ଆସନ୍ତାକାଲି ବିରଳ ସୂର୍ଯ୍ୟୋପରାଗ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆସନ୍ତାକାଲି ସୂର୍ଯ୍ୟୋପରାଗ । ଓଡ଼ିଶାରେ ଏହା ଆଂଶିକ ଦୃଶ୍ୟ ହେବ ।

ଆଷାଢ଼ ମାସ ବିଜୟ ଅମାବାସ୍ୟାରେ ରାହୁଗ୍ରସ୍ତ କଙ୍କଣାକୃତି ଆଂଶିକ ଚୂଡ଼ାମଣି ସୂର୍ଯ୍ୟୋପରାଗ ସଂଘଟିତ ହେବ । ଭାରତର ହରିଆଣା, ରାଜସ୍ଥାନ, ଉତ୍ତରାଖଣ୍ଡର କିଛି ଅଞ୍ଚଳରେ କଙ୍କଣାକୃତି ଦୃଶ୍ୟ ହେବ । ଭାରତର ଅନ୍ୟାନ୍ୟ ଅଞ୍ଚଳ ଓ ଓଡ଼ିଶାରେ ଆଂଶିକ ପରାଗ ଦୃଶ୍ୟମାନ ହେବ ।

ଭୁବନେଶ୍ୱରଠାରେ ଗ୍ରହଣ ସ୍ପର୍ଶ ଦିବା ୧୦ଟା ୩୮ ମିନିଟ୍‌ ୮ ସେକେଣ୍ଡରେ, ଗ୍ରହଣ ମଧ୍ୟ ଦିବା ୧୨ଟା ୨୬ ମିନିଟ୍‌ ୯ ସେକେଣ୍ଡ ଏବଂ ସର୍ବମୋକ୍ଷ ଦିବା ୨ଟା ୯ ମିନିଟ୍‌ ୫୧ ସେକେଣ୍ଡରେ ହେବ । କଟକଠାରେ ଗ୍ରହଣ ସ୍ପର୍ଶ ଦିବା ୧୦ଟା ୩୮ ମିନିଟ୍‌ ୧୪ ସେକେଣ୍ଡରେ, ଗ୍ରହଣ ମଧ୍ୟ ଦିବା ୧୨ଟା ୨୬ ମିନିଟ ୨୩ ସେକେଣ୍ଡ ଏବଂ ସର୍ବମୋକ୍ଷ ଦିବା ୨ଟା ୧୦ ମିନିଟ୍‌ ୫ ସେକେଣ୍ଡରେ ହେବ ।

ଗ୍ରହଣର ସ୍ଥିତିକାଳ ଓଡ଼ିଶାରେ ୩ ଘଣ୍ଟା ୩୧ ମିନିଟ୍‌ଠାରୁ ୩ ଘଣ୍ଟା ୩୩ ମିନିଟ୍‌ ରହିବ ।

ଗ୍ରହଣ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଶନିବାର ରାତି ୧୦ଟା ୩୮ଠାରୁ ପାକତ୍ୟାଗ ତଥା ଅନ୍ନଭୋଜନ ଏବଂ ଦେବନୀତି ନିଷେଧ । ସର୍ବମୋକ୍ଷ ଦିବା ୨ଟା ୯ ମିନିଟ୍‌ ପର୍ଯ୍ୟନ୍ତ ସୂର୍ଯ୍ୟୋପରାଗର ବିଧିବିଧାନ ପାଳନ ହେତୁ ଏହି ସମୟ ମଧ୍ୟରେ ଦେବନୀତି ଓ ଅନ୍ନଭୋଜନାଦି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।

ସାବଧାନତା ଅବଲମ୍ବନ କରି ଏହି ବିରଳ ସୂର୍ଯ୍ୟୋପରାଗର ଦୃଶ୍ୟଗୁଡ଼ିକ ଉପଭୋଗ କରିହେବ । ସୌର ଚଷମା, ୧୪ ନମ୍ବର ୱେଲଡିଂ କାଚ, ପିନକଣା ପ୍ରକ୍ଷେପଣ ଓ ଦର୍ପଣ ମାଧ୍ୟମରେ ପ୍ରତିଫଳନ କରି ପରାଗ ଦେଖିପାରିବେ । ସୂର୍ଯ୍ୟକୁ ବା ସୂର୍ଯ୍ୟ ପରାଗକୁ କେବେ ବି ଖାଲିଆଖିରେ, ଦୂରବୀକ୍ଷଣ ବା ବାଇନାକୁଲାର୍‌ରେ ଦେଖନ୍ତୁ ନାହିଁ । କଳା ଚଷମା ତଥା କଳା କାଚ ମାଧ୍ୟମରେ ସୂର୍ଯ୍ୟକୁ ବା ସୂର୍ଯ୍ୟ ପରାଗକୁ ଦେଖିବା ବିଲ୍‌କୁଲ୍‌ ନିରାପଦ ନୁହେଁ ।

Leave a Reply

Your email address will not be published.