ପୂର୍ବ ଭାରତର ଏକମାତ୍ର ବିଶ୍ଵ ବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ
ଭୁବନେଶ୍ବର, (ଓଡିଶା ଟାଇମ୍) :ଚଳିତ ବର୍ଷ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଂ ଫ୍ରେମଓ୍ଵାର୍କ(ଏନଆଇଆରଏଫ) ରାଙ୍କିଂରେ ଦେଶର ୨୦ତମ ଶ୍ରେଷ୍ଠ ବିଶ୍ଵ ବିଦ୍ୟାଳୟ ଭାବେ ସ୍ଥାନ ପାଇଥିବା ଶିକ୍ଷା ଓ ଅନୁସନ୍ଧାନ(ଡିମ୍ଡ ଟୁ ବି ବିଶ୍ଵବିଦ୍ୟାଳୟ) ହାସଲ କରିଛି ଆଉ ଏକ ସଫଳତା। ପୂର୍ବ ଭାରତରେ ଏକମାତ୍ର ବିଶ୍ଵ ବିଦ୍ୟାଳୟ ଭାବେ କ୍ୟୁଏସ୍ ଆଇ-ଗଜ୍ ‘ଡାଇମଣ୍ଡ ରେଟିଂ’ ସମ୍ମାନ ମିଳିଛି ସୋଆକୁ।
ବିଭିନ୍ନ ପର୍ଯ୍ୟାୟରେ ସୋଆର ପାରଦର୍ଶିତାକୁ ଅନୁଶୀଳନ କରାଯିବ ସହ ସ୍ଵତନ୍ତ୍ର ଭାବେ ତଥ୍ୟ ସଂଗ୍ରହ କରାଯାଇ ଏହି ରାଙ୍କିଙ୍ଗ ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି କ୍ୟୁଏସ୍-ଗଜ୍ର ନିର୍ଦ୍ଦେଶକ ଶୁଭାୟୁ ନାୟକ।
ଶିକ୍ଷା ପ୍ରଦାନ ଓ ଗ୍ରହଣ, ନିଯୁକ୍ତି, ସୁବିଧା ସୁଯୋଗ, ସାମାଜିକ ଦାୟିତ୍ଵ, ଗବେଷଣା ଓ ମାନ୍ୟତା ଏଭଳି ୬ଟି ମାପଦଣ୍ଡରେ ଗୁରୁବାର ଦିନ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ କ୍ୟୁଏସ୍ ଆଇ-ଗଜ୍ ପକ୍ଷରୁ ସୋଆକୁ ଏହି ‘ଡାଇମଣ୍ଡ ରେଟିଂ’ ପ୍ରଦାନ କରାଯାଇଛି।
କ୍ୟୁଏସ୍ ଆଇ-ଗଜ୍ ଏପରି ଏକ ରେଟିଙ୍ଗ ବ୍ୟବସ୍ଥା ଯେଉଁଥିରେ ଭାରତର ବିଶ୍ଵ ବିଦ୍ୟାଳୟ ଓ କଲେଜ ସ୍ତରରେ ବିଭିନ୍ନ ମାପଦଣ୍ଡକୁ ଆଧାର କରି ସମ୍ମାନ ପ୍ରଦାନ କରାଯାଇଥାଏ। ଏହା ଶିକ୍ଷାନୁଷ୍ଠାନ ଗୁଡିକର ପାରଦର୍ଶିତାକୁ ବୃ୍ଦ୍ଧି କରାଇବା ସହ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ।
ପୂର୍ବରୁ କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ଇ-ଲର୍ଣ୍ଣିଂ ଏବଂ ଅନଲାଇନ୍ ଶିକ୍ଷାଦାନ କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ସୋଆକୁ ପୂର୍ବ ଭାରତରେ ଏକମାତ୍ର ବିଶ୍ଵବିଦ୍ୟାଳୟ ଭାବେ କ୍ୟୁଏସ୍ ଆଇଗଜର ଏକ ସ୍ଵତନ୍ତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଇ-ଲର୍ଣ୍ଣିଂ ଏକ୍ସିଲେନ୍ସ ଫର ଏକାଡେମିକ ଡିଜିଟାଇଜେସନ(ଇ-ଲିଡ) ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା।