମାତ୍ର କିଛି ସମୟ ବାକି ରହିଲା ।
ଏହା ପୃଥିବୀରେ ମାଡ଼ ହେବ ନାହିଁ ବୋଲି ମହାକାଶ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ତେବେ ପୃଥିବୀଠାରୁ ୩୭ ଲକ୍ଷ ୬୦ ହଜାର କିଲୋମିଟର ଦୂରରେ ଏହି ଉଲ୍କା ପିଣ୍ଡ ଅତିକ୍ରମ କରିବାର ଥିଲେ ହେଁ ଏହାକୁ ଏକ ପୃଥିବୀ ନିକଟ ବସ୍ତୁ(ଏନଇଓ) ଭାବେ ବିବେଚନା କରାଯାଉଛି।
ଉଲ୍କାଟି ଏକ ଏନଇଓ ହୋଇଥିବାରୁ ଏହା ମହାକାଶ ସଂସ୍ଥାକୁ ଆମ ସୌରମଣ୍ଡଳର ଇତିହାସ ବିଷୟରେ ଅଧ୍ୟୟନ କରିବାରେ ସହାୟତା କହିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ତେବେ ଏହି ଉଲ୍କାର ଲମ୍ବ ପ୍ରାୟ ୧୪୦ ମିଟରରୁ ୩୩୦ ମିଟର ହେବ, ଯାହା କୁତବ୍ ମିନାରଠାରୁ ୪ ଗୁଣ ଏବଂ ଲଣ୍ଡର ୱେଷ୍ଟ ମିନିଷ୍ଟରରେ ଥିବା ବିଗ୍ ବେନ୍ଠାରୁ ୩ ଗୁଣ ବଡ଼ ବୋଲି କୁହାଯାଇଛି। ସେକେଣ୍ଡକୁ ୧୩ କିଲୋମିଟର ଏବଂ ଘଣ୍ଟାକୁ ୪୬ ହଜାର ୮୦୦ କିଲୋମିଟର ବେଗରେ ଏହା ମହାକାଶରୁ ଖସୁଛି। ଆମେରିକାର ମହାକାଶ ସଂସ୍ଥା ନାସା ଏହାର ଜେଟ୍ ପ୍ରପଲସନ ଲାବରେଟୋରି ୱେବସାଇଟ୍ରେ ଲେଖିଛି ଯେ, ଏନଇଓଗୁଡିକ ହେଉଛନ୍ତି ଧୂମକେତୁ ଏବଂ କ୍ଷୁଦ୍ରଗ୍ରହ, ଯାହା ନିକଟ ଗ୍ରହମାନଙ୍କର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଆକର୍ଷିତ ହୋଇ ପୃଥିବୀର ପଡ଼ୋଶୀ ସ୍ଥାନକୁ ପ୍ରବେଶ କରିଥାନ୍ତି।